ସନ୍ଧ୍ୟା ସମୟ ! କେନାଲର ପିଚୁ ରାସ୍ତାରେ ଲୋକମାଙ୍କର ଯାତାୟତ ପ୍ରାୟ ବନ୍ଦ ହେଇ ଗଲାଣି | ନିଛାଟିଆ ରାସ୍ତା କୁଆଡେ କେହି ନାହାନ୍ତି ସବୁଆଡେ ଶୂନ୍ୟତାର ତାଣ୍ଡବ | ମଝିରେ ମଝିରେ ବିଲୁଆମାନଙ୍କର ହୁକେ ହୋ ହୁକେ ହୋ.. ର ବିକଟାଳ ଶବ୍ଦ |ଗୋଟିଏ ସିମେଣ୍ଟ ତିଆରି ପୋଲ ଉପରେ ବସି ମନୋଜ ଅନ୍ୟମନସ୍କ ଭାବରେ ଚାହିଁଥିଲା ରାସ୍ତାକୁ |ଯେମିତି ଗୋଟିଏ ମୁହୂର୍ତ ଭିତରେ ସବୁକିଛି ପରିବର୍ତ୍ତନ ହୋଇ ଯାଇଥିଲା ତାର ଅତୀତ ଓ ବର୍ତମାନ | ପକ୍ଷୀମାନଙ୍କର ଆଉ କୋଳାହଳ ଶୁଭୁନାହିଁ | ପଶ୍ଚିମ ଆକାଶର ଅସ୍ତକାଳୀନ ସୂର୍ଯ୍ୟଙ୍କ କିରଣ ପୃଥିବୀର ଛାତିରୁ ଅପସରି ଗଲାଣି କେତେ ବେଳୁ ମନୋଜର ଚେତା ନାହିଁ |
କିନ୍ତୁ , ଏ କ’ଣ? ସନ୍ଧ୍ୟା ସମୟରେ ତ ତାକୁ ଘରକୁ ଫେରିବାର ଥିଲା | ସନ୍ଧ୍ୟା ଆଳତୀ ପରେ ଦୀପ ଆଲୁଅରେ ଭାଗବତ ପାଠ କରିବାକୁ ପଡିବ | ତାର ହୃଦୟର କକ୍ଷରେ ଯେପରି ଅମାବାସ୍ୟାର ଅନ୍ଧକାର ଘୋଟି ଯାଇଛି | ସେହି ଗହନ ଅନ୍ଧକାରରୁ ଗୋଟିଏ ଅସୁର ପ୍ରକଟ ହୋଇ ତାକୁ ଡରେଇବାକୁ ଆରମ୍ଭ କରୁଛି | ସେ ଭୟରେ ଥରିବାକୁ ଲାଗିଲା | ପୋଲ ଉପରୁ ତଳକୁ ପଡୁ ପଡୁ ଅଳ୍ପକେ ବଞ୍ଚିଗଲା | ତା ଦେହରୁ ଗମ ଗମ ହୋଇ ଝାଳ ବାହାରୁ ଥାଏ ଭୟରେ | ଏ କଣ? ମରିବା ପାଇଁ ଆସିଥିବା ମଣିଷଟା ମୃତ୍ୟୁକୁ ଭୟ କରୁଛି | ନିଜକୁ ପ୍ରକୃତିସ୍ଥିତ କରିବାକୁ ଚେଷ୍ଟା କଲା ମନୋଜ | ଶରୀରର ସମସ୍ତ ସାହସକୁ ଏକଜୁଟ କରି ମନ ଭିତରେ ଦୃଢ଼ ପ୍ରତିଜ୍ଞା କଲା -“ଯେତେ ନିନ୍ଦା ଅପବାଦ ସମାଜ ଦେଲେ ମଧ୍ୟ ତାକୁ ସବୁ ସହ୍ୟ କରିବ ମୁଣ୍ଡ ପାତି | ତାର ପାପ ତାକୁ ହିଁ ପ୍ରାୟଶ୍ଚିତ କରିବାକୁ ପଢିବ | ଏତେ ସରଳ ଭାବରେ ତାକୁ ମୃତ୍ୟୁ ଆସିପାରିବ ନାହିଁ | ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ ବରଂ ଅନ୍ୟ ଏକ ସମସ୍ୟା |”
