ମନୁଷତ୍ତ୍ୱ

ଭାଙ୍ଗିଯାଇଥିବା ମନର ବେଦନା
ହଜିଯାଇଥିବା ସ୍ମୃତି,
ଦୈବୀ କରୁଣାର ଅଣଦେଖା କରେ
ବୁଝେନାହି ପ୍ରେମ ପ୍ରୀତି ll

କାରଣ ନ ଥାଇ କାହା ପାଇଁ ଯଦି
ଅପକର୍ମ କିଏ କରେ,
ତା ଆଖିର ଲୁହ ଅନ୍ତରର କୋହ
ଅଭିଶାପ ହୋଇ ଝରେ ll

ସେହି ପୀଡ଼ିତର ଅଭିଶାପ ନିଶ୍ଚେ
ଅବଶ୍ୟ ଫଳଇ ହେଳେ,
କଲବଲ କରେ ଅଶାନ୍ତି ଅଣାଇ
ଜୀବନକୁ ଦିନେ ଜାଳେ ll

କାହାପାଇଁ ଯେବେ କରିଥିବ ଭଲ
ସେବା କାର୍ପଣ୍ୟ ଗୁଣରେ,
ପିତାମାତା ଗୁରୁ ଗୁରୁଜନଙ୍କର
ଆଶୀର୍ବାଦ ତହିଁ ଝରେ ll

ଅଭିଶାପ ଆସେ ନିଜ କୁକର୍ମରୁ
ଆଶୀର୍ବାଦ ସୁକର୍ମରେ,
କର୍ମେ ଯା ବିଶ୍ୱାସ ହୃଦ୍ ବୋଧ ସେ କରେ ଅଭିଶାପ ଆଶିଷରେ ll

ଅଭିଶାପ ଆଶୀର୍ବାଦ ପୁରାଣର
ପ୍ରତି ପୃଷ୍ଠା ମଣ୍ଡି ଅଛି,
ଆଜିର ମଣିଷ ମିଛ କଥା ଭାବି
ସେ ସବୁ ଭୁଲି ଯାଇଛି ll

ପାଠ ପଢି ସିନା ଶିକ୍ଷିତ ହୋଇଛି
ଆଧ୍ୟାତ୍ମିକତା ଭୁଲିଛି,
ଆରିସା କାକରା ପଛ କରିଦେଇ
ପିଜା ବର୍ଜ୍ଜର ଖାଉଛି।l

ସଂସ୍କୃତି ଭୁଲିଛି ପରମ୍ପରା ତ୍ୟାଗୀ
ଆଧୁନିକତାର ସୁଏ,
ନିଜକୁ ବୁଡ଼ାଏ ପର ପିଢ଼ିକୁ ସେ
ସେହି ସୁଅରେ ଭସାଏ ll

ଧର୍ମ ବୋଲି କିଛି ଅଛି ଏ ଜଗତେ
ଆଣେ ନାହିଁ କେବେ ମନେ,
ବାର ତିଥି ପର୍ବ ଶ୍ରାଦ୍ଧ ସ୍ଵନକ୍ଷତ୍ର
ବାରଣ ନ କରେ ଦିନେ ll

ବଂଶ କୁଳ ମାନ ମହତ ଉଜାଡି
ସାମାଜିକ ରୀତିନୀତି,
ବେଖାତିର କରି ମନ ଇଚ୍ଛା ଚଳେ
ନ କରି ଧର୍ମକୁ ଭୀତି ll

ସେଥିପାଇଁ ଧର୍ମ ଡଙ୍ଗାରେ ପଶୁଛି
ବିଧର୍ମର ଜଳ ଆଜି,
ପରଧର୍ମ ଭୟାବହ ହୋଇଅଛି
ମନୁଷତ୍ତ୍ଵ ଯାଏ ହଜି l

ବିନୟ କୁମାର ମିଶ୍ର,
ମଲ୍ଲୀପୁର ଗଡ଼ନିଆଳ,
ଖୋର୍ଦ୍ଧା

Leave a Reply