ବିରଞ୍ଚିନାରାୟଣ ମିଶ୍ର
ସମୟ ଗୋଟିଏ ନଈ —
ନୀରବେ ଚାଲେ, ଅବିରତେ ବହି ,
ସେ ଅଟକି ଯାଏନା କି
ପଛକୁ ଫେରେନା
ତାର ଜଳରେ ରହିଛି ଜୀବନର ସବୁ ରଙ୍ଗ।
ଏ କୂଳେ ହସ ଓ ଆନନ୍ଦର ଅଲୋକ,
ସେ କୂଳେ ଦୁଃଖ ଓ ବିରହର ଅନ୍ଧକାର।
କେବେ ତା ତରଙ୍ଗରେ ଖେଳେ ସ୍ୱପ୍ନ ଓ ଆଶା,
କେବେ ଭଉଁରିରେ ବୁଡ଼େ ମନର ଶାନ୍ତି।
ସେ ନଈ ଚାଲେ — ନିଜ ଇଛାରେ,
କେଉଁଠି ଶିଳା ତ କେଉଁଠି ଗଭୀର ଜଳ,
ତାର ଗତିକୁ ରୋକିପାରେନି କେହି।
ସେ ଜାଣେ — ତାର ଗନ୍ତବ୍ୟ ସାଗର ,
ତାସହ ମିଶିଗଲେ ଥରେ ପୂର୍ଣ୍ଣତା ହୁଏ ତାର ।
ଜୀବନ ଵି ନଈ ପରି —
ଆମେ ସେହି ଜଳବିନ୍ଦୁ,
କିଏ ମିଳନରେ ଭିଜିଯାଏ,ତ
କିଏ ବିରହରେ ଶୁଖିଯାଏ।
ଏ କୂଳରେ ହସ ଜନ୍ମେ,
ସେ କୂଳରେ ଅଶ୍ରୁ ଝରେ।
ସମୟ ନିର୍ଦୟ ନୁହେଁ,ସେ ନିଷ୍ପକ୍ଷ
ସେ ନିଜ ନିୟମରେ ଚାଲେ,
ନା ହସେ, ନା କାନ୍ଦେ,
କେବଳ ବହେ — ନୀରବେ, ଅବିରତେ।
ଯେବେ ଏ କୂଳରେ ବିରହ ଜାଗେ,
ଅନ୍ୟ କୂଳରେ ମିଳନ ଫୁଲେ।
ଯେବେ ଦୁଃଖ ତରଙ୍ଗ ଆସେ,
ପଛରେ ସୁଖ ସ୍ରୋତଵି ଆସେ
ସମୟ ଗୋଟିଏ ନଈ,
ସେ ନିଜେ ଜୀବନ, ସେ ନିଜେ ଶିକ୍ଷା।
ତା ଧାରାରେ ଯେ ଚାଲେ ହସି ହସି
ସେ ନିଜେ ଅମୃତ ସ୍ପର୍ଶ କରେ —
ସେ ଜାଣେ ଜୀବନର ସତ୍ୟ।
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063