ସେ ଆତ୍ମହତ୍ୟା ମହାପାପ ବୋଲି ଅନେକ ପିଲାଙ୍କୁ ବୁଝାଇଛି ଶିକ୍ଷାଦେଲା ବେଳେ | ହେଲେ ଆଜି ସେ ଗୋଟାଏ ପାପକୁ ଲୁଚାଇବା ପାଇଁ ଅନ୍ୟ ଗୋଟାଏ ମହାପାପ କରିବାକୁ ଯାଉଥିଲା | ନା ସେ ଏପରି ଅନ୍ୟାୟ କରିପାରିବନି ଅନ୍ୟମାନଙ୍କ ପ୍ରତି | ସଂସାରରେ ମଣିଷ ନିଜ ପାଇଁ ବଞ୍ଚେ ନାହିଁ ;ବଞ୍ଚେ ଅନ୍ୟମାନଙ୍କ ପାଇଁ | ତାକୁ ବଞ୍ଚି ରହିବାକୁ ପଡେ ପରିବାର ଓ ସମାଜହିତ ପାଇଁ | ପିତା-ମାତାଙ୍କ ଆର୍ଶୀବାଦରେ ସେ ସୁଖୀ ହୁଏ, ତା’ର ସମସ୍ତ ବିପଦ ଦୁରେଇ ମତେ ଯିବାକୁ ପଡିବ ମୋ ଜନକ ପାଖକୁ ତାଙ୍କ ପାଦଧରି ମତେ କ୍ଷମା ମାଗିବାକୁ ପଡିବ | ସାହସର ସହ କାମ କରିବାକୁ ପଡିବ |ସେ ଉଠି ଘରକୁ ଯିବା ପାଇଁ ପ୍ରସ୍ତୁତ ହେଲା | କେନାଲ ରାସ୍ତା ଉପରେ ସେ ଧିରେ ଧିରେ ଅନ୍ୟମନସ୍କ ଭାବରେ ଚାଲୁଛି | ତୁହାଇ ତୁହାଇ ମନେ ପଡୁଛି ବାପାଙ୍କ କଥା | ଏହି ଅଳ୍ପ ସମୟ ତଳେ ଯେଉଁ ନାଟିକାଟି ମୁଁ ସୃଷ୍ଟି କରି ଆସିଲି ସେ କଣ ସତ !
ହେ ନାରାୟଣ!!! ସତ ହେଲେ ମଧ୍ୟ ମୁଁ ବିଶ୍ୱାସ କରିବାକୁ ଚାହେଁନି ଏପରି ସତ୍ୟକୁ | ବାପା କ୍ଷମା କରିବେ ତ ମତେ | ଏଭଳି ଭୁଲ ତ କ୍ଷମା ନାହିଁ;ତଥାପି ଚେଷ୍ଟା କଲେ ଅସୁବିଧା କଣ? ହୁଏତ ବାପାଙ୍କ ମନ ତରଳି ଯାଇପାରେ ପୁତ୍ର ସେହ୍ନରେ | ‘ବାପା’ ଡାକିବାର ଅଧିକାର ହରାଇ ବସିଛି ଏହି ଅଳ୍ପ ସମୟ ପୂର୍ବରୁ | କେଉଁ ମୁହଁ ନେଇ ତାଙ୍କୁ କହିବି ଯେ -“ମତେ କ୍ଷମା କରିଦିଅ ବାପା, ମୁଁ ଏପରି ଭୁଲ ଆଉ ଜୀବନରେ କରିବିନି ବୋଲି “|
ମନେ ପଡିଗଲା ଅଳ୍ପ ସମୟ ପୂର୍ବରୁ ଘଟିଥିବା ନାଟକଟି, ଯେଉଁ ନାଟକଟିର ମୁଁ ଥିଲି ମୂଳ ସୂତ୍ରଧର | ଆଜି ମୋର ଜିଦ ପାଇଁ ଘରେ ଭାଗବତର ଜନ୍ମ ଉତ୍ସବର ଆୟୋଜନ ହେଉଛି ଭାଦ୍ରବ ମାସ ପୂର୍ଣିମା ଦିନ | ଘରେ ଭାଗବତ ଜନ୍ମ ପୂଜା ପାଇଁ ବିଭିନ୍ନ ପ୍ରକାର ଉପକରଣ ସଜାଡ଼ିବାରେ ମୁଁ ବୋଉକୁ ସାହାର୍ଯ୍ୟ କରୁଥିଲି | ବୋଉ ଏକୁଟିଆ ଲୋକ କେତେ ବା କାମ କରିବ | ସବୁବେଳେ ନହେଲେ ପୂଜା ପାର୍ବଣରେ ମୁଁ ବୋଉକୁ ସହାୟତା କରେ ତା କାମରେ | ସକାଳ ସାତଟାରେ ବ୍ରାହ୍ମଣ ଆସି ଆମ ଘରର ହୋମ ସାରିଦେଇ ଗଲେଣି, ମୁଁ ଭାଗବତ ପଢ଼ାରେ ମନ ଦେଇ ଥାଏ | ଯଥା:-
