କାଚକାନ୍ଥର ଏପାଖେ ସେପାଖେ

ବିରଞ୍ଚିନାରାୟଣ ମିଶ୍ର

ମୁଁ କହୁଥିଲି, ତୁମେ ଶୁଣୁଥିଲ,
ମୋ କଥା ତୁମ ଚାହାଁଣୀରେ ହାଲୁକା ଲହରୀ ଖେଳୁଥିଲା
ତୁମେ କହୁଥିଲ କମ, ଶୁଣୁଥିଲ ବେଶୀ
ମୋ ପ୍ରତିଟି କଥାକୁ ତୁମ ହୃଦୟେ ଲେଖି ନେଉଥିଲ ।
ତୁମେ ହସୁଥିଲ ସୁନ୍ଦର
ଠିକ ପ୍ରଭାତର ଫୁଲ ପରି,
ତୁମ ହସରେ ଝରୁଥିଲା ମହୁ,
ମୁକ୍ତା ଝରୁଥିଲା କି ନା ମୁଁ ଜାଣିନି —
ମୋ ମନ ସେ ହସରେ ଭାସି ଯାଉଥିଲା
ତୁମ ହସ ଥିଲା ଶିଶିର ବିନ୍ଦୁ,
ଯାହା ମୋ ଅଭିଲାଷର ଉତ୍ତାପକୁ ଶାନ୍ତ କରୁଥିଲା ।
ତୁମେ ମୋତେ ଝୁରୁଥିଲ କି ନାଇଁ ମୁଁ ଜାଣେନା,
ମୁଁ ଝୁରୁଥିଲି —ପ୍ରତି ରାତିର ଅନ୍ଧାରରେ।
ତୁମ ନାମ ମୋ ଚିନ୍ତାରେ ମିଶିଥିଲା ,
ମୋ ଶ୍ୱାସରେ ତୁମ ଅସ୍ପଷ୍ଟ ବାସ୍ନା ରହୁଥିଲା ।
ତୁମେ ମୋତେ ଛୁଇଁବାକୁ ଚାହୁଁଥିଲ ,
ମୁଁ ଚାହୁଁନଥିଲି ସେ ଛୁଆଁ ,
ମୁଁ ଚାହୁଁଥିଲି ତୁମ ସାନିଧ୍ୟ,
ଏତେ ପାଖରେ ଯେ — ଯେଉଁଠି ଶବ୍ଦ ଦରକାର ନଥିଲା ।
ଯେଉଁଠି ନୀରବତା କୁହେ “ତୁମେ ଆସିଛ।”
ଆମେ ମିଶିପାରିଲେ ନାହିଁ —
ମଝିରେ ଥିଲା କାଚ କାନ୍ଥ,
ଆମେ ଦୁହେଁକୁ ଦେଖିପାରୁଥିଲେ,
ଛୁଇଁ ପାରୁ ନଥିଲେ।
ତୁମ ଓଠକୁ ମୁଁ ଚୁମା ଦେଉଥିଲି,
ଦଗା ଦେଉଥିଲା କାଚ କାନ୍ଥଟା —
ମୋ ତାପ ଫେରିଆସୁଥିଲା ମୋ ନିଜ ଓଠକୁ।
ସେ କାନ୍ଥ ଆମକୁ ଅଲଗା କରୁଥିଲା।
ଏବେ ମନେ ପଡ଼େ ତୁମ କଥା,
ତୁମ ନିର୍ମଳ ହସ,ତୁମ ନିଶ୍ଚଳ ଆଖି
ଛୁଇଁବାକୁ ଇଚ୍ଛା ହୁଏ ତୁମ ନରମ ଓଠକୁ
ପାରେନା ଏବେଵି ,
ସେବେ ଦଗା ଦେଲା କାଚ କାନ୍ଥ,
ଏବେ ଦଗା ଦଉଛି —
ତୁମ ମନ ।

ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply