ସୁଖ ଖୋଜୁ ଖୋଜୁ
ଦୁଃଖ ଦରିଆରେ
ବୁଡ଼ିଯାଏ ମୋର ତରୀ,
ଲବଣ ସାଗରେ
ମହୁ ଖୋଜୁ ଖୋଜୁ
ଜୀବନ ଯାଉଛି ସରି.। (0)
ସୁଖ ବୋଲି ଯାହା
ଭାବନ୍ତି ସକଳେ
ଆକାଶ କୁସୁମ ଏକା ,
ଜୀବନର ମରୁଭୂମିରେ ଚାଲିଛି
ଅନୁସରି ମରୀଚିକା,
ସୁଖ ଏମିତିକା ଅପହଞ୍ଚ ଜାଗା
ଠିକଣା ନାହିଁ ତାହାରି। (1)
ସୁଖ ଖୋଜୁ ଖୋଜୁ…….
ତୁମେ ଏକା ସୁଖ
ଆଉ ସବୁ ଦୁଃଖ
ତୁମେ ଥିଲେ ସବୁ ଅଛି,
ସଂସାରରେ ସବୁ
ଥିଲାବେଳେ କେବେ
ତୁମକୁ ମୁଁ ନ ପାଉଛି,
ସୁଖ ପାଇଁ କିଆଁ
ଧାଇଁବି ତା ପଛେ
ଦୁଃଖ ଖାଲି ଭୋଗ କରି। (2)
ସୁଖ ଖୋଜୁ ଖୋଜୁ……
ବିନୟ କୁମାର ମିଶ୍ର,
ମଲ୍ଲିପୁର ଗଡ଼ ନିଆଳ
ଖୋର୍ଦ୍ଧା
