ସ୍ମୃତି

ଏମିତି ଅନେକ
ଚଳଣି ଦରବ
ପରିବେଶ ହଜିଲାଣି,
ପରମ୍ପରା ଉତ୍ସ
ସଂସ୍କୃତିର କଥା
ଆଉ କେବେ ଫେରିବନି ।

ଢ଼ିଙ୍କି ଢ଼ିଙ୍କିଶାଳ
ଗାଈଙ୍କ ଗୁହାଳ
ବଳଦଙ୍କ ପଟାଶାଳ,
ଅଗଣା ଚଉରା
ଘୋରଣା ପେଷଣା
ଚୌପିଢ଼ି କୋଡ଼ି ଲଙ୍ଗଳ ।

ଶଗଡ଼ ଜୁଆଳି
ମଇ ହାତକୋଡ଼ି
କୋଦାଳ ଫାଉଡା ଜୋତ,
ଡାଲା ବାଉଁଶିଆ
କୁଲା ବୋଝ ବେତା
ଡୋଲୀ ରୋଦର ସହିତ ।

ଗାଁ ଦାଣ୍ଡ ଧୂଳି
ଗହୀର ପୋଖରୀ
ଭାଗବତ ଟୁଙ୍ଗି ଘର,
ମାଟି ପିଣ୍ଡା ଚାଳ
ଖଳା ସାରୁ ବାଡ଼ି
କୁମ୍ଭାରର ଉଆ ଶାଳ ।

କେଉଟ ଘରର
ସରୁ ନାଲି ଚୁଡା
ଗୁଡ଼ିଆ ଘରର ମୁଆଁ,
କମାରର ଦାଆ
କଟୁରୀ ଟାଙ୍ଗିଆ
ନାଲ ବସା ଘଷି ନିଆଁ ।

ତନ୍ତୀ ଘର କଣ୍ଡା
ଶଟର ଶାଟର
ଅରଟ ଆଙ୍କୁଡ଼ା କୁନ୍ଦ,
ମାଳିଘର ଫୁଲ
ପାଦୁକ ପରବେ
ଛାଡ଼ି ଚାଲିଯାଏ ମନ୍ଦ।

ବାଡ଼ି ପାଳଗଦା
ଛତୁ ଲେଉଟିଆ
କାନ୍ଧିଆ ସଜନା ଛୁଇଁ,
ଗାଁ ଠାକୁରାଣୀ
ଭାଗବତ ଗାଦି
କୁଆଡେ ହଜିଗଲାଣି ।

କାର୍ତ୍ତିକ ସକାଳ
ଦାଣ୍ଡ ସଂକୀର୍ତ୍ତନ
ଭୋଗଖିଆ ଝାମୁ ଦଣ୍ଡ,
ମେଳଣ ଯାତ୍ରା
ପୁନିଅ ପରଵ
ପିଠା ପଣା ସବୁ ଗୁଣ୍ଡ ।

ଦ୍ରବ୍ୟ ଚବ୍ୟ ଚୋଷ୍ୟ
ଲେହ୍ୟ ପେୟ ଲେପ
ସବୁ ବଦଳି ଗଲାଣି,
ହଳଦୀ କାଠୁଆ
କଜଳପାତି ଯେ
ମାଣ ଅଣକ ତୋରାଣୀ ।

ଲେଖୁଥିଲେ ବସି
ସରିବନି ଯେତେ
ପରିବର୍ତ୍ତନ ହେଲାଣି,
ଆଧୁନିକତାର
ଚାଦର ଘୋଡେଇ
ସ୍ମୃତି ସବୁ ଶୋଇଲେଣି ।

#ବିନୟକୁମାର_ମିଶ୍ର_ମଲ୍ଲୀପୁର_ନିଆଳ_ଖୋର୍ଦ୍ଧା

Leave a Reply