ମୁଁ ମୋ ନନା ବୋଉଙ୍କର ଦ୍ଵିତୀୟ ସନ୍ତାନ। ପ୍ରଥମାଷ୍ଟମୀ ଦିନ ଭାଇନା ହିଁ ନୂଆ ପିନ୍ଧନ୍ତି, ମୁଁ ନୁହେଁ। ସେଥିପାଇଁ ମୁଁ ଖୁବ କାନ୍ଦେ। ଅଭିମାନ କରେ। ମାତ୍ର ତାହା ବେଶୀ ସମୟ ରହେ ନାହିଁ। ଆମ ଦାଣ୍ଡ ଦୁଆରକୁ ଜଣେ ଶାନ୍ତ ସରଳା କମଦାମର କସ୍ତା ପିନ୍ଧା ମହିୟସୀଙ୍କର ଆବିର୍ଭାବ ହୁଏ। ମୋ ବୋଉ ସତେ କି ତାକୁ ଅପେକ୍ଷା କରିଥାଏ। ସେ ପହଂଚୁ ପହଂଚୁ ବୋଉ କହେ “ଯା ତୋ ବୋଉ ଆସିଲାଣି, ପୋଢୁଆଁ କରିବ।” ମୁଁ ଖୁସି ହୋଇ ତା କୋଳକୁ ଡେଇଁ ପଡେ। ନା ମନରେ ଥାଏ ଆବିଳତା ନା ଘୃଣା ନା ଆଉ କିଛି ଭାବ।ତା କାଖରେ ସେ କାଖେଇ ତା ଘରକୁ ନେଇ ଯାଏ। ପ୍ୟାଣ୍ଟ ସାର୍ଟ ବାହାର କରେ ତେଲ ସାବୁନ ହଳଦୀ ଲଗାଇ ଗାଧେଇ ଦିଏ। ନୂଆ ପେଣ୍ଟ ସାର୍ଟ ପିନ୍ଧେଇ ଦେଇ ଚନ୍ଦନ ସିନ୍ଦୁର ଲଗାଇ ଦୀପରେ ବନ୍ଦେଇ ଦିଏ। ମାଟି ଗୋବର ଲିପା ଚାଳ ଘରେ ପିଢା ପକେଇ ବଜାରରୁ ଆଣିଥିବା ବରା, ଲଡ଼ୁ, ଖାଇବାକୁ ଦିଏ। ପୁଣି କାଖେଇ ଆଣି ଘରେ ଛାଡିକି ଯାଏ।ତା ପାଖରେ ଥାଏ ଅନେକ ସ୍ନେହ, ଭଲପାଇବା ଆନ୍ତରିକତା ଆଉ ସମ୍ମାନ ବି…..।
ପ୍ରାୟ ଷଷ୍ଠଶ୍ରେଣୀରେ ପଢିବା ଯାଏଁ ଏପରି ଚାଲିଥିଲା, ଯେଉଁ ଯାଏଁ ମୁଁ ବ୍ରତ ହୋଇ ନ ଥିଲି। ତାର ଦୁଇ ପୁଅ ତିନି ଝିଅ ଥିଲେ ସେମାନଙ୍କୁ ସେ ଏପରି କରିପାରୁ ନ ଥିଲା ।ମୁଁ ଧୀରେ ଧୀରେ ବଡ଼ ହେଉଥିଲି ତାକୁ ବୋଉ ଡାକୁଥିଲି,ସେ ପରିବାରରେ ବାପା ଭାଇ ନାନୀ ସବୁ ଥିଲେ ସେମାନଙ୍କୁ ବି ସେଇୟା ଡାକୁଥିଲି। ସେ ବୋଉ ବାପା କେମିତି ହେଲେ ବୋଲି ଦିନେ ବୋଉକୁ ପଚାରିଲି। ବୋଉ ଯାହା ଉତ୍ତର ଦେଲା ତାହା ହେଉଛି ଏପରି….
