ମନ ଅଗଣାରେ ଝରା ଶେଫାଳୀର
ଅଗଣା ଯାଇଛି ଭରି,
ମୁଠାଏ ମୁଠାଏ ଆଣି ସେଇଥିରେ
ମାଳାଟିଏ ଗୁନ୍ଥି ଦେଲି,
ମଥାରେ ବlନ୍ଧିଲା ବେଳେ,
ନାହିଁ ନାହିଁ କିଆଁ କରୁଛ ସଜନୀ
ଭାବିବ ମୁଁ ମରିଗଲେ ll
ବାଡ଼ିରୁ ତୋଳିଲି ହେନା ଯାଇ ଯୁଇ
ରଜନୀଗନ୍ଧା ମୁଁ ଯେତେ,
ବିଛାଇ ଦେଲି ତା ସରାଗରେ ଆଣି
ଚାହିଁଲନି ଅକସ୍ମାତେ,
ଯେତେ ଯାହା ମୁହିଁ କଲି,
ଜୀବନ ସାରା ତା ମୂଲ୍ୟ ରଖି ନାହଁ
ଭାବିବ ଗଲେ ମୁଁ ଚାଲି ll
ପ୍ରତ୍ୟାଖ୍ୟାନ କଲ ଯେତେ ମୋ ସରାଗ ସିନିହ ପୀରତି ମନ,
ସବୁଠି ସହିଛି ତୁମ ପାଇଁ ପ୍ରିୟା
କେତେ ମାନ ଅପମାନ,
ଜୀବନ ମୋ ହୀନିମାନ,
ଆଉ କିଛି ନାହିଁ ଅଧିକ ଭୋଗିବି
ଜୀବନଟା ମୂଲ୍ୟହୀନ ll
ଦୋଷ କିବା ମୋର ଏ ଯାଏ ବୁଝିନି
କାହିଁକି କରିଲ ପର,
କେଉଁ କଥା ଅବା ଅବିଶ୍ୱାସୀ କଲା
ଭୁଲିଲ ସବୁ ଆଦର,
ବିଶ୍ୱାସ ଦେଲ ତୁଟାଇ,
ମନ ଛିଡା ହୃଦ ଭଙ୍ଗା ମଣିଷଟା
ଆଜି ହୋଇଗଲି ମୁହିଁ ll
ବିନୟ କୁମାର ମିଶ୍ର,
ମଲ୍ଲୀପୁର ଗଡ ନିଆଳ
ଖୋର୍ଦ୍ଧା
