ପରଳ ମଡା
ଆଖିରେ ଏବେ
ସ୍ବପ୍ନ ଦେଖିବା କାହିଁ,
ସାଇତା ସ୍ମୃତି
କୁହୁଡି ଭଳି
ସ୍ବପ୍ନରେ କେବେ ଛାଇ,
ଦେଖିବ ଅବା କାହିଁ,
ଛାତିଏ କୋହ
ଆଖି ଭିତରୁ
ବୋହୁଛି ଲୁହ ହୋଇ।
ଅକାତ ବଳ
ନିବିଡ଼ କରି
ଛାତିରେ ବନ୍ଧା ବେଳ,
ଛାଇ ଲେଉଟା
ବୟସ ତଳେ
ଦୀର୍ଘ ଶ୍ୱାସର ବଳ,
ଥମି ଆସିଛି ଆଜି,
ଯେତେ ଅଗାଧ
ବିଶ୍ୱାସ ଥିଲା
ମନରୁ ଯାଏଁ ହଜି।
ପଳାତକ ଏ
ମନଟି ଆଜି
ମୋ ପରାହତ ପ୍ରେମକୁ,
ଅଣ୍ଡାଳୁଅଛି
ଦୁର୍ବଳ ହାତେ
ପାଉନି କେବେ ତୁମକୁ,
ଜୀଏଁ ମୁଁ ମରେ ଅଧା,
ବାଘ ନେଉନି
ଘୋଷାରେ ଖାଲି ଲାଗୁଚି ଯାହା ବାଧା।
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
