ପତିପତ୍ନୀଙ୍କର
ଲଢେଇ ଅଟଇ
ସକାଳର ମେଘ ପରି,
ଋଷି ଶ୍ରାଦ୍ଧ ଛେଳି
ଯୁଦ୍ଧ ପରି ହୁଏ
ଲାଗଇ ଅସରା ପରି,
ସଞ୍ଜ ହୋଇଗଲା ପରେ,
କଣେଇ ଚାହାଣୀ ଅଭିମାନ ମାରେ
ମୁରୁକି ହସାରେ ମରେ।
କଳାହାଣ୍ଡି ପରି
ମେଘ ଘଡଘଡି
ବିଜୁଳି ଚମକ ଧରି,
ଘୋଟିଆସେ ମେଘ ସତେକି ବାଦଲ
ଫଟାଇ ଦେବ କି ଢାଳି,
ଚାହୁଁ ଚାହୁଁ ଯାଏ ଚାଲି,
ଫୁରୁଫୁରା କୁଣ୍ଡାଝଡା ଦୁଇ ଟୋପା
ଭୁଇଁକୁ ଓଦା ନ କରି।
ପତ୍ର ଫଳ ପୁଷ୍ପ
ଅଶେଷ ପ୍ରକାର
କୁଶ ଘାସ ଚେର ମୂଳ,
ଋଷିଙ୍କର ଶ୍ରାଦ୍ଧେ ଆବଶ୍ୟକ ହୁଏ
ଯୋଗାଡେ ବୁଡ଼ଇ ବେଳ,
ଦଣ୍ଡକରେ ଶ୍ରାଦ୍ଧ ସରେ,
ଦେଖିବା ଲୋକକୁ
ଲାଗେ ଆଚମ୍ବିତ
ସରଞ୍ଜାମର ବହୁଳେ।
ଛେଳି ଦୁଇଟିଙ୍କ
ଯୁଦ୍ଧ ଯେଉଁପରି
ପଛ ଗୋଡେ ହୋଇ ଛିଡା,
ଆଡେଇ ପୋତେଇ
ମୁଣ୍ଡ ପହପଟ
ଲାଗିବ ଗୋଟିଏ ମଲା,
ମୁଣ୍ଡକୁ ମୁଣ୍ଡ ପଡିଲେ ,
କୁସୁମ ଥୋଇଲେ ଅମଳିନ ହୁଏ
କଷ୍ଟ ନ ହୁଏ କାହାରେ।
ବହୁ ଆଡମ୍ବରେ
ଲଘୁ କ୍ରିୟା ଏହା
କହିଛନ୍ତି ସୁଧୀ ଜନ,
ପତି ପତ୍ନୀଙ୍କର
ଲଢେଇ ସେପରି
ସଦା ଅଟେ ଅକାରଣ,
ଲଢେଇ ହୀନ ଦମ୍ପତ୍ତି,
ଦାମ୍ପତ୍ୟ ଜୀବନେ
ମଜା ନେବା ପାଇଁ
ନିତି ପ୍ରତି କରିଥାନ୍ତି।
ବିନୟ କୁମାର ମିଶ୍ର
ମଲ୍ଲିପୁର, ଗଡ଼ ନିଆଳ
ଖୋର୍ଦ୍ଧା
