ଭଲ ପାଇବାଟି
ମନ୍ଦ ନୁହେଁ କେବେ
ଯୁଗେ ଯୁଗେ ଏହା ଥିଲା,
ବର୍ତ୍ତମାନ ଏହି
ସମାଜରେ କିନ୍ତୁ
କଳୁଷିତ ହୋଇଗଲା,
ସେବେ ଦେହାତୀତ ଥିଲା,
ଏବେ ଏ ପ୍ରେମକୁ ଲକ୍ଷ୍ୟ କଲେ
ଲାଗେ ସବୁଠି ଦେହର ପାଲା।
ନବେଭାଗ ପ୍ରେମ
ଭଲପାଇବାରେ
ଦେହ ଭୋଗ ଆତୁରତା,
ତହିଁରେ ନିହିତ
ଅର୍ଥ ଭାବ ଅଧେ
ନାହିଁ ବୟସର ଚିନ୍ତା,
ଯାହାକୁ ଯିଏ ରସିଲା,
ଚମ୍ପାଫୁଲ ଦେଖି
ପାରୁଡ଼ା ପୋକଟି
ପୋକଶୁଙ୍ଗାରେ ବସିଲା।
ପୁଅଝିଅ କେହି
ଏହି ରୋଗ ପାଇଁ
ବୟସ ସମ୍ପର୍କ ସ୍ଥିତି,
କିଛି ବି ବିଚାର
ନ ରଖି ମନରେ
କରିବସୁଛନ୍ତି ପ୍ରୀତି,
ସମ୍ପର୍କ ଭଲପାଇବା,
ଅଢେଇ ଦିନକୁ ବଡେଇ ଘଇତା
କାହାକୁ କିସ କହିବା।
ବିବାହ ପୂର୍ବରୁ
ଜାତି ଗୋତ୍ର ବଂଶ
ସାମାଜିକ ନିୟମକୁ,
ବିଚାର ନ କରି
ବିଫଳ ହୁଅନ୍ତି
ପରମ୍ପରା ସଂସ୍କୃତିକୁ,
ଉଜାଡି ନିଜ ହାତରେ,
ବିବାହ ବିଛେଦ
କୋର୍ଟ କଚେରୀ
ଦଣ୍ଡ ନିନ୍ଦା ସମାଜରେ।
ସଂଯମତା ନାହିଁ
ବିବାହିତ ପାଖେ
ପରନାରୀ ପରପୁଂସ,
ଏକରେ କେହି
ସନ୍ତୁଷ୍ଟ ନୁହନ୍ତି
ସଂସାର ହୁଅଇ ଧ୍ବଂସ,
ଶିକ୍ଷାନୀତି ବାଟବଣା,
ନିଜ ପରିବାର ସଂସ୍କାର ନ ଶିଖି
ଚରିତ୍ରେ ନାହିଁ ସଣ୍ଠଣା।
ସନ୍ତାନ ସନ୍ତତି
କେହି ଦାୟୀ ନୁହେଁ
ଏହି ଅସଣ୍ଠଣା ପାଇଁ
ଗୁରୁଜନମାନେ
ନୀତିକାନ୍ତିହୀନ
ସନ୍ତାନଙ୍କ ଚିନ୍ତା ନାହିଁ,
ଏଣୁ ସବୁଠି ବିଭ୍ରାଟ,
କାନକୁହା କର୍ଣ୍ଣପିଶାଚ ଯନ୍ତ୍ରର
ସବୁ ହେଲା ନଟକୂଟ।
ବିନୟ କୁମାର ମିଶ୍ର,
ମଲ୍ଲିପୁର, ଗଡ଼ ନିଆଳ,
ଖୋର୍ଦ୍ଧା
