ପ୍ରଥମେ ଆମେ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ ଏବଂ ବେଦ ମାନଙ୍କର ଶିକ୍ଷାକୁ ନଵରାତ୍ରି ପର୍ବ ସହ ସମ୍ବନ୍ଧିତ ଭାବରେ ଚର୍ଚ୍ଚା କରିବା । ହିନ୍ଦୁମାନେ ପ୍ରତିବର୍ଷ ଏହି ପର୍ବକୁ ଉତ୍ସାହ ଓ ଭକ୍ତି ଭାବରେ ପାଳନ କରିଥାନ୍ତି, କିନ୍ତୁ ଅଧିକାଂଶ ଲୋକ ନବରାତ୍ରିର ଗୁରୁତ୍ୱ ବିଷୟରେ ଏହାର ମୂଳ ଅର୍ଥ କିଛି ଜାଣନ୍ତି ନାହିଁ । ଥରେ ଜଣେ ବିଦେଶୀ ଆଗନ୍ତୁକ ନବରାତ୍ରିର ଅର୍ଥ ପଚାରିବା ପରେ କେହି ଜଣେ ଵି ତାହାଙ୍କୁ ପ୍ରକୃତ ଅର୍ଥ ବୁଝାଇବାକୁ ସକ୍ଷମ ହୋଇପାରିଲେନି । ଅଥଚ କହିପାରୁଛନ୍ତି ଏହା ଗୋଟିଏ ଭଲ ପର୍ବ ଓ ସାମାଜିକ ସମ୍ମିଳନୀ ଏଥିରେ ସଭିଏଁ ଗାଇବା ନାଚିବା ଆନନ୍ଦ କରିବା ଓ ଏସବୁ ସାରି ଘରକୁ ଫେରିଯିବା ।
କି ସ୍ୱଳ୍ପଜ୍ଞାନ… ଆମ ମାନଙ୍କର!!
କିନ୍ତୁ ଆମେ ଜାଣିବା ଉଚିତ ଯେ, ଏହି ମହତ୍ତ୍ୱ ପୂର୍ଣ୍ଣ ଧାର୍ମିକ ଉତ୍ସଵର ଅର୍ଥ କଣ??
ରାତ୍ରୀ ମାନେ-ରାତି
ନବ ମାନେ – ‘ନଅ’
ତେଣୁ ନବରାତ୍ରୀ(ନଅଟି ରାତି) ରେ ଦେବୀଙ୍କୁ ତିନୋଟି ରୂପରେ ପୂଜା କରାଯାଏ- ଦୁର୍ଗା, ଲକ୍ଷ୍ମୀ ଓ ସରସ୍ବତୀ ଯଦିଓ ଦେବୀ ଏକ, କିନ୍ତୁ ତିନିଟି ଭିନ୍ନ ଆକାରରେ ପ୍ରତିଷ୍ଠିତ ହୋଇଥାନ୍ତି । ପ୍ରଥମ ତିନି ରାତିରେ ଦୁର୍ଗାଙ୍କୁ ପୂଜା କରାଯାଏ ।ପରବର୍ତ୍ତୀ ତିନି ରାତିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଶେଷ ତିନି ରାତିରେ ସରସ୍ବତୀଙ୍କୁ ପୂଜା କରାଯାଏ । ଦଶମ ଦିନଟିକୁ ବିଜୟାଦଶମୀ କୁହାଯାଏ ।
