ଇନ୍ଦ୍ରଧନୁ

କହ୍ନେଇ ମଥାରେ ମୟୂର ଚନ୍ଦ୍ରିକା
ସାତ ରଙ୍ଗେ ରଙ୍ଗାୟିତ
କଳା ମେଘ ଦେହେ ଇନ୍ଦ୍ରଧନୁ ଶୋହେ
ସାତ ରଙ୍ଗ ଚାରୁଚିତ୍ର ।

ଅଜଣା ଶିଳ୍ପୀର ତୂଳୀରେ ଅଙ୍କିତ
କମନୀୟ ରୂପ କାନ୍ତି
କବି ଭାବୁକର ଚିନ୍ତା ଚେତନାର
ରଙ୍ଗୀନ୍ ପରଜାପତି ।

ସାତଟି ରଙ୍ଗର ମଧୁର ସଂଯୋଗ
ସରଜେ ଧନୁର ଭ୍ରମ
ମାଟିରୁ ଆକାଶ ସୁନ୍ଦର ସୁବେଶ
ମଞ୍ଜୁଳ ମନୋରମ ।

ସାତସୁରେ ବନ୍ଧା ମଣିଷ ଜୀବନ
ସପ୍ତାହକ ସାତ ବାର
ସମୟ ସହିତ ରଙ୍ଗର ସଂଯୋଗ
ଇନ୍ଦ୍ରଧନୁ ଚମତ୍କାର ।

ସାତ ରଙ୍ଗ ତା’ର ସାତ କଥା କହେ
ଜୀବନ ଜୀବିକା ପାଇଁ
ଆମେ ତ ମଣିଷ ବାଣ୍ଟିବା ହରଷ
ଆତ୍ମ ପର ଭୁଲିଯାଇ ।

ଅନ୍ତର୍ମୁଖୀ ଚିନ୍ତା ବାଇଗଣୀ ରଙ୍ଗ
ଘନନୀଳ ଶ୍ରଦ୍ଧା ଭକ୍ତି
ତ୍ୟାଗର ମହତ୍ତ୍ଵ ନୀଳରେ ସୂଚିତ
ସବୁଜ ଜଗାଏ ଶାନ୍ତି ।

ହଳଦିଆ ରଙ୍ଗ ଖୁସି ଆନନ୍ଦର
ସାହସ ପ୍ରତୀକ ଲାଲ୍
ନାରଙ୍ଗୀ କହୁଛି ମମତାର କଥା
ସଂସାରର ହାଲଚାଲ୍ ।

ବରଷା ସହିତ ତୁମ ଆଗମନ
ଖୁସିର ସନ୍ଦେଶ ନେଇ
ବରଷା ଝରିବ ଉତ୍ତାପ କମିବ
ସବୁଜ ଦିଶିବ ମହୀ ।
ଧନ୍ୟ ତୁମେ ଇନ୍ଦ୍ରଧନୁ
ଯିଏ ବି ଦେଖିବ ଘଡିଏ ଚାହିଁବ
ପାସୋରି ଯିବନି ମନୁ ।

Leave a Reply