ବାସ୍ତବ

ରଜ ବୀର୍ଯ୍ୟ ମିଶି
ଡିମ୍ବର ସୃଷ୍ଟିକି
ଅଣ୍ଡା ବୋଲି କୁହାଯାଏ,
ତହିଁରେ ନିହିତ
ଜୀବ ରହିଥାଏ
କାଳ କ୍ରମେ ଜନ୍ମ ନିଏ,
ଜୀବ ମାତ୍ରକେ ଆମିଶ,
ଆମିଶକୁ ଯେବେ
ତର୍ଜମା କରିବା
ରହିଛି ଅର୍ଥ ବିଶେଷ।

ଯୌନ ମିଳନର
ଆବେଗ ଆହ୍ୱାନ
ଆ -ମିଶ ଅଟଇ ସିନା,
ବ୍ରହ୍ମଚର୍ଯ୍ୟ ରକ୍ଷା
ନିରାମିଶ ଅଟେ
ସାଧକରେ ହୁଏ ଗଣା,
ସେହିମାତ୍ର ଶାକାହାରୀ,
ନିରାମିଷ ଖାଦ୍ୟ ସଂସାରେ ବା କାହିଁ
ବୁଧେ କହନ୍ତି ବିଚାରୀ।

ପ୍ରତ୍ୟେକ ଖାଦ୍ୟରେ
ଜୀବନିକା ଅଛି
ଏ ଦେହ ଧାରଣ ପାଇଁ,
ସେହି ଜୀବନିକା
ରଜ ବୀର୍ଯ୍ୟ ରୂପେ
ଶରୀର ମଧ୍ୟରେ ରହି,
କରେ ଶରୀର ନିର୍ମାଣ,
ସବୁ ତ ଆମିଶ
ନିରାମିଶ କାହିଁ
ସୃଷ୍ଟି ସ୍ଥିତି ଲୟ ଜାଣ।

ମାଛ ମାଂସ ଅଣ୍ଡା
ଛୁଇଁ ପୋଇ ଲାଉ
ପିଆଜ ରସୁଣ ଯାହା,
ସବୁରି ଭିତରେ ଉତ୍ତେଜକ ରସ
ଆମିଶ ଅଟଇ ତାହା,
କେ ଅବା କଣ କହୁ,
ସୁବିଧାବାଦୀଙ୍କ ହେତୁବାଦୀ ଚିନ୍ତା
ଯେ ଯା ପାରୁଛି କହୁ।

ପଞ୍ଚଗବ୍ୟ ପଞ୍ଚାମୃତକୁ
ଆଗକୁ ଅପବିତ୍ର
ବୋଲି କହି,
କୁକୁର ପୋଷନ୍ତି
ଗୁହାଳ ତ ନାହିଁ
କେଉଁଠି ରଖିବେ ଗାଈ,
କୁକୁର ସାଙ୍ଗରେ ଶୋଇ,
ଗୋବର ନ ପୋଛି
କୁକୁର ଗୁହକୁ ମୁଣ୍ଡରେ ଥୁଅନ୍ତି ନେଇ।

ମଦ ହେବ କାଢା
ଟୋକା ହେବେ ବୁଢ଼ା
ଚିରା ଅସକରା ପିନ୍ଧି,
ଫେଶନ କହିକି
ଅସଡ଼ ହୋଇବେ
ମୁହଁରେ କପଡା ବାନ୍ଧି,
କୁଳ ବୁଡିଗଲା ବେଳେ,
ଘୋଡ଼ାମୁହାଁ ପୁଅ
ଜନ୍ମ ହୋଇଥାନ୍ତି
କରମ ବାମ ହୋଇଲେ।

ଏତ ବର୍ତ୍ତମାନ
ସମୟର ଖେଳ
ନୂଆ ନୂଆ ଜ୍ଞାନ ଦେବେ,
ପାଦଛୁଇଁ ଆଉ
ନମସ୍କାର ନାହିଁ
ଆଣ୍ଠୁକୁ ହାତ ମାରିବେ,
ତାପରେ ଅଣ୍ଟା ଛାତିକି,
ଗାଲରେ ମାରିବେ
ଆଉ କେତେଦିନେ ହଂସା
ଉଡ଼ିବ ଦେଖିକି।

ଆରମ୍ଭ ଏ ମାତ୍ର
ଥାଇ ସ୍ତିରୀ ପୁତ୍ର
ଆନ ରମଣୀରେ ମନ,
ସ୍ୱାମୀ ସନ୍ତାନକୁ
ଅକ୍ଳେଶେ ଛାଡ଼ିବେ
ଡିଜିଟାଲ ଯୁଗ ଗୁଣ,
ଜିଇଥିଲେ ଏ ଜୀବରେ,
କିସ ନ ଦେଖିବ
ଅସମ୍ଭବ କଥା
ସ୍ୱପ୍ନେ ନୁହେଁ ବାସ୍ତବରେ।

ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply