ଝୁରାମନ ଝୁରେ ନୀତି

ତୁମ ଚୌକି ଏବେ ଫାଙ୍କା ପଡ଼ିଛି
ଚୌକି ପାଖକୁ ମୁଁ ସବୁଦିନ ଯାଏ
ଶୁନ୍ୟ ଚଉକି ଚାହିଁ
ଅନେକ ସମୟ କାନ୍ଦେ,
ମୋ କାନ୍ଦରେ ସେ
ଶୂନ୍ୟତା ପୁରେ ନାହିଁ
ଏ କଥା ମୁଁ ଜାଣେ।
ମୁଁ ତୁମର କିଏ ତା କେବେ
ପଚାରି ନାହିଁ ନିଜକୁ
ତୁମ କଥା ଭାବିଲେ
ମୁଁ ପୂର୍ଣ୍ଣ ହୋଇଯାଏ
ଫୁଲ ମହକରେ ମହକି
ଯାଏ ମୋ ଅସୁସ୍ଥ ଆତ୍ମା।
ଦାଣ୍ଡ ପଟେ ଶୁଭେ
କିଏ ଜଣେ ଡାକିବା ପରି
ତୁମ ସ୍ପର୍ଷ ଉଷ୍ମତାରେ
ପୋଡ଼ିଯାଏ ମୋର ପୁରୁଣା ବୁନିଆଦୀ ,
ଭାଙ୍ଗିଯାଏ ମୋ ଗର୍ବ
ଅହଙ୍କାର ଦର୍ପଣର ଝଣ ଝଣ ଶବ୍ଦରେ।
ପ୍ରତିଟି ଦୃଶ୍ୟ ଶେଷରେ ଅନ୍ଧାର
ପୁଣି ନୂଆଦୃଶ୍ୟ,
ଆଲୁଅର ଆବାହନ
ପ୍ରତି ଆବାହନ ପଛରେ ଥାଏ
ଝରା ଶେଫାଳୀର ମଉଳା ମନ।
ବୟସ ବଢିବା ସଙ୍ଗେ
ଅଚିହ୍ନା ଲାଗେ ପୃଥିବୀ,
ବାଟବଣା ହୁଏ ମୁଁ ବାରମ୍ବାର।
ଯେତେ ପୂର୍ଣ୍ଣ କଲେ ବି
ଜୀବନ ପାତ୍ର ମୋ
ଅପୂର୍ଣ୍ଣ ରହିଯାଏ, ରହୁ,
ଏବେ ମୋର କିଛି ଲୋଡା ନାହିଁ।
ପାରିବ ଯଦି ନେଇଯିବ ସ୍ବର୍ଗଦ୍ୱାର
ଅଶାନ୍ତ ସମୁଦ୍ରର ଗର୍ଜନ
ଶୁଣୁ ଶୁଣୁ ବିଲୀନ ହୋଇଯିବି
ମୁଠାଏ ପାଉଁଶ ହୋଇ…….
ଜୀବନ ଯୁଦ୍ଧରେ ମୁଁ
ପରାଜିତ ବୋଲି ଧରିନେଇ ପାରନ୍ତି ଆପଣମାନେ…..।

ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
9439011063

Leave a Reply