ସ୍ମୃତି : ସାକ୍ଷୀର ଆଲୋକ

ସ୍ମୃତି ରୁପାଜନ୍ହ ନୁହେଁ,
ସେ ତ ଆଲୋକରେ ଦେଖାଯାଉଥିବା
ଅନ୍ଧାରର ଜ୍ଞାନ।
ଜୀବନର ଘନ ନୀଳ ଆକାଶ
ନା ସେ ମୋର,
ନା ସେ ଆକାଶରେ ଉଠୁଥିବା
ଆଲୋକର—
ସେ ତ ମାତ୍ର
ଦୃଶ୍ୟ ଓ ଦ୍ରଷ୍ଟାର
ମଧ୍ୟବର୍ତ୍ତୀ ଭ୍ରମ।
ଶୁନ୍ୟ ଜୀବନପାତ୍ର
ବୋଲି କିଛି ନାହିଁ—
ପାତ୍ର ମଧ୍ୟ ଆକାଶ,
ଶୂନ୍ୟତା ମଧ୍ୟ ପୂର୍ଣ୍ଣ।
ସ୍ମୃତି ଭରେନାହିଁ,
ସେ କେବଳ
ଆବରଣ ହଟାଇଦିଏ।
କେବେ ଯାହାକୁ ମୁଁ
କଳଙ୍କ ବୋଲି ଭାବିଥିଲି,
ସେ ତ ଅଜ୍ଞାନର
ଛାୟାମାତ୍ର।
ଆତ୍ମା କେବେ ଦୂଷିତ ହୁଏନାହିଁ,
ଦୂଷିତ ହୁଏ
ଦେହ–ମନର ଧାରଣା।
ଦିନର ଏକାକୀ ମୁହୂର୍ତ୍ତ
ମୋତେ ଉଦାସ କରେନାହିଁ,
ସେ ମୋତେ
ମୋ ସହ ମୁହାଁମୁହିଁ କରାଏ।
ଯେତେବେଳେ ମୁଁ
ନିଜ ଭିତରେ ଜଳୁଛି,
ସେତେବେଳେ
ଜଳୁଥିବାଟା ‘ମୁଁ’ ନୁହେଁ,
ଦେଖୁଥିବା ‘ସାକ୍ଷୀ’ ଟା ମୁଁ।
ସ୍ମୃତି ଆସେ
ଧୀର ପାଦ ଥାପି—
କାରଣ ସତ୍ୟ
କେବେ ଦଉଡେ ନାହିଁ।
ନିଃଶବ୍ଦ ତା’ର ଭାଷା,
ନିରବତା ତା’ର ଆକାର।
ହସ ଆସିଲେ
ମୁଁ ତା’କୁ ଧରେନି,
ଲୁହ ଗଡି ପଡ଼ିଲେ
ମୁଁ ତା’କୁ ଅଟକାଏନି—
ଦୁହେଁ ମେଘ,
ମୁଁ ଆକାଶ।
ସ୍ମୃତି ବନ୍ଧନ ନୁହେଁ,
ମୋକ୍ଷ ମଧ୍ୟ ନୁହେଁ—
ସେ ତ ଏକ ସୂଚନା,
ଯେ ମୁଁ
ସମୟ ନୁହେଁ,
ଘଟଣା ନୁହେଁ,
ବେଦନା ନୁହେଁ।
ଯେଦିନ ମୁଁ ଦେଖିପାରିବି—
ସ୍ମୃତି ଉଠୁଛି ମୋ ଭିତରେ,
କିନ୍ତୁ ମୁଁ ସ୍ମୃତି ନୁହେଁ,
ସେଦିନ
ରୁପାଜନ୍ହ ମଧ୍ୟ
ଲୟ ହୋଇଯିବ ଆକାଶରେ।
ତା’ପରେ—
ନା ଆଲୋକ ଥିବ,
ନା ଅନ୍ଧାର ଥିବ,
କେବଳ
ଯାହା ଥିବ , ସେଇ ହିଁ ଥିବ ।
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply