ପାଦ ଥାପିଛି ମୁଁ
ତୁମ ପ୍ରୀତିପୂର୍ଣ୍ଣା
ମହୋଦଧି ଚୋରାବାଲିରେ,
ସଞ୍ଜ ନଇଁଗଲେ
ତୁମେ ସିନା ଆସ
ଲୁଚି ଲୁଚି ଖାଲି ରାତିରେ,
ଖୋଜିବାକୁ ପାଦ ଚିହ୍ନ,
କେତେ ଯେ ଜୁଆର ଭଟ୍ଟାରେ
କେମିତି ରହିଥିବ ଚିହ୍ନ ବର୍ଣ୍ଣ?
ରାତି ବିତିଯାଏ
ପାଦ ଚିହ୍ନ ଖୋଜି
ସପନେ ଖୋଜୁଛ ପ୍ରୀତି,
ଝରା ଶେଫାଳୀଟା
ଲାଜେ ଝରିଯାଏ
ନ ପାହୁ ମିଳନ ରାତି,
ମହକେ ସିନା ଭରୁଛି,
ସେ ମହକ ତୁମ ଦେହ ବାସ୍ନା ଭାବି
ପ୍ରେମକୁ ମୁଁ ସାଉଁଟୁଛି।
ସ୍ମୃତିଭରା କେତେ
ଫୁଲସଞ୍ଜ ନଇଁ
ତାରାଫୁଲ ଫୁଟିଯାଏ,
ଅମେଇଶାଟାରେ
ତୁମ ମୁହଁ ରୂପ
ଜହ୍ନ ପରି ଦିଶିଯାଏ,
ସକାଳ ଯେବେ ହେଉଛି,
ଅଳସ ମନର
ଶୁଷ୍କ ଆକାଶରେ
ମଲାଜହ୍ନ ଦିଶୁଅଛି।
ଯାଉଅଛି ହଜି
ମନେ ମନେ ଖାଲି
ପ୍ରଣୟ ବର୍ଷାରେ ଭିଜି,
ଦିବା ସ୍ବପ୍ନ ଭଳି
ମିଛ ମିଛ ଲାଗେ
ବିରହରେ ହୁଏ ଭାଜି,
ସବୁ ମିଛ ମିଛ ଲାଗେ,
ତତଲା ତତଲା
ମରୁବାଲି ପରି
ଜୀବନଟା ପ୍ରୀତି ମାଗେ ।
ବିନୟକୁମାର_ମିଶ୍ର_ମଲ୍ଲୀପୁର_ନିଆଳ_ଖୋର୍ଦ୍ଧା
