ବୋଉ

ବିରଞ୍ଚିନାରାୟଣ ମିଶ୍ର

ବୋଉ ହଜିଗଲେ
ପୁଅଝିଅ ବୁଝନ୍ତି ବୋଉକୁ
ପାଖେ ଥିଲେ ଲାଗେ ସିଏ
ନିଃଶୁଳ୍କ ଦାସୀଟେ।
ବୁଝିବାକୁ ଇଛା କଲେ ବିତିଯାଏ
ଜନ୍ମ ଜନ୍ମାନ୍ତର
ତଥାପି ଅବୁଝା ରୁହେ ଈଶ୍ବରଙ୍କ ପରି ।
ଦୁଃଖ ମୋର ତା ପାଇଁ
ଏ କଥା ଏକାନ୍ତ ନିଜର
ବୋଉ ବିକଳ୍ପ
କଣ ଦୁନିଆରେ ନାହିଁ?
ବହୁଦିନ ଖୋଜିଛି ମୁଁ
ପାଇନି ଉତ୍ତର।
ଏ କେମିତି କଥା କହିଲୁ ବୋଉ
ଷାଠିଏ ବୟସେ ତୋର
ଛାଡି ଗଲୁ ମୋତେ।
ଏବେ ମୁହିଁ ଡେଇଁଲିଣି
ତୋର ସେ ଷାଠିଏ ବୟସ
କିଆଁ ଅଭିମାନେ ମାଗିଲୁନି ତୁ
ମୋରି ଆୟୁଷ ?
କଣ ଭାସାଇବାକୁ ମୋତେ
ତୋ ଶୋକ ନଦୀରେ?
ଝୁରି ଝୁରି ଭାସୁଅଛି
ସେଇ ନଦୀ ତୀରେ।
ଏବେ ତୁହି ଫଟୋ ହୋଇ
ଝୁଲୁଚୁ କାନ୍ଥରେ
ରହିଛୁ ମୋ ସ୍ମୃତି ଶାମୁକାରେ।
ତୁ ଗଲାପରେ ଝୁରୁଛି ମୁଁ
ଅଭିମାନ ଅଭିଯୋଗ ସବୁ ମୋର
ଝୁଲୁଛି ମୋ ଫଟା କପାଳରେ।
ଅପେକ୍ଷାରେ ଅଛି ବୋଉ
ପାରିବୁ ଯଦି କେବେ
ଆସିବୁ ସପନେ
ଏ ଜନ୍ମ,କି ଆର ଜନ୍ମ
ଅବା ଜନ୍ମ ଜନ୍ମାନ୍ତରେ।
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply