ନାରୀ

କାମୁକ ଭ୍ରମର ସଦ୍ୟ ପ୍ରସ୍ଫୁଟିତ ପୁଷ୍ପ ମଧୁ ଆଶେ ଧାଏଁ,
ଏ ଫୁଲୁ ସେ ଫୁଲେ ଘୁରି ଘୁରି ନିତି ମଧୁପାନ କରୁଥାଏ।

କୋମଳ ପୁଷ୍ପର ରେଣୁ ଭରା ଦଳେ ଚୁମିଯାଏ ବାର ବାର,
ବୁଝେନାହିଁ କେବେ ହୃଦୟର ବ୍ୟଥା
ସୁଗନ୍ଧିତ ସେ ପୁଷ୍ପର।

କବିବର ଭାଷେ ନାରୀ ଜଗତର ପୂଜନୀୟା ବନ୍ଦନିୟା,
ପୁରୁଷ ଚକ୍ଷୁରେ ଛଳନାମୟୀ ସେ
ରୂପେ ଦିଶେ କମନୀୟା।

ରୂପ ଆକର୍ଷଣ ବୀଟକୁ କରଇ ହୃଦକୁ ଚିହ୍ନେ ପ୍ରେମିକ,
ଚରିତ୍ରକୁ ଚିହ୍ନେ ଉତ୍ତମ ପୁରୁଷ ଅଛି ଯାହାର ବିବେକ।

କଟୁ ମଧୁରତା ସତ୍ୟ ଏ ଜଗତେ କେ ଚିହ୍ନେ ନାରୀକୁ ସତେ,
ରୂପକୁ ଦେଖି ଯେ ଆପଣାର କରେ
ରୂପ ଗଲେ ମାରେ ନାତେ।

ହୃଦୟକୁ ଜାଣି ଆପଣାର କଲେ ସମୟ ସହ ବଦଳେ,
ବ୍ୟବହାର ଦେଖି ବଦଳାଏ ମନସନ୍ଦେହରେ ଅବା କାଳେ।

ଚରିତ୍ରକୁ ଦେଖି ବୁଝି ଯେଉଁ ଜନ ଆପଣାର କରିଥାଏ,
ସୁଖେ ଦୁଃଖେ ତାର ପ୍ରାଣପ୍ରିୟା ହୋଇ
ସଦା କାଳ ରହିଥାଏ।

ଏ ଚରମ ସତ୍ୟ ସମ୍ମାନ ସୁହାଗ ପ୍ରୀତି ଅନୁରାଗ ନେଇ,
ନାରୀକୁ ବାନ୍ଧିଛି ପ୍ରେମର ବନ୍ଧନେ ଉତ୍ତମ ପୁରୁଷ ସେହି।

ଜନନୀ ଭଗିନୀ କନ୍ୟା ଜାୟା ପୁଣି ଜୀବନର ଚଲାପଥେ,
ଆକଟ ଆବଦ୍ଧ ଆସକ୍ତ ଆନନ୍ଦ ଦେଇଥାଏ ଅବିରତେ।

ସୃଷ୍ଟି ସ୍ଥିତି ଲୟ ସ୍ଥାନେ ସେ ଅଭୟ ଅଫୁରନ୍ତ ଫଲ୍ଗୁ ଧାରା,
ଶତ କୋଟି ତାର ପଦେ ପ୍ରଣମୁଛି ଧରା ଅମୃତ ପସରା।

ବିନୟ କୁମାର ମିଶ୍ର
ମଲ୍ଲିପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply