କିଛି ହସର ରୂପା ଆଲୋକ,
କିଛି ଲୁହର ନିରବ ଅନ୍ଧାର,
ହୃଦୟ ମଧ୍ୟରେ ସାଥି ହୋଇ ଚାଲୁ ଥାନ୍ତି
ସମୟର ସୂତାରେ ବାନ୍ଧିହୋଇ ।
କିଛି ସ୍ବପ୍ନ ଆକାଶକୁ ଛୁଁଅନ୍ତି,
କିଛି ମରୀଚିକା ତାତିଲା ମରୁଭୂମିରେ
ପାଦଚିହ୍ନ ହୋଇ ଯନ୍ତ୍ରଣା ଦିଏ।
ଆଶା ଓ ଭ୍ରମ ମଧ୍ୟରେ
ମନ ହୋଇଯାଏ ଭ୍ରମଣଶୀଳ।
ଭିଡ଼ ଭିତରେ ବି
ଏକା ଏକା ଲାଗେ—
ହଜାର ମୁହଁ, ହଜାର କଥା,
ତଥାପି କାହା ସହ
ମନର ଭାଷା ମିଳେନା।
ନିଜକୁ ନିଜେ ଖୋଜିବାରେ
ସମୟ ସବୁ ସରିଯାଏ।
ମନ ଯାହା ଖୋଜେ
ତା କେବେ ମିଳେନା,
ଆଉ ଯାହା ମିଳେ
ସେଥିରେ ମନ ଭରେନା।
ଏଇ ଅପୂର୍ଣ୍ଣତାରେ ହିଁ
ଜୀବନ ଶିଖେଇଦିଏ
ଧୈର୍ୟର ଅକ୍ଷରମାଳା।
କେବେ ସାଥି ହୋଇଯାଏ ପର,
ଯାହାକୁ ଭାବିଥିଲୁ ସଦା ରହିବ—
ସେ ଦିନେ ଶବ୍ଦ ହୋଇ ରହିଯାଏ
ସ୍ମୃତିର ଖାତାରେ ନାମଟିଏ ହୋଇ।
ଅଚିହ୍ନା ବି ଲାଗେ ଅତି ଆପଣାର—
ଦୁଇଟି କଥା,
ଦୁଇଟି ଦୃଷ୍ଟି,
ଆଉ ଏକ ନିରବ ବୁଝାମଣା
ସମ୍ପର୍କକୁ ନାଁ ଦେବା ପୂର୍ବରୁ
ହୃଦୟକୁ ଛୁଇଁଯାଏ।
ସାଲିସ କରିକରି
ଜୀବନ ସରିଯାଏ—
ନିଜ ସହ, ଅନ୍ୟ ସହ,
ଭାଗ୍ୟ ସହ ଓ ସମୟ ସହ।
କେବେ ମନକୁ ବୁଝାଉ,
କେବେ ନିଜକୁ ଭୁଲାଉ—
ଏଇ ମଧ୍ୟରେ
ବୟସ ଆଗକୁ ବଢ଼ିଯାଏ।
ଉତ୍ତର ଖୋଜୁଥିବା
ପ୍ରଶ୍ନଗୁଡ଼ିକ
ଅକୁହା ରହିଯାଏ,
ଅଜଣା ରହିଯାଏ—
ସମ୍ଭବତଃ
ସେଇ ଅଜଣା ଭାବ ହିଁ
ଜୀବନର ସବୁଠାରୁ ସତ୍ୟ ଉତ୍ତର।
କାରଣ
ଜୀବନଟା ଏମିତି—
ସବୁକିଛି ମିଳିବା ପାଇଁ ନୁହେଁ,
କିଛି କଥା
ମନରେ ରହିଯିବା ପାଇଁ,
ଆଉ କିଛି ଯନ୍ତ୍ରଣା
ମଣିଷକୁ ମଣିଷ କରିଦେବା ପାଇଁ।
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063
