ପ୍ରେମିକାର ନାଁ ମୁଁ ଜାଣିଛି.ସଭିଙ୍କୁ କହିବାର ସାହସ ହେଉନି. କେମିତି କହିପାରିବି. ଜୀବନଟି ବି ମୋର ସେମିତି.
ଜୀବନ ମୋର ଅଜସ୍ର ଅପାସୋରା ସ୍ମୃତିର ଉପହାର. କେବେ କେବେ ଗୋପନ ସ୍ମୃତିର ଶରଶଯ୍ୟା ମୋ ମନ, ପ୍ରାଣ ଓ ଚେତନାକୁ ମଥିତ କରେ, ଅବ୍ୟକ୍ତ ବେଦନାରେ ମୁଁ ମ୍ରିୟମାଣ ହୋଇପଡ଼େ. ମୋର ଏହି ଆନ୍ତର୍ଦହନକୁ ଈଶ୍ୱର ଓ ମୁଁ ବ୍ୟତୀତ ଆଉ କିଏ ବା ବୁଝିପାରିବ?ସ୍ମୃତି ପାଉଁଶ ତଳର ନିଆଁ. ଟିକେ ସହୃଦୟତା, ଚିରୁତାଏ ସହାନୁଭୂତି ତାକୁ ପ୍ରଜ୍ବଳିତ କରିପାରେ. ସ୍ରଷ୍ଟା ଯଦି ଆପଣା ଭିତରେ ଏ ଦହନକୁ ସହି ଯେଉଁ ସର୍ଜନା କରେ ତାହା ସ୍ବର୍ଗୀୟ ଶତଦଳ ସମ ଚିରଅମ୍ଲାନ ଓ କାଳଜୟୀ ହୋଇଯାଏ.
ତେଣୁ ମୋ ପ୍ରେମିକାର ନାଁ ଟି ଗୋପନ ରଖି ମୋର ଏଇ ଆତ୍ମଲିପି ଲେଖିବାକୁ ଇଛା କଲି. ଦୁଇଟି କରୁଣ ଚରିତ୍ର ଗୋଟିଏ ମୁଁ ଓ ଅନ୍ୟଟି ମୋର ପ୍ରେୟସୀ (ଯାହାର ନାଁ ଲେଖିବାର ସାହସ ମୋ ପାଖେ ନାହିଁ ) ପାଠକଙ୍କ ହୃଦୟକୁ କରୁଣ ରସରେ ଦ୍ରଵିଭୂତ କରିଦେବ ବୋଲି ମୋର ଆଶା ଓ ବିଶ୍ୱାସ ରଖି ଆରମ୍ଭ କରୁଛି.
ଆତ୍ମଲିପି ଲେଖିଲା ବେଳେ ବାରମ୍ବାର ପ୍ରେମିକା ଲେଖିବାର ଇଛାକୁ ମୋର ପ୍ରଶମିତ କରିବା ପାଇଁ ଏକ କଳ୍ପନା ନାଁ ରେ ତାକୁ ମୁଁ ନାମିତ କରି ଆତ୍ମଲିପି ଲେଖିବା ଆରମ୍ଭ କଲି. ଧର ମୋ ପ୍ରେମିକାର ନାଁ ଆଞ୍ଜେଲ (ଏପରି ନାଁ ପଛରେ କାରଣ ଯେ ଯଦି ମୁଁ ପ୍ରଚଳିତ ଝିଅମାନଙ୍କ ନାଁ ଟି ଲେଖିଦେଇଥାନ୍ତି କାଳେ ସେଇ ନାଁ ରେ ଥିବା ଝିଅଟି ମନରେ କି ଭାବନା ସୃଷ୍ଟି ହେବ ତା ମୋ କଳ୍ପନା ବାହାରେ ) ଆମ ଦୁହିଁଙ୍କ ଭଲପାଇବା ନିକଟରେ ଆଞ୍ଜେଲ ମୋ ନିକଟରେ ନିଜକୁ ଉତ୍ସର୍ଗ କରିଦେବା ପରେ ପ୍ରତି ମୁହୂର୍ତ୍ତ ପାଲଟି ଯାଇଛି ସବୁଜ ସ୍ବପ୍ନ ଓ ଗୋଲାପୀ ନିଶାର ମୁହୂର୍ତ୍ତ. ପରସ୍ପର ପ୍ରତି ଆନୁଗତ୍ୟ, ଅନୁରାଗ କ୍ରମେ ନିବିଡ଼ ଭଲ ପାଇବାରେ ପରିଣତ ହୋଇଛି. ତା ସହ ଏକାନ୍ତରେ ବାର୍ତ୍ତାଳାପ କରିବାକୁ ପୁରୀ ସମୁଦ୍ରକୁଳରେ ବୁଲିବା,ହୋଟେଲରେ ଏକାଠି ଭୋଜନ କରିବା ବି ଆମେ କରିଛୁ. ଉଭୟଙ୍କ ଅବାଧ ମିଳାମିଶା ଭିତରେ ସମ୍ପର୍କ ଆମର ପ୍ରେମର ରୂପ ନେଇ ଯାଇ ବିଭାବ ପ୍ରସ୍ତାବ ନିଷ୍ପତ୍ତି ଯାଏଁ ଚାଲି ଯାଇଛି.ହେଲେ ଶେଷ ନିଷ୍ପତ୍ତି ନେବା ମୋ ପାଖେ ଅସମ୍ଭବ ହୋଇପଡିଛି. ତାର ଦୁଇଟି ଚିଠି ମୋତେ ମର୍ମାହତ କରିଛି. ମୁଁ କିନ୍ତୁ ନିରୁତ୍ତର. ସମାଜର ରକ୍ଷଣଶୀଳତା, ପରିବାର ଓ ନିଜର ଆତ୍ମସମ୍ମାନ ମୋତେ ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି କରିଛି. ମୋର ଦୀର୍ଘ ନୀରବତ୍ତା ଆଞ୍ଜେଲ କୁ ଶକ୍ତ ଧକ୍କା ଦେଇଛି. ସ୍ମୃତି ସବୁ ହଜିଗଲା. ହେଲେ ସ୍ମୃତି ହୋଇଗଲା ଅଧିକ ଜୀବନ୍ତ.
ଜୀବନର ପ୍ରଥମ ଚାକିରୀ ମୋର ହୋଇଗଲା କଟକ ସହର ବୋର୍ଡ଼ ଅଫିସରେ. କଟକ ସହର ମୋ ପାଇଁ ଥିଲା ନୂଆ. ବୋର୍ଡ଼ ଅଫିସର ଦୋଳମୁଣ୍ଡାଇଠାରେ ଏକ ଭଡାଘରେ text book ସେକ୍ସନରେ join କଲି. ସେକ୍ସନ ଅଫିସର ଥିଲେ ପ୍ରସନ୍ନ ବାବୁ,ଅନ୍ୟ କର୍ମଚାରୀ ଭିତରେ ଯୋଗୀ ବାବୁ, ଧୁରନ୍ଧର ବାବୁ, ବାଳକୃଷ୍ଣ ବାବୁ, ପୂର୍ଣ୍ଣ ବାବୁ, ରସାନନ୍ଦ ବାବୁ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିତରେ ଶ୍ୟାମ, ମାୟାଧର ଓ ରମେଶ ଥିଲେ. ସମସ୍ତେ ବହୁତ ଭଲ ଓ ସ୍ନେହିଁ ମଣିଷ ଥିଲେ.ତେଣୁ ମୋତେ ନୂଆ ଚାକିରୀର କିଛି ଭୟ ଲାଗିଲା ନାହିଁ. ପ୍ରସନ୍ନ ବାବୁ ମୋତେ ଆମ ଗାଁ ଓ ପରିବାର ବିଷୟରେ କିଛି ପଚାରି, ବାଳକୃଷ୍ଣ ବାବୁଙ୍କୁ ତାଙ୍କ ମେସରେ ରହିବାର ମୋର ବନ୍ଦୋବସ୍ତ କରିଦେଲେ. ସେତେବେଳେ ଅଫିସ ସମୟ 10 ଟାରୁ 4ଟା ପର୍ଯ୍ୟନ୍ତ ଥିଲା. 4ଟା ପରେ ମୁଁ ବାଳକୃଷ୍ଣ ବାବୁଙ୍କ ସହ ତାଙ୍କ ମେସକୁ ଗଲି. ସେ ମେସରେ ଆଉ ଦୁଇ ଜଣ ବି ରହୁଥିଲେ.ମୋତେ ମିଶାଇ ଚାରି ଜଣ ରହିବୁ.ବଡ଼ ରୁମଟେ ଚାରଟି ଖଟ ପଡି ଆଉ ଟିକେ ଜାଗା ବି ଥିଲା. ବାଳକୃଷ୍ଣ ବାବୁଙ୍କ ଗାଁ ପୁରୀ ଜ଼ିଲ୍ଲା ବାଳକାଟୀ ପାଖରେ. ବହୁତ ଭଲ ଲୋକ ପ୍ରଥମ ଦେଖାରୁ ସେ ମୋତେ ଭଲ ଲାଗିଥିଲେ.ତେଣୁ ତାଙ୍କ ପାଖରେ ରହିଲେ ମୋର କିଛି ଅସୁବିଧା ହେବନି ଭାବି ସେଠାରେ ରହିବାକୁ ହଁ କଲି. ମୁଁ କିନ୍ତୁ ସାଙ୍ଗରେ କିଛି ଆଣିନଥିଲି ରହିବି କିପରି. ବାଳକୃଷ୍ଣ ବାବୁଙ୍କୁ କହିଲି ମୁଁ ଆଜି ଭୁବନେଶ୍ୱର ଫେରି ଯାଉଛି, ଶନିବାରଦିନ ଗାଁକୁ ଯାଇ ମୋର ରହିବା ପାଇଁ ଶେଜ ତକିଆ ବେଡ଼ଶୀଟ ଚାଦର ଓ ଚଳିବା ପାଇଁ ସବୁ ଜିନିଷ ସାଙ୍ଗରେ ଧରି ସୋମବାର ଦିନ ଆସିବି. ଏହାକହି ଭୁବନେଶ୍ୱର ଫେରି ଆସିଲି. ଶନିବାର ଦିନ ଅଫିସ ସାରି ଗାଁକୁ ଆସିଲି. ଘରେ ସମସ୍ତେ ଖୁସି କହିଲେ ନସରେ. ମୋ ମନ ବି ଖୁସିରେ କୁଣ୍ଡେମୋଟ ହୋଇଗଲା. ସାନନନା ମୋର ମେସରେ ରହିବା କଥା ଶୁଣି କହିଲେ ତୁ ମେସରେ ନରହି ହାଲୁ ଭାଇନାଙ୍କ ଘରେ ରହିବୁ. ମୁଁ ତୋ ସହ ସୋମବାର ଦିନ କଟକ ଯାଇ ତାଙ୍କ ସହ କଥା ହୋଇ ସେଠାରେ ରହିବାର ଠିକ କରି ଆସିବି. ସୋମବାର ଦିନ ଆମେ କଟକ ଆସିଲୁ ମୁଁ ଅଫିସ ଗଲି ଓ ନନା ହାଲୁକକେଇଙ୍କ ଘରକୁ ଗଲେ. ମୁଁ ଅଫିସରେ ପହଞ୍ଚି ବାଳକୃଷ୍ଣ ବାବୁଙ୍କୁ ରହିବା କଥା ସବୁ କହିଲି. ମୋ କଥା ଶୁଣି ସେ ହସିକି କହିଲେ ଭଲ ହେଲା କକେଇଙ୍କ ଘରେ ରହିଲେ ତୁମର କିଛି ଅସୁବିଧା ହେବନି. ଯେତେବେଳେ ଚାହିଁବ ମୋତେ କହିଲେ ମୁ ତୁମକୁ ଆମ ମେସରେ ରଖିଦେବି. ସେଦିନ ଅଫିସ କାମ ସାରି ସିଧାଗଲି ହାଲୁ କକେଇଙ୍କ ଘରକୁ. କକେଇଙ୍କ ଘରେ ମୋ ଚାକିରୀ କଥା ଶୁଣି ସମସ୍ତେ ଭାରି ଖୁସି ହେଲେ. କକେଇ କହିଲେ ମୋର ଆଉ ଗୋଟିଏ ଘର ଅଛି. ସେ ଘରକୁ ଆମେ ଟିକେ ପରେ ଯିବୁ. ସେ ଘରେ ଏବେ ବାଜିଆ ଓ ନୃସିଂହ ଅଛନ୍ତି ତୁ ସେଠାରେ ରହିବୁ. ସେଦିନ କକେଇଙ୍କ ଘରେ ନନାଙ୍କ ସହ ରହି ତା ପର ଦିନ ମୁଁ ଅଫିସ ଆସିଲି. କକେଇଙ୍କ ନୂଆ ଘର ଆମ ଅଫିସରୁ ଟିକେ ଦୂରରେ ଥିଲା. ମୁଁ ସବୁଦିନ ବସରେ ମଧୁପଟଣା ଛକରୁ ଅଫିସ ଆସେ. ବାଜିଆ ଭାଇନା ସକାଳୁ ସବୁ କାମ ସାରି ରୋଷେଇ କରନ୍ତି. ମୁଁ ସକାଳେ ଓ ରାତିରେ ତାଙ୍କ ପାଖେ ଖାଏ.
