ଅଫେରା ରାଇଜେ
ଘର ମୁଁ କଲିଣି
ଫେରିବାର ପଥ ରୁନ୍ଧା
ଅଲୋଡ଼ା ଥିଲି ମୁଁ
ତୁମ ହୃଦୟରେ
ମୋ ପ୍ରେମେ ନୋହିଲ ବନ୍ଧା,
ଜାଣିଲ ଯେବେ ଅଫେରା,
ତୁମେ ଆସିବ କି! ପଚାରୁଚ ଏବେ
ମୋତେ ଲାଗୁଚି ଛୋପରା!!
ବୟସର ସଞ୍ଜ
ନଇଁବା ଆଗରୁ
ନୀଡ଼ହରା ପକ୍ଷୀପରି,
ଘୁରି ବୁଲୁଥିଲି ବେସାହାରା ହୋଇ
ଥିଲା ତୁମ ପ୍ରୀତି ଘାରି,
ତାରାମେଳେ ଗଲି ମିଶି,
ଆଉ କି ଫେରିବି ମଉଳା ମନ ମୋ
ଆଉଥରେ ହେବ ଲେଶି।
ଆଜି ଭାବୁଅଛ
ଚଉରା ମୂଳରେ
ଦେବନାହିଁ ସନ୍ଧ୍ୟା ଦୀପ,
ଗୋଧୂଳି ଲଗ୍ନରେ ବିଚ୍ଛେଦ ଭୟରେ
ସୂର୍ଯ୍ୟ ଓ ମାଟିର ଗପ,
ଆମେ ରଚିବା ମିଳନ ,
କେତେ ଯେ ଅପେକ୍ଷା ଉପେକ୍ଷା କରିଛ
ନିରାଶାରେ କରି ଲୀନ।
ଭେଟ ହେବ ନାହିଁ
ଆଉ ଏ ଜୀବନେ
ଲିଭିଆସେ ପ୍ରାଣ ଦୀପ,
ସତେ ଯଦି ଆମ
ପ୍ରେମ ସତ ଥିବ
କେଉଁ ଜନ୍ମେ ଭେଟ ହେବ,
ଜୀବନର ଫୁଲ ସଞ୍ଜ,
ନୀଡ଼ ବାହୁଡ଼ିବ ହଉ ହଉ ପରା
ଝଡ଼ ହୁଏ ସଜବାଜ।
ବିନୟ କୁମାର ମିଶ୍ର
ମଲ୍ଲୀପୁର
ଗଡ଼ ନିଆଳ
ଖୋର୍ଦ୍ଧା
