ସେଦିନ ମହାନଦୀ କୂଳେ
ସନ୍ଧ୍ୟା ଆସୁଥିଲା ଧୀରେ ଧୀରେ,
ନଈର ପାଣି ଉପରେ
ସୂର୍ଯ୍ୟ ତୁମ ମୁହଁରେ ରଙ୍ଗ ବୋଳିଥିଲା
ଠିକ ରକ୍ତିମାର ରଙ୍ଗ ।
ଆମେ ଦୁହେଁ ବସିଥିଲେ,
ହସୁଥିଲେ
ନୀରବତାକୁ ହସାଇବା ପାଇଁ ,
ହାତରେ ଛୋଟ ଛୋଟ ଗୋଡି
ଆଉ ମନରେ ଅକୁହା କଥା ।
ଗୋଡି ଫିଙ୍ଗୁଥିଲେ ନଈ ପାଣିକୁ,
ଚାହାଁଣୀରେ ଚାହାଁଣୀ ମିଶାଇ
ମାପୁଥିଲେ —
କାହା ସ୍ୱପ୍ନ କେତେ ଦୂର ଯାଉଛି ।
ସବୁବେଳେ ମୋ ଗୋଡି
ଯାଉଥିଲା ତୁମଠୁ ଆଗକୁ,
ତୁମ ମୁହଁ ଦେଖି
ମୋ ହାତ ନିର୍ବଳ ହୋଇଲା
ଗୋଡ଼ିର ଦୂରତାକୁ
ଫେରାଇ ଆଣିଲି ।
ଆଖିରେ ତୁମ ଖୁସିର ତରଙ୍ଗ,
ନଈର ଗଭୀରତା ଛାଡ଼ି
ଗୋଡି ମୋର ଫେରୁଥିଲା
ମୋ ହୃଦୟ ପାଖକୁ ।
ଆନନ୍ଦରେ ତାଳି ମାରୁଥିଲ ତୁମେ,
ତୁମ ତାଳିର ଶବ୍ଦରେ
ମୋ ହାରିବା ପ୍ରେମର
ସବୁଠୁ ମିଠା ଜିତ ହୋଇଥିଲା ।
ମୋ ହାରିବାରେ ତୁମେ ହସୁଥିଲ ।
ଖେଳ ଶେଷେ ମୋ ମୁହଁକୁ ଚାହିଁ
ତୁମେ ମଜାକରେ କହିଥିଲ —
“ଯାଃ… ବିଚରା,
ମୁହଁ ଶୁଖିଗଲା କି ????
ଏମିତି କଣ ଜିତୁଥାନ୍ତ
ସବୁବେଳେ ତୁମେ ?”
ଫିକ କିନା ହସିଦେଲ ତୁମେ,
ତୁମ ହସରେ
ମୋ ମନ ଭରିଗଲା,
ଯେମିତି ନଈ
ପ୍ରଥମ ବର୍ଷାରେ ଭରିଯାଏ ।
ହସିହସି ମୁଁ କହିଲି —
ତୁମେ ଜିତିଗଲେ
ଖୁସିରେ ମୁଁ ନିର୍ବାକ ହୁଏ
ପ୍ରେମରେ ମୁଁ ହାରିବାରେ
ଆନନ୍ଦ ହୁଏ ।
ଲାଗେ ପାଇଛି ମୁଁ ସବୁକିଛି ।
ସେଦିନ ମହାନଦୀ କୂଳ ସନ୍ଧ୍ୟା
ଚୁପି ଚୁପି ମୋ କାନେ କୁହିଲା
ତୁମ ପାଖେ ହାରିବାରେ ଅଛି
ନିଆରା ଆନନ୍ଦ,
ଯାହା ଜିତିବାରେ ମିଳେନା ।
*****
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063