ଆଞ୍ଜେଲ ସହ ପ୍ରଥମ ଦେଖା : ସବୁଦିନ ସକାଳେ ମୁଁ ଘର ପାଖାପାଖି ବୁଲାବୁଲି କରେ. କିଛିକିଛି ନୂଆ ଲୋକଙ୍କ ସହ ପରିଚୟ ହେଲାଣି. ସେଠାକାର ବାଟଘାଟ ବିଷୟରେ ବି ଜଣାଶୁଣା ହେଲିଣି. କକେଇଙ୍କ ଘର ମୋତେ ଏବେ ଭଲ ଲାଗିଲାଣି. ଆମ ପଡୋଶୀ ମାନଙ୍କ ସହ ପରିଚୟ ହେଲାଣି. ଆମ ଘରକୁ କିଛି ଘର ଛାଡି ଗୋଟିଏ କେରଳି ପରିବାର ରୁହନ୍ତି. ଟିକେ ଥିଲାବାଲା ପରିବାର. ମା,15 16 ବର୍ଷର ଝିଅଟିଏ ଓ ଡ୍ରାଇଭର .
ଘର କାମ ପାଇଁ ରୋଷେଇ କରିବା ପାଇଁ ଦୁଇ ଜଣ ସ୍ତ୍ରୀ ଲୋକ ସବୁଦିନ ଆସନ୍ତି. ଝିଅଟି କନଭେଣ୍ଟ ରେ ପଢେ. ବସ୍ ରେ ସବୁଦିନ ସ୍କୁଲ ଯିବା ଆସିବା କରେ. ମା ଜଣଙ୍କ ଭାରି ନମ୍ର ଓ ସ୍ନେହୀ ଲୋକ।ତାଙ୍କ ସହ ମୋର ସବୁଦିନ ପ୍ରାୟେ ସକାଳେ ଦେଖାହୁଏ।କକେଇଙ୍କ ଘରେ ଗୋଟେ ପୁରୁଣା ହାରମୋନିୟମ ଥାଏ. ମୁଁ ସବୁଦିନ ସକାଳେ ଓ ସନ୍ଧ୍ୟାରେ ହାରମୋନିୟମ ବଜାଏ।
ମୁଁ ହାରମୋନିୟମ ସୁନ୍ଦର ବଜାଇପାରେ।ଦିନେ ମୁଁ ବାଟରେ ଯାଉ ଯାଉ ସେଇ କେରଳି ସ୍ତ୍ରୀ ଲୋକଙ୍କ ସହ ଭେଟ ହୋଇଗଲା।ସେ ମୋତେ ରାସ୍ତାରେ ଅଟକାଇ ପଚାରିଲେ ଆପଣଙ୍କର ଏ ଘର କଣ ନିଜର। ଆଗରୁ ତ ମୁଁ ଆପଣଙ୍କୁ ଏଠାରେ ଦେଖିନି।ଆପଣ କଣ କରନ୍ତି ଇତ୍ୟାଦି ଇତ୍ୟାଦି।ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଗଲି କାରଣ ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ଯେ ସ୍ତ୍ରୀ ଲୋକ ଜଣଙ୍କ ଆଗ ମୋ ସହ ରାସ୍ତାରେ କଥା ହୋଇ ଏତେ କଥା ପଚାରିବେ।ତଥାପି ମୁଁ ତାଙ୍କୁ କହିଲି ଯେ ଏ ଘର ମୋ କକେଇଙ୍କର ମୁଁ ବୋର୍ଡ଼ ଅଫିସରେ ଚାକିରୀ ଏବେ ପାଇଲି, କକେଇଙ୍କ ଘର ଖାଲି ଥିବାରୁ ଏଇଠି ରହି ଅଫିସ ଯିବା ଆସିବା କରୁଛି. ସେ ପୁଣି ପଚାରିଲେ ତୁମେ ତ ସୁନ୍ଦର ହାରମୋନିୟମ ବଜାଇ ପାରୁଛ. ମୁଁ ଦୁଇ ଓଳି ଶୁଣେ. ବହୁତ ଭଲ ଲାଗେ।ନମ୍ରତାର ସହ ଟିକେ ହସିଦେଇ ମୁଁ ଘରକୁ ଫେରି ଆସିଲି.
ଆଜିକାଲି ପ୍ରାୟେ ସବୁଦିନ ମୋର ସେ କେରଳି ସ୍ତ୍ରୀ ଲୋକଙ୍କ ସହ ଦେଖାସାକ୍ଷାତ ହୁଏ।ତାଙ୍କୁ ଦେଖିଲେ Good morning madam କହି ମୁଁ ଅଫିସ ବାହାରି ଯାଏ. ସେ ବି ହସ ହସ ମୁହଁରେ welcome କହି ଦିଅନ୍ତି।ଆମେ ଦୁହେଁ ଏବେ ଟିକେ ଉଭୟଙ୍କ ପାଖେ ସହଜ ହୋଇଗଲୁଣି.ଉଭୟଙ୍କ ପରିବାର ବିଷୟରେ ଦୁହେଁ କିଛିକିଛି କଥା ହେଲୁଣି. ସ୍ତ୍ରୀ ଲୋକଙ୍କର ନାଁ ଚିତ୍ରଲେଖା ସ୍ୱାମୀଙ୍କ ନାଁ ପ୍ରଶାନ୍ତ ଚୌହାନ, ଝିଅ ନାଁ ଆଞ୍ଜେଲ.ସ୍ତ୍ରୀ ଲୋକ ଜଣଙ୍କ ଟିକେ ଭାବ ପ୍ରବଣତା ହୋଇ କହିଲେ ଆମ ପରିବାର ହିନ୍ଦୁ ଥିଲୁ.ସ୍ୱାମୀ ଙ୍କର ଅନେକ ଖ୍ରୀଷ୍ଟିଆନ ସାଙ୍ଗ ଥିଲେ. ସେମାନଙ୍କ ପ୍ରରୋଚନାରେ ସେ ଖ୍ରୀଷ୍ଟ ଧର୍ମକୁ ଭଲପାଇବା ଆରମ୍ଭ କରି ଶେଷକୁ ଖ୍ରୀଷ୍ଟ ଧର୍ମାଲମ୍ବୀ ହୋଇଗଲେ।ବିଶପ ଏଙ୍କୁ ବହୁତ ଭଲ ପାଉଥିଲେ. ଶେଷକୁ ଓଡ଼ିଶାରେ ଖ୍ରୀଷ୍ଟ ଧର୍ମର ପ୍ରଚାର କରିବା ପାଇଁ ମୁଖ୍ୟ କରି ଓଡିଶା ପଠାଇ ଦେଲେ। ଆଞ୍ଜେଲ ଏଇ କଟକରେ ହିଁ ଜନ୍ମ ଗ୍ରହଣ କରିଛି. ଓଡିଶା ଆସିବା ଆମର ସତର,ଅଠର ବର୍ଷ ହୋଇଗଲାଣି।ଆମେ ପରିବାର ସହ ଅନେକବାର କେରଳ ଯାଇଛୁ.ବର୍ଷକ ତଳେ ଗୋଟେ କାର accident ରେ ଏଙ୍କର ଦେହାନ୍ତ ହୋଇଗଲା. କଟକରେ ବାକି ଜୀବନ ରହିବାକୁ ଇଛା କରି ଏଠାରେ ଘର କରି ରହିଗଲୁ।ଆଞ୍ଜେଲ କନଭେର୍ଟ ରେ ଦଶମ ଶ୍ରେଣୀରେ ପଡୁଛି. ଭଲ ପାଠପଢୁଛି।ଆପଣଙ୍କ ପରିବାର ବିଷୟରେ କିଛି କୁହନ୍ତୁ। ମୁଁ ମୋ ନାଁ ସହ ମୋ ପରିବାର ବିଷୟରେ ସବୁ କହିଦେଲି. ମୋ ନାଁଟିକୁ ଭଲ ଭାବରେ ସେ ଉଚ୍ଚାରଣ କରିନପାରି କହିଲେ ମୁଁ ଆଣଙ୍କୁ ମିଶ୍ରାଜି ଡାକି ପାରିବି କି? ମୋତେ ହସ ମାଡିଲା. ମୁଁ କହିଲି ଆପଣ ଙ୍କ ଇଛା. ଆମେ ତାଙ୍କ ଗେଟ ମୁହଁରେ କଥା ହେଉଥିଲୁ ସେ ମୋତେ ଘର ଭିତରକୁ ଡାକି କଥା ହେବାକୁ କହିଲେ। ମୁଁ ଭିତରକୁ ଯାଇ ସୋଫାରେ ବସିଲି. ସେ ରୋଷେଇ ଘରକୁ ଗଲେ।