ମୋତେ ଯେତେବେଳେ ଛ ମାସ ହୋଇଥିଲା ସେତେବେଳେ ସକାଳୁ ଗାଧେଇ ଦେଇ ବୋଉ ମୋତେ ଆମ ଦାଣ୍ଡ ଘରେ ସୌପ ଓ କପଡା ପକାଇ ଶୁଆଇ ଦେଇ ବାଡ଼ି ପଟକୁ କୌଣସି କାମରେ ଯାଇ ଥିଲା।ଦାଣ୍ଡ ଦୁଆରକୁ ଶୁଖୁଆ ବିକିବାକୁ #ଲାବନମା ଆସି ପହଂଚି ଦେଖିଲା ଯେ ମୋ ଶେଯ ଉପରେ ପାଦ ପାଖରେ ଏକ ନାଗସାପ ଫଣା ଟେକି ରହିଛି। ମୁଁ ନିଘୋଡ଼ ନିଦରେ ଶୋଉଛି। ଲାବନ ମା ର ଚିତ୍କାର ଶୁଣି ବୋଉ ଧାଇଁ ଆସି ଏପରି ଅବସ୍ଥା ଦେଖି କାନ୍ଦିବା ଆରମ୍ଭ କରିଦେଲା। ସାପ ଧୀରେ ଧୀରେ ବାହାରକୁ ବାହାରି ଗଲା।ସେତେବେଳେ କିଛି ସ୍ତ୍ରୀ ଲୋକ ଓ ଅନ୍ୟ ମାନେ ଜମି ଯାଇଥିଲେ।ଲାବନ ମା ବୋଉକୁ ବାରଣ କଲା ମୋତେ ଛୁଇଁବାକୁ.। ବୋଉ କାନ୍ଦୁ ଥିଲା ଅଥୟ ହୋଇ। ସେଇଠି ଉପସ୍ଥିତ ଥିଲା, ଏହି “#ବୋଉ”।
ମୋ ବୋଉକୁ କହିଲା ଯଦି “ବଂଚିଥିବ ତେବେ ମୋର”… କହି ଶେଜ ସହ ମୋତେ କୋଳକୁ ନେଲା। ମୁଁ କାନ୍ଦିଲି ତା କୋଳରେ…। ମୋ ଦେହ ସାରା ତନ୍ନ ତନ୍ନ କରି କ୍ଷତ କିଛି ଅଛି ନା ନାହିଁ ପରୀକ୍ଷା କଲା.। ମାତ୍ର କିଛି କେଉଁଠି ନ ଥିଲ। ସେ ଦିନ ବୋଉ ତାକୁ କହିଲା “ପୁଅ ବୋଲି କୋଳକୁ ନେଇଚ ମାନେ ସେ ତୁମ ପୁଅ ଆଜିଠୁ।”ସେ ମୋତେ ସାଙ୍ଗରେ ନେଇ ତା ଘରକୁ ଗଲା। ପୁଣି ଆଣି ଆମ ଘରେ ଛାଡିଲା। ଆଉ ମୁଁ ତା ଘରେ ବାର ବର୍ଷ ପୋଢୁଆଁ ହେଲି.। ସେ ଥିଲା ମୋ #ମଙ୍ଗୁଳୀଭାଇର_ବୋଉ..। ଆଜି ସିଏ ନାହିଁ କି ମୋ ବୋଉ ବି ନାହିଁ। ଆଜି ସେ ଦୁହିଁଙ୍କୁ ମୋର ପ୍ରଣାମ ଜଣାଉଛି। ଯେହେତୁ ମୁଁ ଥିଲି #ଅଛୁଆଁପୋଢୁଆଁ ସେତେବେଳେ। ତାର ସ୍ମୃତି ସ୍ନେହ ଭଲପାଇବା ଚିର ଅପାସୋରା..।ବ୍ରତ ହୋଇଗଲା ପରେ ସାନନନା ଓ ଭାଇନା ମୋ ପାଇଁ ଆଣିକି ନୂଆ ପିନ୍ଧିବାକୁ ଦିଅନ୍ତି।
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
