ପାଠଶାଳା

ପାଠଶାଳା
ଅପରର ମନ ହୃଦୟ
ବୁଝିବା ପାଇଁକି ସର୍ବଦା
ଲୋଡ଼ା ଏକ ଭିନ୍ନ ମନ,
ଯେଉଁ ମନେ ଥିବ ଆବେଗ ଆଶ୍ୱାସ ବିଶ୍ୱାସ ଅମୁଲ୍ୟ ଧନ,
ହେଉ ପଛେ ନିରକ୍ଷର,
ବିବେକ ବିଚାର ନ୍ୟାୟ ଥିଲେ ମନେ ଆଉ କିସ ଦରକାର।

ସାକ୍ଷର ହୋଇକି ଏ ସବୁ ନ ଥିଲେ
ଅମଣିଷ ପଶୁ ସିଏ,
ଶିକ୍ଷିତ ହୋଇ ସେ ଡିଗ୍ରୀ ଯେତେ ଧରୁ ମୂଲ୍ୟ ନାହିଁ କାଣିଚାଏ,
ମଣିଷର ମାନଦଣ୍ଡ,
ଶିକ୍ଷାରେ ନ ଥାଏ ସଂସ୍କାରରେ ଥାଏ ନଥିଲେ ସେ ଏକ ଭଣ୍ଡ।

ପାଗଳ ପ୍ରଳାପ ସେହି କରିଥାଏ
ଯାହାର ବିଚାର ନାହିଁ,
ଆଜିର ଶିକ୍ଷାରେ ନୈତିକ ମୂଲ୍ୟ-
ବୋଧ ଅବା ଅଛି କାହିଁ,
ବିଚିତ୍ର ଲୋକ ଚରିତ୍ର,
ଉପରକୁ ଗୋଟେ ଦିଶନ୍ତି ସଭିଏଁ
ଭିତରେ ଭ୍ରଷ୍ଟ ଚରିତ୍ର।

ସାକ୍ଷରତା ସିନା ଶିକ୍ଷା ଦେଇଥାଏ,
ଥିଲେ ତହିଁ ନୈତିକତା,
ନୀତି ଆଦର୍ଶରେ ସମାଜର ପୁଷ୍ଟି
ଜୀବନରେ ସାର୍ଥକତା,
ନୀତିହୀନ ସର୍ବେ ଆଜି,
ମଣିଷ ଚିହ୍ନିବା କଠିନ ଆୟାସ
ପ୍ରେମ ପ୍ରୀତି ଗଲା ହଜି।

ଅତୀତକୁ ଥରେ ନିରେଖି ଚାହିଁଲେ
କେତେ ଥିଲା ସାକ୍ଷରତା ,
ଯୌଥ ପରିବାର ବଂଶ ରୀତି ନୀତି
ପରମ୍ପରା ଜାତି ପ୍ରଥା,
ଧନହୀନ ପଛେ ଥିଲା,
ସ୍ୱାଭିମାନେ ବଞ୍ଚି ବଞ୍ଚାଇ ଅପରେ
ସଭ୍ୟତା ସଂସ୍କୃତି କଳା।

ଆଜି ପାଠ ପଢି ଗାଡି ଘୋଡା ଚଢି
ମାନ ସନମାନ ନାହିଁ,
ମୁଣ୍ଡିଆ ପ୍ରଣାମ ପାଦ ଛାଡି ଆଣ୍ଠୁ
ଯାଏଁ ଆସିଲାଣି ଛୁଇଁ,
ଆଉ ଗଲେ ଅଳ୍ପ ଦିନ,
ପେଟରୁ ଛାତିକି ତା ପରେ ପିଠିକି
ଏଇ ତ ଶିକ୍ଷାର ମାନ।

ବିବାହ ପୂର୍ବରୁ ଚଳଚ୍ଚିତ୍ର କରା
ଏକାଠି ରହିବା ହେଲା,
ଏହି ଶିକ୍ଷା ପାଇ ଜୀବନର ମୂଲ୍ୟ
କେଉଁଠୁ ଶିଖିବେ ପିଲା,
ମଣିଷ ଚିହିଁବା ପାଇଁକି କେଉଁଠି
ଅଛି କିବା ପାଠଶାଳା?

ବିନୟ କୁମାର ମିଶ୍ର
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା

Leave a Reply