ଘରକୁ ସୁନ୍ଦର ଭାବେ ସଜାଇଛନ୍ତି ଯୀଶୁଙ୍କର ଗୋଟେ ତୈଳ ଚିତ୍ର କାନ୍ଥରେ ଟଙ୍ଗା ହୋଇଛି।ଦୁଇକପ ଚା ଧରି ମୋ ପାଖ ସୋଫା ଉପରେ ବସି ଚା ପିଇବାକୁ ଅନୁରୋଧ କରିଲେ ମୁଁ ପଚାରିଲି ଆଞ୍ଜେଲ ଘରେ ନାହିଁ କି।ମାମ କହିଲେ ବସ୍ ଫେରିଲା ସମୟରେ ବହୁତ ଡେରିରେ ତାକୁ ଘରେ ଛାଡେ ତେଣୁ ମୁଁ ଡ୍ରାଇଭର କୁ ପଠାଇଛି।କହୁ କହୁ ଆଞ୍ଜେଲ ଆସି ଘରେ ପହଂଚି ଗଲା ମୋତେ ଦେଖି ସେ ଟିକେ ଅପ୍ରସ୍ତୃତ ହୋଇଗଲା।ମାମ ତାକୁ ମୋ ବିଷୟରେ ସବୁକଥା କହି ବୁଝାଇ ଦେଲେ।ଆଞ୍ଜେଲ ମୋତେ ନମସ୍କାର ଜଣାଇ ତା ରୁମକୁ ଚାଲିଗଲା।ମୁଁ କିଛି ସମୟ ପରେ ଘରକୁ ଫେରିଆସିଲି.
ଦିନେ ଚିତ୍ରା ମାମ ମୋତେ କହିଲେ ଆପଣ ଯଦି କିଛି ମାଇଁଣ୍ଡ କରିବେନି ମୁଁ ଗୋଟିଏ କଥା କହିବି।ମୁଁ କହିଲି କୁହନ୍ତୁ। ସେ କହିଲେ ଆପଣ ଆଞ୍ଜେଲକୁ ହାରମୋନିୟମ ଶିଖାଇବାକୁ ଆସିଲେ ଭଲ ହୁଅନ୍ତା।ତାର ସଙ୍ଗୀତ ପ୍ରତି ଅହେତୁକ ଭଲ ପାଇବା ଅଛି।ସେବି ଆଗରୁ ଏକ ସଙ୍ଗୀତ ସ୍କୁଲ ରେ ଶିଖୁଥିଲା।ଏହା ଶୁଣି ମୁଁ କିଛି ନଭାବି ହଁ କରିଦେଲି। ଶନିବାର ଦିନ ସନ୍ଧ୍ୟାରେ ମାମଙ୍କ ଘରକୁ ଗଲି. ଆଞ୍ଜେଲ କହିଲା ଚାଲନ୍ତୁ ଏବେ ମାର୍କେଟ ଯିବା ଗୋଟେ ହାରମୋନୀୟମ କିଣିକି ଆଣିବା।ମୁଁ ପ୍ରଥମ ଥର ମାମଙ୍କ କାରରେ ବସିଲି।କୃଷ୍ଣ ଚିତ୍ରାଳୟକୁ ଯାଇ ସେଠାରୁ ଗୋଟେ ଭଲ ହାରମୋନିୟମ କିଣି ପାଖ ହୋଟେଲରେ ଖାଇ ଘରକୁ ଫେରିଲୁ।ଆଞ୍ଜେଲ ମନ ବହୁତ ଖୁସି ହେଲା।ରବିବାର ଦିନ ସେମାନେ ଚର୍ଚ୍ଚ ବାହାରିଲେ. ମୋତେ ସାଥିରେ ନବାକୁ ଆଞ୍ଜେଲ ବହୁତ କହିଲା। ମୁଁ ମନା କରିବାରୁ ତା ମନଦୁଃଖ ହୋଇଗଲା. ବାଧ୍ୟ ହୋଇ ଜୀବନର ପ୍ରଥମ ଥର ମୁଁ ସେମାନଙ୍କ ସହ ଚର୍ଚ୍ଚ ଗଲି।ବିଶପ ବାଇବେଲ ପଢ଼ିସାରିଲା ପରେ ସମୂହ ପ୍ରାର୍ଥନର ରେକର୍ଡ ବାଜିଲା. ମୁଁ କିଛି ବୁଝିପାରୁ ନଥାଏ।