“ଯେ ହେବ ଆତ୍ମାର ବଇରୀ |
ଗୁରୁ ବ୍ରାହ୍ମଣ ହେଲେ ମାରି ||”
ହଠାତ ବାହାରୁ କାହାର ପାଟିତୁଣ୍ଡ ଶୁଣାଗଲା, ବୋଧ ହୁଏ ବୋଉର | ଆଜି ଭଳି ଦିନରେ ବୋଉ ଝଗଡା କଲା ପରି ପାଟି କରୁଛି କାହା ସହ | ଭାଗବତ ପାଠ ଛାଡି ଉଠିଲି, ଯାଇ ଦେଖେତ କଥା କଣ? ବାପା-ବୋଉ ଗାଁ ଦାଣ୍ଡରେ ଏତେ ଜୋରରେ କଳି କରୁଛନ୍ତି | ଗାଁର ସମସ୍ତ ଲୋକ ତାଙ୍କୁ ଘେରି ରହିଛନ୍ତି | ଏହି ପାଟିତୁଣ୍ଡ ଅଧିକରୁ ଅଧିକତର ହେବାକୁ ଲାଗିଲା | ଆଜି ବୋଉର ହେଇଛି କଣ? ସେ ତ ସବୁଦିନ ବାପାଙ୍କର ଅନ୍ୟାୟ ଅତ୍ୟାଚାରକୁ ଆଖି ବନ୍ଦକରି ସହି ଆସୁଥିଲା | ଆଜି ସେହିପରି ସହିଯାଇଥାନ୍ତା | କାହିଁକି ପ୍ରତିବାଦ କରୁଥିଲା କେଜାଣି ?
ବାପାଙ୍କର ମଦ୍ୟପାନ କଥାକୁ ନେଇ ମୁଁ ବିରକ୍ତି ପ୍ରକାଶ କଲେ ସେ ମତେ ଥରେ ନୁହେଁ ଅନେକ ଥର ବୁଝାଇ କହିଛି -“ପିତା ସ୍ବର୍ଗ ପିତା ଧର୍ମ ପିତା ହିଁ ପରମ ତପଃ ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା ।” ଆଉ ତ ବାପା ହେଉଛନ୍ତି ମୋ ପାଇଁ ଇହକାଳ ଓ ପରକାଳର ଦେବତା | ଏ ବିବାହ ବନ୍ଧନ ଆମର ଗୋଟିଏ ଜନ୍ମର ନୁହେଁରେ ମନୋଜ ସାତ ଜନ୍ମର | ତୋ ବାପା ମଦ୍ୟପ ହୋଇପାରନ୍ତି ମନୋଜ କିନ୍ତୁ; ସେ ତାଙ୍କ ବାପା-ମାଆଙ୍କ ସହିତ କେବେ ଖରାପ ବ୍ୟବହାର କରି ନାହାନ୍ତି | ଖବରଦାର ତୁ ବି ତାଙ୍କ ସହ ଯେମିତି ଖରାପ ବ୍ୟବହାର ନ କରୁ ମନେରଖ | ପରନ୍ତୁ ବୋଉ ଆଜି ଏଭଳି ବ୍ୟବହାରରୁ ଜାଣିଗଲି କିଛି ନା କିଛି ଗୋଟାଏ ବଡ ଅଘଟଣ ଘଟିଥିବ ନିଶ୍ଚୟ | ସବୁ ପରେ ମୁଁ ସେମାନଙ୍କର ପୁଅ | ତାଙ୍କର ସୁଖଦୁଃଖ ହାନିଲାଭ ଭବିଷ୍ୟତରେ ମତେ ବୁଝିବାକୁ ପଡିବ | ଏ ହେଉଛି ପରୀକ୍ଷା ପୂର୍ଵ ପ୍ରସ୍ତୁତିର ସମୟ ମତେ ସତର୍କତା ସହିତ କାମ ତୁଲାଇବାକୁ ପଡିବ | ମୁଁ ସ୍ଥିର କଲି ଘର କଳି ଦାଣ୍ଡରେ ପଡି ହାଟରେ ଗଡ଼ିବା ଅପେକ୍ଷା ଘରେ ନିଜସ୍ୱ ସମାଧାନ ହେଇଯିବା ଯଥେଷ୍ଟ ଭଲ | ବୋଉକୁ ମୋ ରାଣ ନିୟମ ପକାଇ ତାର ପାଟି ବନ୍ଦ କରିଦେଲି ସେ ତାର କାମରେ ଲାଗିଲାଣି | ହେଲେ ମୋ ମନ୍ତ୍ରଟା ବାପାଙ୍କ ଉପରେ କାଟୁ କଲା ନାହିଁ | ତାର କାରଣ ସେ ସବୁ ଦିନ ଅପେକ୍ଷା ଆଜି ଖୁବ ଅଧିକ ମଦ୍ୟପାନ କରିଛନ୍ତି | ସେ ବା କଣ କରିବେ ଖରାପ ଅଭ୍ୟାସରେ ପଡି ଯାଇଛନ୍ତି | ସବୁ ପରେ ବି ସେ ମୋ ବାପା ମୁଁ ତାଙ୍କ ପୁଅ ଏଇଟା ହେଲା ସତ | ଯାହା କହିବେ କୁହନ୍ତୁ ଶୁଣିଦେଵି ଚୁପଚାପ ହୋଇ |
ବାପାଙ୍କର ବାମ ହାତକୁ ମୋ କନ୍ଧ ଉପରେ ରଖି ତାଙ୍କୁ ଧୀରେ ଧୀରେ ଘର ଏରୁଣ୍ଡିବନ୍ଦ ଡେଇଁ ବାରଣ୍ଡାରେ କାଠିସପ ଉପରେ ତାଙ୍କୁ ଶୋଆଇ ଦେଲି | ତଥାପି ତାଙ୍କର ଗାଳି ବର୍ଷା ହେଉଥାଏ ମୋ ଉପରେ | ଆସ୍ତେ ଆସ୍ତେ ବାପାଙ୍କର କଣ୍ଠସ୍ୱର ଅସ୍ପଷ୍ଟରୁ ଅସ୍ପଷ୍ଟତର ହୋଇ ମିଳାଇ ଗଲା ଚାରି କାନ୍ଥ ମଧ୍ୟରେ | ମୁଁ ବାପାଙ୍କ ପାଖକୁ ଗଲି ଯାଇ ତାଙ୍କର ଶାନ୍ତ ମୁହଁଟିକୁ ନିରୀକ୍ଷଣ କରି ଦେଖିବାକୁ ଚେଷ୍ଟା କଲି | କେତେ ଶାନ୍ତ ତାଙ୍କର ମୁହଁ, କେତେ ନିରୀହ ତାଙ୍କର ଯୋଡ଼ାଏ ଆଖି | ସେ ଆଖିରେ ଥାଏ ଅନେକ ସ୍ବପ୍ନ | ମନ ମୋର ବଡହେବ, ଚାକିରୀ କରିବ ଓ ଦଶ ଜଣକରେ ଜଣେ ହେବ | ତାପରେ ଖାଲି ଖୁସି ଆଉ ଖୁସି | ମୁଁ କଳ୍ପନା ରାଜ୍ୟରେ ବୁଡି ଯାଇଥାଏ ବାପାଙ୍କ ଆଖିରେ | ହଠାତ ବୋଉର ଡାକରେ ମୋର କଳ୍ପନା ଭାଙ୍ଗିଗଲା | ମୁଁ ସଚେତନ ହୋଇ ସାରିଥିଲି ସେତେ ବେଳକୁ ବୋଉର ଫୁଣି କଣ ହେଲା, ସେ ମତେ କାହିଁକି ଡାକୁଛି | ବାଧ୍ୟ ଶିଶୁ ପରି ମୁଁ ଯାଇ ତା ପାଖରେ ଛିଡା ହେଲି | ସେ ମତେ ତାଗିଦ କଲାଭଳି କଣ୍ଠରେ କହିଲା -ବାପା ଶୋଇଲେଣି ତ “|ମୁଁ କହିଲି -ହଁ | ତାପରେ ମୁହୂର୍ତକ ଭିତରେ ତାଙ୍କ କଣ୍ଠସ୍ୱରରେ ବଡ ପରିବର୍ତ୍ତନ ମୁଁ ଲକ୍ଷ୍ୟ କଲି | ଏହି ଅଳ୍ପ ସମୟ ପୂର୍ବରୁ ଯାହାକୁ ମୁଁ କାନ୍ତାୟନୀ ରୂପେ ଦେଖି ଥିଲି ସେ ବର୍ତ୍ତମାନ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା ହୋଇ ମୋ ପାଇଁ ଖାଇବା ସଜାଡି ମତେ ଖାଇବାକୁ କହୁଛି | କେତେ କରୁଣ ସେ କଣ୍ଠସ୍ୱର | ସେଥିରେ ମିଶି ରହିଛି ସେହ୍ନ ଆଉ ଯନ୍ତ୍ରଣା ଭାବ |
ଅନୁଭବ କରିପାରୁଛି ସେ କଷ୍ଟକୁ କିନ୍ତୁ; ମୁଁ ନିରୁପାୟ ସେ ଯନ୍ତ୍ରଣାକୁ ଲାଘବ କରିବାର ଶକ୍ତି ବା ସାମର୍ଥ୍ୟ ମୋର ନାହିଁ | ଖାଇବା ପାଇଁ ବସିଗଲି ମୋ ପରିଚିତ ସ୍ଥାନରେ | ଖାଇବା ପର୍ଯ୍ୟାୟ ସରିଲା | ଆହତ ମନ ସାଙ୍ଗକୁ ଭଙ୍ଗା ଶରୀରର ଯନ୍ତ୍ରଣା ଅଧିକ ହୋଇଯାଇଛି | ଟିକିଏ ବିଶ୍ରାମ ନେବାକୁ ହେବ ବୋଲି ଭାବି ଶେଯ ଧରିଲି | ଆଖି ମୋଦିତ କରି ଦେଲେ ମଧ୍ୟ ଭାବନାର ଅନ୍ତ ନଥାଏ | କେତେ ଏଣୁ ତେଣୁ କଥା ଭାବିଲି | ମୋ ପରିବାରର ଏପରି ପରିସ୍ଥିତି ପାଇଁ ଦାୟୀ କିଏ? ମୋ ଭବିଷ୍ୟତ ଅନ୍ଧକାର ହୋଇଯିବ କାହାପାଇଁ? ସବୁ ପ୍ରଶ୍ନର ଗୋଟିଏ ଉତ୍ତର -ମଦ | କିଏ ଜଣେ ପଣ୍ଡିତ ଏହି ମଦ ସମ୍ବନ୍ଧରେ ଗୋଟିଏ ରୋଚକ ତଥ୍ୟ ଦେଇଥିଲେ -‘ମ ‘ରେ ମରିବ ‘ଦ ‘ରେ ଦରିଦ୍ର ଅର୍ଥାତ ‘ମଦ’ ହେଉଛି ମୃତ୍ୟୁର ଦ୍ୱାରଦେଶ ଏବଂ ଦରିଦ୍ରତାର ଚରମସୀମା | ବାପା ତାହାଲେ ଟଙ୍କା ଦେଇ ମୃତ୍ୟୁକୁ କିଣୁଛନ୍ତି | ସେ କଣ ଜାଣି ନାହାନ୍ତି ତାଙ୍କର ବର୍ତ୍ତମାନ ପରିବାରରେ ଭୂମିକା କଣ? ଯଦି ସେ ଚାଲିଯାଆନ୍ତି ଏ ସଂସାର ସାଗରରେ ତାଙ୍କ ପରିବାର ନାବଟା ବୁଡ଼ିଯିବ ବୋଲି | ବୋଉ ଅନେକ ଥର ବାପାଙ୍କୁ ବୁଝାଇବାକୁ ଯାଇ ବିଫଳ ହେଇଛି |ପ୍ରତିବଦଳରେ ତାଙ୍କୁ ମିଳିଛି ଅନେକ ମାଡ଼ ଓ ଗାଳି | ଏହା ଭିତରେ ମୋ ଅଜାଣତରେ ଛାଇ ନିଦ ଲାଗିଗଲାଣି |
ବର୍ତ୍ତମାନ ମୁଁ ବି ଆସି ସାହି ବରଗଛ ପାଖରେ ପହଂଚିଗଲିଣି | ଆଉ ଡାକେ ବାଟ ପରେ ମୋ ଘର ପଡିବ | ଏହି ଗଛ ମୂଳରେ କୁଆଡେ ପିତାଶୁଣି ତାର ପିଲାକୁ ଶେକେ ନିଆଁରେ ପୁଣି ରାତି ଅଧିକ ହେଲେ | ଗାଁ ଲୋକଙ୍କ କହିବା କଥା ସେ ସମୟରେ ତାର ସାମ୍ନାରେ ଯିଏ ପଡିବ ତାର ମୃତ୍ୟୁ ସୁନିଶ୍ଚିତ | ମୋର ସେଥିପାଇଁ ଭୟ ନାହିଁ ;କାହିଁକି ମୁଁ ବି ତ ଗୋଟେ ଜିଅନ୍ତା ଶବ | ମତେ ମାରିଲେ ତାର ଲାଭ କଣ? ହଠାତ ବାପାଙ୍କର ଅଭଦ୍ର ଶବ୍ଦ ଶୁଣି ମୋର ନିଦ ଭାଙ୍ଗିଗଲା, ସେ ବୋଉର ପୂର୍ବପୁରୁଷମାନଙ୍କ ନାଁରେ ଢେରସାରା ଅପଶବ୍ଦ ବ୍ୟବହାର କରୁଛନ୍ତି | ଉଠି ବିଛଣାରେ କିଛି ସମୟ ବସିଲା ପରେ ମୁଁ ଚିନ୍ତା କଲି ବାପାଙ୍କୁ ମନାକରିବି ଏସବୁ କହିବା ପାଇଁ | ସେ କଣ ଶୁଣିବେ ମୋ କଥା? ନିଶ୍ଚୟ ଶୁଣିବାକୁ ହେବ ତାଙ୍କୁ… ।
ମନ ଭିତରେ ସାହସ ଏକତ୍ରିତ କରି ପହଂଚିଲି ତାଙ୍କ ପାଖରେ | ସେ ଖାଇବା ପାଇଁ ବସିଥାନ୍ତି, ପାଖରେ ବି ବୋଉ ଥାଏ | କିଛି କହୁ ନଥାଏ | ଆଖିରେ ତାର ଢଳ ଢଳ ଲୁହ ଛାତିରେ ଅନେକ କୁହ | ମୁଁ ସେଦିନ ବୁଝିଗଲି ମଣିଷ ପାଟି ଖୋଲି ନକହିଲେ ମଧ୍ୟ ଆଖିରେ କହିଦିଏ ଅନେକ କିଛି । ସେଦିନ ଅନୁଭବ କଲି ଗୋଟିଏ ନାରୀର ଯନ୍ତ୍ରଣା | ସେଦିନ ମୋ ସାମ୍ନାରେ ଦୁଇଟି ବଳିଷ୍ଠ ଚରିତ୍ର | ଜଣେ ସମାଜରେ ଅବହେଳିତ ନାରୀ ଓ ଅନ୍ୟଜଣେ ଅତ୍ୟାଚାରି ପୁରୁଷ | ବାପାଙ୍କର ପ୍ରତିଛବି ମିଳାଇ ଗଲାଣି କେତେବେଳୁ ମୋ ମନ ଭିତରୁ | ରାଗ ମୋର ଦୁଇଗୁଣିତ ହେବାକୁ ଲାଗିଲା, ରାଗ ପରିବର୍ତ୍ତିତ ହେବାକୁ ଲାଗିଲା କ୍ରୋଧରେ, କ୍ରୋଧରୁ ସମ୍ଭୁତ ହେଲା ହିଂସା | ମୁଁ ପାଲଟି ଗଲି ଗୋଟିଏ ହିଂସ୍ର ପଶୁ | ମୋର ଜ୍ଞାନ ଲୋପ ପାଇ ସାରି ଥିଲା କେତେବେଳୁ | ବୋଧହୁଏ ମୁଁ ଆଉ ନିଜ ଆୟତ୍ତ ନଥିଲି | ହଠାତ ହାତ ଉଠିଗଲା ବାପାଙ୍କ ଉପରେ ମୋ ଅଜାଣତରେ | ସବୁ ସରିଗଲା… ଯେପରି ଶୂନ୍ୟ ମହାଶୂନ୍ୟ | ବାପାଙ୍କ ହାତରେ ଭାତଗୁଣ୍ଡାଟା ଅଧାଶୂନ୍ୟରେ ରହିଗଲା | ସେ ଆଉ ମତେ କିଛି କହିଲେ ନାହିଁ, ଜଡ ପାଲଟି ଗଲେ କିଛି ସମୟ ପାଇଁ | ସେ ଜଡ଼ ମଣିଷଟା ଭିତରୁ ଟିକିଏ ଚେତନାର ଆଭାସ ମିଳିଲା | ତାଙ୍କ ଆଖିରୁ ଅଶ୍ରୁ ବିନ୍ଦୁ ବିନ୍ଦୁ ଝରି ପଡିଲା ଭାତ ଥାଳିକୁ | ତାଙ୍କୁ କାନ୍ଦିବାର କେବେବି କେହି ଦେଖି ନାହାନ୍ତି |ସେ ଯାହା ସ୍ବପ୍ନରେ ଭାବି ନଥିଲେ ତାହା ଆଜି ସତରେ ପରିଣତି ହୋଇ ଯାଇଛି | ଏପଟରୁ ବୋଉ କାଳିସୀ ଲାଗିଲା ପରି ନାଟକୀୟ ଭଙ୍ଗୀରେ ଆସି ଉଭା ହେଲା ମୋ ସାମ୍ନାରେ | ତା’ର ଏପରି ରୂପ ଆଗରୁ କେବେ ଦେଖି ନଥିଲି | ସତେ ଯେପରି ମତେ କଞ୍ଚା ଖାଇଯିବ ଗୋଟାମତେ | କିଛି କହିବା ପୂର୍ବରୁ ମୋ ଗାଲରେ ଶକ୍ତ ଚାପୁଡ଼ା ବସି ସାରି ଥିଲା |
ଉତ୍ତେଜନା ଭରା କଣ୍ଠରେ ସେ କହିଲା -“ତୋ ପରି ପୁଅ ମୋର ଦରକାର ନାହିଁ, ଯଥାଶୀଘ୍ର ମୋ ଆଖି ସାମ୍ନାରୁ କୁଆଡେ ଦୂରେଇ ଯା… ବର୍ତ୍ତମାନ | ” ଏ କଥାରୁ ବୁଝିଗଲି ଘରେ ଆଉ ମୋ ପାଇଁ ସ୍ଥାନ ନାହିଁ | ଯେଉଁ ପୁଅ ବାପାମାଆଙ୍କର ହେଲା ନାହିଁ, ତାହାର ଏ ସମାଜରେ ବଞ୍ଚିରହିବାର କୌଣସି ଅଧିକାର ନାହିଁ | ସବୁ କଥା ଆଖି ଆଗରେ ରଖି ବିଚାର କଲି ମୃତ୍ୟୁ ହେଲା ମୋ ପାଇଁ ଶେଷ ଠିକଣା | ମରିବା ପାଇଁ ଆସି ଥିଲି ସେ କାର୍ଯ୍ୟ ବି ଅଧାରେ ରହିଗଲା | ଏହି କଥା ଭାବି ଭାବି ଏହା ଭିତରେ ଆସି ପହଂଚିଗଲିଣି ଆମ ତାଟି ପାଖରେ |ଆସ୍ତେ ଆସ୍ତେ ତାଟି ଖୋଲି ଘରର ଏରୁଣ୍ଡି ବାହାର ପାଖରେ ଛିଡା ହେଲି | ସେତେବେଳକୁ ରାତି ନଅଟା | ସବୁଆଡେ ଶାନ୍ତିର ବାର୍ତ୍ତାବରଣ | ଦିନର କୋଳାହଳ ଠାରୁ ରାତିର ଶାନ୍ତ ପରିବେଶ ଅଧିକ ଯନ୍ତ୍ରଣା ଦେଉଛି ହୃଦୟକୁ | ଅନାଥର ଭ୍ରମ ସୃଷ୍ଟି କରୁଛି ମନ | ସେ ନୀରବତାକୁ ଦୂରକରି ଡାକିଲି ବୋଉ! ଏ ବୋଉ!!..
