ସଂସାରରେ ଜନ୍ମି
ଲୋଭ ମୋହ ମାୟା
କିଏ ବା ପାରିଛି ଛାଡ଼ି,
ଇନ୍ଦ୍ରିୟ ଯନ୍ତ୍ରଣା
ଆଣେ କୁମନ୍ତ୍ରଣା
ନାନା ଉପାୟକୁ ଧରି,
ମନ ନୋହେ ଥୟ କରି,
ଦୂରେଇବା ପାଇଁ ବିବେକ
କହଇ ସୁଖ ଆସେ ସରି ସରି।
ମନକୁ ସଂଜମ
ଅଟଇ ବିଷମ
ଭୋଗ ଲିପ୍ସା ଜାଗେ ମନେ,
ଅଳିକ ସୁଖକୁ
ଆପଣାର ମଣି
ପୁରାଣ ଶାସ୍ତ୍ର ସେ ଶୁଣେ,
ପ୍ରବଚନ ଆୟୋଜନେ,
ଅର୍ଥ ବ୍ୟୟ କରେ ଡ଼ାକବାଜି
ଦରି ଚଉକି ତମ୍ବୁକୁ ଟାଣେ।
ପଢିବାକୁ ଶାସ୍ତ୍ର
ସମୟ ଅଭାବ
ନିଜ ସ୍ବାର୍ଥ ଅର୍ଥ ପାଇଁ,
ସମୟ ବିତାଏ
ଅଶାନ୍ତି ବଢାଏ
ପ୍ରବଚନ ଶୁଣିଦେଇ,
ଶୁଣାଏ ବହୁତ କଥା,
ପ୍ରଶଂସା ଗୌରବ ଆପଣାର କରେ
ଆୟୋଜନ ସବୁ ମିଥ୍ୟା।
ଲକ୍ଷ ଲକ୍ଷ ଟଙ୍କା
ପ୍ରବଚକେ ଦେଇ
ସମାଜକୁ ଦିଏ ଶିକ୍ଷା,
ମନୋରଞ୍ଜନକୁ
ପ୍ରାଧାନ୍ୟ ଦିଅଇ
ସ୍ବାର୍ଥ ମୂଳମନ୍ତ୍ର ଦୀକ୍ଷା,
ଲୋଭ ମୋହ ମାୟା ଛାଡ,
କହେ ପ୍ରବଚକ ନିଜେ କି ଛାଡ଼ିଚି
କଥା ବିକି ହୁଏ ବଡ।
କହିବାକୁ ଲାଜ
ମିଥ୍ୟା ଲୋଭେ ମୋହେ
ଆଚରଣ ଯାର ନାହିଁ,
କି ଅବା କହିବ
ଚିତା ଚଇତନ
ମାଳି ବେକରେ ପକାଇ,
ଦିନେ ନାମ ଜପିନାହିଁ,
ତା କଥା ଶୁଣିଲେ ଦଣ୍ଡକ ପାଇଁକି
ଲୋଭ ମୋହ ଯିବ କାହିଁ,
ଭଣ୍ଡାରୀ ଜଳାରେ ଯାଏ,
କାନେ ଶୁଣି ମନେ ପୁରାଇଲେ
ସିନା ପରିବରତନ ହୁଏ।
ଶାସ୍ତ୍ର ପଢ଼ି ପଢ଼ି
ଧୋତି ଉଡିଗଲା
ମରମ ନ ଜାଣେ କେହି,
ମର୍ମକୁ ଛୁଇଁଲେ
କର୍ମ ବଦଳଇ
ଉଚ୍ଚାରଣ ସଙ୍ଗ ଦେଇ,
ସତସଙ୍ଗ କହୁଥାଇ,
ଅରୁଆ ଗେରୁଆ କରୁଆ
ଶୋଇଲେ ଆଚରଣ ଯହିଁ ତହିଁ।
ସମସ୍ତ ପୁରାଣ
ଶାସ୍ତ୍ର ପଢ଼ି ଶୁଣି
ମାନେ କିଏ ଏ ଜଗତେ,
ଲୋଭ ମୋହ ମାୟା
ଦୂରେଇବ କିବା
ମନ ନ ଥିଲେ ସଞ୍ଜତେ,
ଗୋଦରା କୋଡେ ଯେତିକି,
ସେତିକି ମାଡ଼ଇ ସଂସାର କାଦୁଅ
ମିଥ୍ୟା ଆଶା ଆପଣାଇ।
ହୁଏ ହନ୍ତସନ୍ତ
ମଣି ବୁଦ୍ଧିମନ୍ତ
ଧନ୍ୟ ଏ ମଣିଷ ମନ,
ମାୟାଜାଲେ ପଡି
ସଂସାର ଜଞ୍ଜାଲେ
ହେଉଥାଏ ହିନିମାନ,
କହିବା କରିବା ଭିନ୍ନ,
କରିକି କହିଲେ ଯହିଁ ଲୋକମାନେ
ବୁଝନ୍ତିନି ଭାବି ହୀନ।
ଟଙ୍କା ଲଙ୍କା ପରି
ଜ୍ଵଳନ ଦିଅଇ
ପୋଡୁ ଥାଉ ପଛେ କେତେ,
ଅନ୍ୟାୟ ଅନିତୀ
ଅସତ୍ ଉପାୟେ
ଉପାର୍ଜନ କରେ ସେତେ,
ତୁଚ୍ଛ ଏ ଶାସ୍ତ୍ର ପୁରାଣ,
ବିବେକ ହରାଇ ନିଜେ ନ ବଦଳେ
ମୂଲ୍ୟହୀନ ପ୍ରବଚନ।
ବିନୟ କୁମାର ମିଶ୍ର
ମଲିପୁର ଗଡ଼ ନିଆଳ,
ଖୋର୍ଦ୍ଧା