ବିଜୟା ମାନେ ବିଜୟ – ଆମର ମନରେ ଥିବା ଅଶୁଭ ଭାବନା ଗୁଡିକୁ ଜିତିବାର ବିଜୟ ଯେତେବେଳେ ଆମେ ଏହି ତିନୋଟି ଦେବୀଙ୍କୁ – ଦୁର୍ଗା, ଲକ୍ଷ୍ମୀ, ଓ ସରସ୍ବତୀଙ୍କୁ ପୂଜା କରିଥାଉ, ସେତେବେଳେ ଏହି ବିଜୟ ସମ୍ଭବ ହୁଏ ।
ଦୁର୍ଗା – ଶୁଭଗୁଣ ପାଇବାପାଇଁ ମନର ସମସ୍ତ ଅଶୁଭ ବୃତ୍ତିଗୁଡିକୁ ନଷ୍ଟ କରିବାକୁ ପଡେ। ଏହି ବିନାଶର ପ୍ରତୀକୀ ହେଉଛନ୍ତି ଦେବୀ ଦୁର୍ଗା । ଦୁର୍ଗାଙ୍କୁ ଦୁର୍ଗତୀହାରିଣୀ କୁହାଯାଏ -ଅର୍ଥାତ ସେ ଯିଏ ଆମର ଅଶୁଭ ମୁହୂର୍ତ୍ତ ଗୁଡିକୁ ଦୂର କରନ୍ତି । ସେଥିପାଇଁ ତାହାଙ୍କୁ ମହିଷାସୁରମର୍ଦ୍ଦିନୀ କୁହାଯାଏ ।
ମହିଷାସୁର- ମହିଷ (ମହିଷ+ଅସୁର(ଦାନବ)-ଅର୍ଥାତ ମହିଷାସୁରକୁ ଵିଧ୍ଵଂଶ କରିଥିବା ମାଆ ଦୁର୍ଗା ଦେବୀ । ଯେପରିକି ବାହାରେ ମହିଷାସୁର ଥିଲା, ସେପରିକି ଆମର ମନରେ ମଧ୍ୟ ମହିଷ ଭଳି ଅସୁର ବୃତ୍ତି ରହିଛି ।
ଲକ୍ଷ୍ମୀ – ଜ୍ଞାନର ଉଦୟ ହେବା ପାଇଁ, ପ୍ରଥମେ ଆମେ ଆମର ମନକୁ ପ୍ରସ୍ତୁତ କରିବାକୁ ପଡେ। ମନଟି ପବିତ୍ର, ଏକାଗ୍ର, ଏବଂ ସଂକେନ୍ଦ୍ରିକ ହେବା ଦରକାର । ଏହି ମନରେ ପବିତ୍ରତା ଲକ୍ଷ୍ମୀଦେବୀଙ୍କ ଉପାସନା ଦ୍ୱାରା ପ୍ରାପ୍ତ ହୁଏ । ଆଜିର ସମାଜରେ ଆମେ ଲକ୍ଷ୍ମୀଙ୍କୁ ଭାବିଲେ କେବଳ ଧନକୁ- ସୁନା, ଟଙ୍କା, ବିଦେଶୀ ମୁଦ୍ରାକୁ – ମାତ୍ର ଚିନ୍ତା କରୁଛୁ । ଏହି କାରଣରୁ, ଯେତେବେଳେ କେହି ଲକ୍ଷ୍ମୀ ମନ୍ଦିରକୁ ଯାଆନ୍ତି ସେଠାରେ ଭିଡ଼ ଦେଖିବାକୁ ମିଳେ। ସମସ୍ତେ ଲକ୍ଷ୍ମୀ ପୂଜାକୁ କେବଳ ଧନ ସମ୍ପତ୍ତି ପାଇଁ ଭାବନ୍ତି । କିନ୍ତୁ ସତ୍ୟ ସମ୍ପତ୍ତି କଣ ?
