କୋଇଲା

ପାଇଲି ଦିନେ ମୋ
ଜୀବନ ଭିତରୁ
ଆନନ୍ଦର ଚାବି ଖୋଜି,
ମନ୍ଦବୁଦ୍ଧି ଛୋଟ
ବିଚାର ଯାହାର
ଜୀବନରୁ ଦେଲେ ତେଜି,
ଶାନ୍ତିରେ କଟେ ଜୀବନ
ଅବୁଝା ଜିଦିଆ ମନୁଆ ଗାଲୁଆ ବିନା ଚାବି ତାଲାମାନ।

କାହା ଆଗେ କେବେ ନିଜକୁ ପ୍ରମାଣ
କରିବାର ଇଛା ଛାଡ଼,
ସମୟ ସେଥିରେ
ନଷ୍ଟ କରନାହିଁ
ସତ୍ୟ ପଥେ ସଦା ଚାଲ,
ଆପେ ପ୍ରମାଣ ହୋଇବ,
ଭଲ ମନ୍ଦ ତୁମ ଚରିତ୍ର ଚେତନା ସମାଜରେ ଛାପ ଥିବ।

ସୁଖିଟିଏ ସଦା
ଗୁରୁତ୍ୱ ଦିଅଇ
ଅଛି ଯାହା ତାହା ପାଖେ,
ଦୁଃଖୀଟିଏ ସଦା
ଦୁଃଖ କରୁଥାଏ ହଜାଇଛି ଯାହା ସୁଖେ,
ନ ଥାଉ ରୂପ ବୈଭବ,
ଦୟାଳୁ ପ୍ରଶାନ୍ତ ସ୍ୱଭାଵୀ
ମଣିଷ ଦେଇଥାଏ ଅନୁଭବ।

ଅଳିକ ସୁଖର
ଆଶା ଉଦ୍ଦୀପକ
ଦ୍ରବ୍ୟ ଅଣଦେଖା କର,
ଅନ୍ତରେ ମିଳିବ
ସ୍ବର୍ଗୀୟ ଆନନ୍ଦ
ଦୁଃଖ ହୋଇଯିବ ଦୂର,
ପ୍ରକୃତ ଯେ ଭଲ ପାଏ,
ବେଳେ ବେଳେ ରାଗେ ଅଭିମାନ କରେ କେବେ ହେଁ ଛାଡି ନ ଯାଏ।

ପାଇବା ଛୁଇଁବା
ଦେଖିବା ଧରିବା ସାଇତିବା ଦେଖାଇବା,
ଭଲପାଇବାରେ
ନ ଥାଏ ଏ ସବୁ
କେବଳ ମନେ ଭାବିବା
ଭଲ ପାଇବାର ଗୁଣ,
ନିଃସ୍ୱାର୍ଥ ତ୍ୟାଗର କର୍ତ୍ତବ୍ୟବୋଧର ଏତେ ଯା ଉଦାହରଣ।

ବରଦାସ୍ତ ଯିଏ
କରିପାରେ ସିଏ
ବରବାଦ କରିପାରେ,
ଅମୃତ ପ୍ରେମରେ
ବିଷ କୁମ୍ଭ ଆଣି
ନିମିଷକେ ଥୋଇ ଦିଏ,
ସମୟ ବିତେ ତା ବାଟେ,
ବାଲ୍ୟରୁ ବାର୍ଦ୍ଧକ୍ୟ ଦୁଃଖର ଅଟକ ସୁଖ ପଳାତକ ଏତେ।

ଏକା ହୋଇ ଚାଲ
ହୃଦୟ ଭିତରୁ
ଜଗତ ନ ହେବ ସାଥୀ,
ଜ୍ଞାନ ଦେବା ପାଇଁ
ପୁଳାଏ ଅଛନ୍ତି
ବଢ଼ାଇ ଦେବେ ଅଶାନ୍ତି,
ମତଲବୀ ଏ ମଣିଷ,
ଅନ୍ୟମନ ନେଇ କଲେ ତୁମେ ଭଲ ନିଜ ମନ ହେବ ବିଷ।

ଦୁର୍ଜନ ସଙ୍ଗତ
କରେ ହନ୍ତସନ୍ତ
ସଦା କୋଇଲା ପରାଏ,
ଗରମରେ ହାତ ପୋଡେ
ଥଣ୍ଡା ହେଲେ ଚାରିଆଡ କଳା ହୁଏ।
#
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply