ଖୋଜୁଛି ବୋଲି ମୁଁ ଅନ୍ତରେ ମୋହର
କାହାକୁ ମୁଁ କହି ପାରେନା
ଅପେକ୍ଷା ଭିତରେ ଅପେକ୍ଷା ସରୁଛି
ସେବୁ ତୁମେ ଆଉ ଆସନା
କେତେ ବି ଆସନ୍ତି କେତେ ବି ଯାଆନ୍ତି
ବେପାର ପସରା ମେଲିଛି
ସବୁ ଆପଣାର ଗରାଖ ଇଶ୍ଵର
ତାଙ୍କୁ ମୁଁ ବିଶ୍ଵାସେ ନେଇଛି
ମୂଲ ଚାଲ କରି ଗରାଖ ପିଅନ୍ତି
ଲାଭ କ୍ଷତି କେବେ ଭାବିନି
ଯେତିକି ମିଳିଲା ସେତିକିରେ ଖୁସି
ମନ ଉଣା କେବେ କରିନି
ଭାବେ ସେ ଗରାଖ ଘୋଡ଼ା ଝପଟେଇ
ଏଇ ବାଟ ଦେଇ ଆସିବେ
ଚାହିଁ ମୁଁ ରହିଛି ଆସି ସେ ଅଟକି
ଦହି ଗିନା ହାତୁ ଧରିବେ
ସଜ ଦହି ଆଣେ ନୀତି ତାଙ୍କ ପାଇଁ
ସେ ଦିନୁ ଜଗି ମୁଁ ବସିଛି
ଶୋଷ ମେଣ୍ଟେଇବି ହାତେ ପିଆଇକି
ହାରିନି ବିଶ୍ଵାସ ରଖିଛି
ଆସିବତ ତୁମେ ନିଶ୍ଚୟ ତ ଦିନେ
ଦିଅଁକୁ ଦୁଆ ମୁଁ କରିଛି
ଦହି ପିଆଇବି ମୋ ଆଡୁ ମୁଁ ଡାକି
ଶୋଷ ମେଣ୍ଟାଇବି ଭାବିଛି
ମୂଲ ବଦଳରେ ମୁଦ୍ରିକାକୁ ଦେଲେ
ନଛାଡ଼ିବି ଆଉ ହାତକୁ
ବେପାର ଛାଡ଼ିବି ସେଇଠୁ ସେଦିନ
କଥା ଦେଉଛି ମୁଁ ତୁମକୁ ।।
ମଲ୍ଲୀପୁର (ନିଆଳ), ଖୋର୍ଦ୍ଧା
9439011063