ଆମ ପାଖରେ ଯଦି ବହୁତ ଧନ ଥାଏ, କିନ୍ତୁ ଯଦି ଆମର ଆତ୍ମନିୟନ୍ତ୍ରଣ, ସଂଯମ, ଦୟା, ସହାନୁଭୂତି, ସତ୍ୟନିଷ୍ଟା, ସମ୍ମାନ ଆଦି ଗୁଣ ନଥାଏ, ତେବେ ସମସ୍ତ ଧନ -ସମ୍ପତ୍ତି ନଷ୍ଟ ହୋଇଯିବ। ସତ୍ୟ ସମ୍ପତ୍ତି ହେଉଛି ଆଧ୍ୟାତ୍ମିକ ମୁଲ୍ୟ। ଯାହା ଆମେ ଆମ ଜୀବନରେ ଅଭ୍ୟାସ କରିବା ଆବଶ୍ୟକ । ଉପନିଷଦରେ ଋଷିମାନେ କେବେ ମାତ୍ର ଧନ-ସମ୍ପତ୍ତି ପ୍ରାଇଁ ପ୍ରାର୍ଥନା କରି ନଥିଲେ । ଉପନିଷଦର ମନ୍ତ୍ରମାନଙ୍କରେ ସେମାନେ ପ୍ରାର୍ଥନା କରିଥିଲେ -ଆମେ ସମସ୍ତ ସଦଗୁଣରେ ପରିପୂର୍ଣ୍ଣ ହେବାପାଇଁ, ହେ ପ୍ରଭୁ, ଆମକୁ ସଦଗୁଣ ଦିଅ । ଋଷିମାନେ କହିଥିଲେ ଯଦି ଆମେ ସଦଗୁଣ ଓ ନୀତିମୂଲ୍ୟରେ ଶୂନ୍ୟହେବା, ତେବେ ସମସ୍ତ ଧନସମ୍ପତ୍ତି ନଷ୍ଟ ହୋଇଯିବ। ଯେପରି ଆମେ କାହାକୁ ଧନ ଦେବା, କିନ୍ତୁ ସେ ଯଦି ମଦ୍ୟପାନ କରୁଥିବ କିମ୍ବା ମାଦକ ସେବନକାରୀ ହୋଇଥିବ, ତେବେ ସେ ଶୀଘ୍ର ଧନକୁ ନଷ୍ଟ କରିଦେବ ।
ଆମର ସତ୍ୟ ସମ୍ପତ୍ତି ହେଉଛି ଗୁଣମୂଲ୍ୟ । ଏହାକୁ ହିଁ ସତ୍ୟଲକ୍ଷ୍ମୀ କୁହାଯାଏ। ଆଦି ଶଙ୍କରାଚାର୍ଯ୍ୟ ତାଙ୍କ ବିବେକ ଚୂଡ଼ାମଣୀ ଗ୍ରନ୍ଥରେ ଷଟସମ୍ପତ୍ତି ବା ଛଅପ୍ରକାରର ସମ୍ପତ୍ତି (ମନୋନୀଗ୍ରହ, ଇନ୍ଦ୍ରିୟନିଗ୍ରହ, ଉପରତି, ସୃଜନଶୀଳତା, ଶ୍ରଦ୍ଧା, ସମାଧାନ)ବିଷୟରେ କହିଛନ୍ତି । ଏହି ସଦଗୁଣ ଗୁଡିକ ଆବଶ୍ୟକ, କାରଣ ଆମର ଲକ୍ଷ୍ୟ ହେଉଛି ମନୋବିଜୟ – ଏକ ବିଜୟ ଯେଉଁଥିରେ ଆମେ ଆମ ଜୀବନରେ ଯେଉଁ ପରିବର୍ତ୍ତନ ଆସେ, ତହିଁରେ ବିଚଳିତ ହେବା ନାହିଁ । ସେଇ ସତ୍ୟ ବିଜୟ କେବଳ ସଦଗୁଣର ଅଭ୍ୟାସରେ ଆସେ ।