କିଛି ମୁହୂର୍ତ ଭିତରେ ବୋଉ ଆସି କବାଟ ଖୋଲି କହିଲା – ତୋ ମୋବାଇଲ କାହିଁକି ବନ୍ଦ ଅଛି, କଲ କଲା ବେଳକୁ ଲାଗୁନଥିଲା | ମୁଁ କିଛି କହୁ ନଥାଏ କେବଳ ତାକୁ ଚାହିଁ ରହିଥିଲି | ଦେଖିଲି ପୂର୍ବରାଗ ଆଉ ନାହିଁ ସବୁ ସାଧାରଣ ହୋଇଯାଇଛି | ‘ବାପା’ ବୋଲି ମୁଁ କହିଲାରୁ ସେ ତାର ପ୍ରତିଉତ୍ତରରେ କହିଲା ଏପ୍ରର୍ଯ୍ୟନ୍ତ ଆସିନାହାନ୍ତି | କେତେବେଳେ ଆସିବେ କିଛି କହିଛନ୍ତି | ନାଁ ସେମିତି କିଛି କହି ନାହାନ୍ତି | ସେକଥାର ଖିଅ ଛିଣ୍ଡାଇ ବୋଉ କହିଲା -ଖାଇବୁ ଆ ନହେଲେ ଭାତ ଥଣ୍ଡା ହୋଇଯିବ | ମୁଁ କହିଲି ବାହାରୁ ଖାଇ କରି ଆସିଛି | ମିଛରେ ଶୋଇବାର ଅଭିନୟ କଲି | କିଛି ସମୟ ପରେ ବାପା ଆସିଲେ ବୋଲି ଜାଣି ପାରୁଥାଏ କମଳ ଭିତରୁ | ବାପା ଆସି ପଚାରିଲେ ପୁଅ କୁଆଡେ ଗଲାକି | ବୋଉ ଉତ୍ତର ଦେଲା -ଶୋଇ ଗଲାଣି | ବାପା ଫୁଣି ପଚାରିଲେ ଖାଇଛି ତ | ଏତକ ଶୁଣି ଆଖି ଆଉ ବୋଲ ମାନିଲାନି ବ ର୍ଷି ଗ ଲା ନିଛାଟିଆ ବର୍ଷା | ଆଖି ସହିତ ମନବି ଓଦା ହେଇଗଲାଣି ଆପଣା ଛାଏ | ବୋଉ କହିଲା ସେ ଖାଇନାହିଁ | ବାପା ପାଖକୁ ଆସି ମୋ ଉପରୁ କମଳ କାଢି ତାଙ୍କର ପଥର ପରି ବିଣ୍ଡି ବସିଥିବା ହାତ ମୋ ମୁଣ୍ଡ ଉପରେ ରଖିଲେ | ମୁଁ ଚଟକିଣା ଉଠି ତାଙ୍କ ପାଦ ଧରି କ୍ଷମା ପ୍ରାର୍ଥନା କଲି | ଆଖିର ଜଳରେ ତାଙ୍କର ପଦ ଧୋଇଦେବି ବୋଲି ଭାବିଲି | ହେଲେ ସେ ମତେ ସେତିକି କରିବାର ସୁଯୋଗରୁ ବଂଚିତ କରି ମତେ କହିଲେ -ମୁଁ ତତେ କ୍ଷମା କରି ସାରିଲିନି ଅନେକ ସମୟରୁ କେବଳ ଅଭିନୟ କରିବାଟା ବାକିଥିଲା ସେ ବି ସରିଗଲା | ଆ ବାପ ପୁଅ ମିଶିକି ଖାଇବା | ସେ ଏମିତି ଜୀବନ୍ତ ଅଭିନୟ କରି ପାରନ୍ତି ବୋଲି ମୁଁ ସେଦିନ ଜାଣିଲି | ଯେମିତି କିଛି ବି ହୋଇନାହିଁ | ମତେ ତାଙ୍କ କୁଳକୁ ଟାଣି ନେଇ ଅତି ନମ୍ରସ୍ୱରରେ ମତେ କଥା ଦେଲେ – ମଦ୍ୟପାନ କରି ଏପରି ବ୍ୟବହାର ସେ କରିବେ ନାହିଁ ଅନ୍ୟମାନଙ୍କ ସହ |
ସେଦିନ ବୁଝିଗଲି କ୍ଷମା କରିବା ଦୁନିଆରେ ସବୁଠାରୁ ବଡ ଦଣ୍ଡ, ଯେଉଁ ଦଣ୍ଡକୁ ମୁଁ ବର୍ତ୍ତମାନ ଭୋଗ କରୁଛ, ଭବିଷ୍ୟତରେ ମଧ୍ୟ ଭୋଗକରିବି |
