ଓଠ ତ ଏମିତି କୋମଳ ମଧୁର ପ୍ରୀତିର ଅମୃତ ଧାରା,
ଓଠକୁ ଓଠରେ ମିଶାଇ ଦେଖିଚି ଅନେକ ସ୍ବପ୍ନ ପସରା,
ଓଠ କହୁଥାଏ ଥରି ଥରି କେବେ ଅକୁହା ବେଦନା କୋହ,
ଓଠ କୁ ଦାନ୍ତରେ ଛୁଆଁଇ ଭାଙ୍ଗିଛି ଅନେକ ସମ୍ପର୍କ ମୋହ ll
ଓଠ ବାଙ୍କି ଗଲେ ଅସୂୟା ଅଜାଡେ ଅପବାଦର ନାଗରା,
ଓଠ ଫୁଲିଗଲେ ଗଦା ଗଦା ସ୍ନେହ କହେ ଇତିହାସ ସାରା,
ଓଠ ଚାପି ଦେଲେ ନରମି ସରମି ମନ୍ତ୍ରଣାର କୁହେଳିକା,
ଓଠ ଖୋଲିଦେଲେ ସମ୍ପର୍କର ସେତୁ ହୋଇଯାଏ ପ୍ରହେଳିକା ll
ଓଠ ରେ ସ୍ୱର୍ଗୀୟ ଅମୃତେ ଭରିଛି କେତେ ଆଶ୍ୱାସନା ମାନ,
ଓଠ ବେଳେ ବେଳେ ଆଘାତ ପାଇଲେ ମିଳିଯାଏ ଅପମାନ,
ଓଠକୁ ଓଠରେ ଚାପି ଚୁପି ଦେଲେ ପ୍ରଣୟ ଲାଳସୀ ଭାବ,
ଓଠକୁ କପୋଲେ ଛୁଆଁଇଁ କେ ପାଏ ଅପତ୍ୟବନ୍ଧନ ଲାଭ ll
ଓଠ ଏ ମାଟି ମଟାଳ ଦେହଳୀ ଭବ ମୁକ୍ତି ସ୍ବର୍ଗ ଦ୍ଵାର
ଓଠ ନୀରବିଲେ ଅବୁଝା ଜଗତ ଓଠ ପ୍ରେମର ଭଣ୍ଡାର ll
ବିନୟକୁମାରମିଶ୍ର
ମଲ୍ଲିପୁର, ଗଡ଼ ନିଆଳ,
ଖୋର୍ଦ୍ଧା