ସରସ୍ବତୀ – ମନକୁ ଜିତିବା କେବଳ ଜ୍ଞାନ ଓ ବୁଝିବା ଦ୍ୱାରା ସମ୍ଭବ। ଏହି ଶ୍ରେଷ୍ଠ ଜ୍ଞାନର ପ୍ରତୀକୀ ଦେବୀ ସରସ୍ବତୀ । ବେଦରେ ଆନେକ ପ୍ରକାରର ଜ୍ଞାନ ବର୍ଣ୍ଣିତ ହୋଇଛି -ଶିକ୍ଷାଶାସ୍ତ୍ର, ଭୂଗୋଳ, ଧନୁର୍ବିଦ୍ୟା, ଅର୍ଥଶାସ୍ତ୍ର ଇତ୍ୟାଦି । କିନ୍ତୁ ସେ ସବୁଠାରୁ ଶ୍ରେଷ୍ଠ ହେଉଛି ଆଧ୍ୟାତ୍ମିକ ଜ୍ଞାନ । ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି – ଆତ୍ମଜ୍ଞାନ ହେଉଛି ସର୍ବୋଚ୍ଚ ଜ୍ଞାନ, ଏହାମୋର ମହିମା । ସମସ୍ତ ବିଷୟରେ ଜ୍ଞାନ ରହିଥିଲେ ମଧ୍ୟ ଯଦି ନିଜକୁ ଜାଣିନାହୁଁ ତେବେ ସେଥିରେ କୌଣସି ମହତ୍ତ୍ୱ ନାହିଁ । ସେଥିପାଇଁ ସର୍ବୋଚ୍ଚ ଜ୍ଞାନର ପ୍ରତୀକୀ ଦେବୀ ସରସ୍ବତୀ ।
ନବରାତ୍ରିରେ ପ୍ରଥମେ ମା ଦୁର୍ଗାଙ୍କୁ ମନର ଅଶୁଦ୍ଧି ଦୂର କରିବା ପାଇଁ ପୂଜା କରାଯାଏ । ପରେ ମା ଲକ୍ଷ୍ମୀଙ୍କୁ ସଦଗୁଣ ଓ ନୀତିମୂଲ୍ୟ ସ୍ଥାପନ ପାଇଁ ଆହ୍ୱାନ କରାଯାଏ । ଶେଷରେ ମା ସରସ୍ବତୀଙ୍କୁ ଆହ୍ୱାନ କରାଯାଏ ସର୍ବୋଚ୍ଚ ଜ୍ଞାନ (ଆତ୍ମଜ୍ଞାନ) ପାଇଁ । ଏହି ତିନୋଟି ପର୍ଯ୍ୟାୟ ସଫଳ ହେଲେ ବିଜୟାଦଶାମୀ ଦିନ ବିଜୟ ଲାଭ ହୋଇଥାଏ । ନବରାତ୍ରିରେ ରାସନୃତ୍ୟ (ଶ୍ରୀକୃଷ୍ଣ ଗୋପୀମାନଙ୍କ ନୃତ୍ୟ) ମଧ୍ୟ ପାଳନ କରାଯାଏ । ଏହା ଆନନ୍ଦର ପ୍ରତୀକ। ଯାହା ଆତ୍ମଜ୍ଞାନର ଆନନ୍ଦ। ପୂର୍ବେ ଏହି ଅର୍ଥରେ ରାସ ପାଳନ ହେଉଥିଲା । କିନ୍ତୁ ଆଜିର ସମାଜରେ ସେଇ ଗୁଡିକ ମଣିଷ ଭୁଲିଗଲା, ଏବଂ ମାତ୍ର ସାଧାରଣ ନୃତ୍ୟକୁ ଅଧିକ ମହତ୍ତ୍ୱ ଦେଲେ ।
ଅବଶେଷରେ ନବରାତ୍ରୀ ଦିନରେ ନୁହେଁ ରାତିରେ କାହିଁକି ପାଳନ ହୋଇଥାଏ – ରାତି ସମୟ ହେଉଛି ନିଦ୍ରାର ସମୟ । ସେଥିରୁ ଆଧ୍ୟାତ୍ମିକ ସନ୍ଦେଶ ହେଉଛି – ତୁମେ ବହୁତ ଦିନ ଧରି ଅଜ୍ଞାନ (ତମୋଗୁଣ) ମଧ୍ୟରେ ରହୁଛ, ଏବେ ଉଠ ! ଜାଗ୍ରତ ହୁଅ ।
