ମୃତ୍ୟୁର ମୁଁ ଯାଯାବର

ଆସନା ଆସନା ମୋ ପାଖେ ଆସନା
ପ୍ରେମର ଆଳତୀ ଧରି,
ମଣିଷ ନୁହେଁ ମୁଁ ଦାନବ ଗୋଟାଏ
ଦିଶୁଛି ମଣିଷ ପରି ||0||

ଦଇବ ତ ମତେ ଅସୁର ସଜାଇ
ଖେଳୁଛି ମୋ ସାଥେ ଖେଳ,
ମତେ ନେଇ ଘର କରିଲେ ତୁମର
ଆସିବ ଅନ୍ତିମ ବେଳ ||୧||

କଥାରେ ମୋହର ରହିଛି ଜହର
କ୍ରୋଧ ହିଂସା ଅପମାନ,
ମତେ ଦେଖି ତୁମେ ଅମୃତ ଭାବନା
ଛଳନା ମୋ ପ୍ରତିଷ୍ଠାନ ||୨||

ଲକ୍ଷ୍ମୀର ପ୍ରତିମା ଚେହେରା ତୁମର
ସରଳତା ତୁମ ଗୁଣ,
ଲକ୍ଷ୍ମୀ ଛାଡି ଥିବା କୁଳାଙ୍ଗାର ଟିଏ
ହତଭାଗା ନାରାୟଣ ||୩||

ପାଉଡର ଲଗା ସୁନ୍ଦର ମୁହଁକୁ
ଲଳିତ ତୁମର ବାହୁ,
ଖାଦ୍ୟର ଅଭାବେ ଆୟୁଷକୁ ମୋର
ଗ୍ରାସ କରିଲାଣି ରାହୁ ||୪||

ଚାଲିରେ ତୁମର ସୁବର୍ଣ୍ଣ କମଳ
ଅନେକ ଲୋକଙ୍କ ଭିଡ଼,
ମୁଁ ଯେଉଁ ବାଟରେ ଚାଲିଯାଏ ସଖି
ବନ୍ୟା ବିଭୀଷିକା ଝଡ଼ ||୫||

ତୁମେ ମୋର ପ୍ରିୟା ମୁଁ ତୁମ ପ୍ରେମିକ
ଶୁଣିଲେ ଲାଗୁଛି ଡର,
ତୁମକୁ ମୁଁ ନେଇ ଦୁଃଖର ସାଗରେ
କେମିତି କରିବି ଘର ||୬||

ଦରିଦ୍ରତା ମୋର ପରମ ସୌଭାଗ୍ୟ
ଆଉ କିଛି ପାଏ ନାହିଁ,
ମୋ ଆଖି ଆଗରେ ପ୍ରଣୟର ମୂଲ୍ୟ
ଜୀବନର ମାନେ କାହିଁ? ||୭||

ବଞ୍ଚିବାଟା ମତେ ଯନ୍ତ୍ରଣା ଦେଉଛି
ମୃତ୍ୟୁର ନାହିଁତ ଭୟ,
ଆୟୁଷଟା ଅବା ସରିଗଲେ ସଖି
ଦୁଃଖକୁ କରନ୍ତି ଜୟ ||୮||

ତୁମକୁ ଲାଗୁଛି ସୁଖର ମୁଁ ମଣି
ଦୁଃଖର ତମସା ନାହିଁ,
ଆଖିକୁ ଫେଡ଼ିଣ ଦେଖ ଗୋ ସୁନ୍ଦରୀ
ଅନ୍ତରରେ ଆତ୍ମା କାହିଁ? ||୯||

କେମିତି ଜାଣିବ ହୃଦୟ ବେଦନା
ଆତ୍ମାର କରୁଣ ସ୍ୱର,
କାହାକୁ କହିବି କିଏ ମୋ ଆପଣା
ଦୁଃଖକୁ କରିବ ଦୂର ||୧୦||

ଏ ଆଖିରେ ତୁମେ ଯାହାକୁ ଦେଖୁଛ
ସେ ଗୋଟେ ଜିଅନ୍ତା ଶବ,
ତାକୁ ନେଇ ତୁମେ ସଂସାର କରିଲେ
କି ଅବା ପାଇବ ଲାଭ ||୧୧||

ଆଖିରେ ଜାଳିଛ ପ୍ରେମବହ୍ନି ଶିଖା
ଜଳାଇବ ମୋର ମନ,
ଏମିତି ଚାହଁନା ତୁମ କୋପାନଳେ
ସଶରୀର ହେବ ଲୀନ ||୧୨||

ଆଖି ମୋ ସଜନୀ ପଡୁଛି ଯେଉଁଠି
ଖାଲି ହାହାକାର ମୟ,
ତୁମେ କୁହ ସଖି ତୁମ ପାଖେ ମୋର
କେମିତି ଲାଗିବ ଲୟ ||୧୩||

ଖାଦ୍ୟ ଅଭାବରେ ଭୋକ ଉପାସରେ
ଶିଥିଳତା ମୋର ବାହୁ,
ମୃତ୍ୟୁର ସେ ଦୂତ କରେ କବଳିତ
ସରେ ମୋର ପରମାୟୁ ||୧୪||

ତୁମେ ତ ପାଇଛ ସୁଖର ଆଶିଷ
ସତ୍ୟ ଦେବତାର ବର,
ଅନ୍ଧାର ପଥରେ ସୁଖ ସନ୍ଧାନରେ
ମୃତ୍ୟୁର ମୁଁ ଯାଯାବର ||୧୫||

ନାମ-ନାରାୟଣ ରାଉତ
ଠିକଣା-ନଛିପୁର, ଖଇରା, ବାଲେଶ୍ୱର
ଯୋଗାଯୋଗ-୮୫୯୪୮୫୩୫୯୩

Leave a Reply