ପ୍ରିୟା ମଧୁମତୀ ପ୍ରେମର ଆଳତି
ପ୍ରିୟା ପ୍ରୀତି ପୂଜା ଫୁଲ,
ପ୍ରିୟା ରସବତୀ ଜୀବନର ବତୀ
ପ୍ରୀତି ଯା ଅମୁଲ ମୁଲ.।
ପ୍ରିୟାର ମଧୁର ଚନ୍ଦ୍ର ବଦନିର
ଉପମା କେ ପାରେ ଦେଇ,
ପ୍ରିୟା ଥିଲେ ପାଶେ ଅମୀୟ ପରଶେ
ମନ ନେଉଥାଏ ମୋହି।
ପ୍ରିୟା ତରୀ ତାରେ ପ୍ରିୟ ଏ ସଂସାରେ
ଆସୁ ଯେତେ ଝଡ଼ ଝଞ୍ଜା,
ପ୍ରିୟାର ଲପନ ମନର ଦର୍ପଣ
ଅନୁପମେ ହୁଏ ସଜ୍ଜା।
ପ୍ରିୟା ସ୍ମିତ ହାସ ଜୀବନ ପିୟୁଷ
ମୃତମନ ଜୀବନ୍ୟାସ,
ପ୍ରିୟାର କବରୀ ଅମୃତ ନିର୍ଝରୀ
ସ୍ପର୍ଶେ ମନୁ ତୁଟେ ଶୋଷ।
ପ୍ରିୟା ବିରହୀଣୀ ଚରମ ରାଗିଣୀ
ମନ ଭଗ୍ନ ବୀଣା ସୁର,
ପ୍ରିୟା ଆଳାପନା ଉତ୍ସlହ ସଂଲଗ୍ନା
ସେ ରାଗ ମେଘ ମଲ୍ଲାର।
ପ୍ରିୟା ଆଶ୍ୱାସନା ଅମୃତ ଜାଚନା
ବଞ୍ଚିବା ସୋପାନ ମାନ,
ପ୍ରିୟା ବିନା କାହିଁ କେ ପାରିଛି ରହି
ବଞ୍ଚିଲେ ମୃତ ସମାନ।
ପ୍ରିୟା ଯେବେ ଆସେ ଏକାକୀ ନିବେଶେ
ହାତେ ଧରି ପ୍ରୀତି ଥାଳ,
ବୈଶାଖୀ କାଳ ଝାଂଜି ଲାଗେ ସେବେ
ମଗୁଶିରର ହେମାଳ।
ପ୍ରିୟା ଅଭିମାନ ଆତ୍ମୀୟ ସଘନ
ଓଢଣୀ ତା ଖୋଲିଦେଲେ,
ପ୍ରିୟା ଚନ୍ଦ୍ରମୁଖ ଜୀବନ ପରଖ
ସାର୍ଥକତା ଆଣେ ହେଳେ।
ପ୍ରିୟା କେବେହେଲେ କା ପାଇଁ ସୁନ୍ଦରୀ
ନ ଲାଗୁ ପଛେ କାହାକୁ,
ମୋ ପ୍ରିୟା ଠାରୁ କେ ଅଧିକ ସୁନ୍ଦରୀ
ହୃଦ ମୋ କହେ ମନକୁ।
ଅବୁଝା ହେଉ କି ଅଭିମାନୀ ହେଉ
ମୋ ହୃଦ ଚନ୍ଦନ ହାର,
ପ୍ରିୟା କୋଳେ ଥିଲେ ସ୍ୱର୍ଗର ବୈଭବ
ପାଦତଳେ ମାନେ ହାର।
ବିନୟକୁମାର_ମିଶ୍ର_ମଲ୍ଲୀପୁର_ନିଆଳ_ଖୋର୍ଦ୍ଧା