ଚୁପଚାପ ଠିଆ ହୋଇ ରହିଥାଏ। କିଛି ସମୟ ସେମାନେ ଚର୍ଚ୍ଚ ରେ ରହି ଘରକୁ ଫେରିଆସିଲୁ। ବାଟରେ ମାମ କହିଲେ ଆଜି ଆଞ୍ଜେଲର ହରମୋନିୟମ ଶିଖା ଆରମ୍ଭ ହେଉ . ଆପଣ ଆମଘରେdinnerକରିବେ।
ସନ୍ଧ୍ୟାରେ ସାଙ୍ଗୀତ class ଆରମ୍ଭ ହେଲା।ଆଗରୁ ସାରେଗାମା ସହ ପରିଚିତ ଥିବାରୁ ମୋତେ ଟିକେ ଶିଖାଇବାକୁ ଅସୁବିଧା ହେଲାନି। ସେ ସୁନ୍ଦର ଓ ନିର୍ଭୁଲ ଭାବରେ ବଜାଇ ପାରୁଥିଲା।ତା କଣ୍ଠ ବି ବହୁତ ମଧୁର ଥିଲା।ଏଣିକି ଆଞ୍ଜେଲ ମୋତେ ମିଶ୍ର uncle ଡାକିଲା।ମୁଁ ସବୁଦିନ ଶିଖାଇ ଚାଲିଲି ମୋର ସମୟ ଭଲରେ କଟିଲା. ଆଞ୍ଜେଲ ବି ଖୁସି ହେଲା।ଆଞ୍ଜେଲର ପରୀକ୍ଷା ପାଖେଇ ଆସୁଥିବାରୁ ମୁଁ କହିଲି ଏଣିକି କେବଳ ରବିବାର ଦିନ ମୁଁ ଶିଖାଇବି ତୁମେ ଅନ୍ୟଦିନ ପାଠପଢିବ।ସେଇୟା ହିଁ ହେଲା। ମୁଁ କିନ୍ତୁ ସବୁଦିନ ତାଙ୍କ ଘରକୁ ଯାଏ।
ଆଜିକାଲି ଆଞ୍ଜେଲ ମୋ ପାଖେ ଆବଶ୍ୟକତା ଠାରୁ ଅଧିକ free ହୋଇଗଲାଣି। ବେଳେ ବେଳେ ଟିକେ ଟିକେ ଦୁଷ୍ଟାମୀ କରିବା ଆରମ୍ଭ କଲାଣି. ଏବେ ଜାଣିଶୁଣି ହାରମୋନିୟମର ବେସୁରା ବଜାଉଛି।ମୁଁ ଟିକେ ମିଛ ରାଗ ଦେଖାଇ ତାର ହାତକୁ ଧରି ପକାଇଲି କହିଲି ଆଜି ଏସବୁ କଣ କରୁଚ।ପ୍ରଥମ ଥର ତାର ସ୍ପର୍ଶ ପାଇଲି।ଆନନ୍ଦରେ ଅଧିର ହୋଇଗଲି। ଘରକୁ ଆସିଲି ଅନେକ ସମୟ ମନଟା ଅସ୍ଥିର ରହିଲା।ଆଜି କାହିଁକି ନିଛାଟିଆ ଲାଗୁଚି।ଭାବି ଭାବି କେତେବେଳେ ନିଦ ଆସିଯାଇଛି।
ଦିନେ ଚାରିଟା ବେଳେ ଆଞ୍ଜେଲ ଡକାଇ ପଠାଇଲା,ମୁଁ ତାଙ୍କ ଘରକୁ ଗଲି. ସେ କହିଲା ଆଜି କିଛି ବଜାଇବିନି. ମୋ ସହ ଆପଣ ସନ୍ଧ୍ୟା ଭ୍ରମଣରେ ଯିବେ। ମହାନଦୀ କୂଳ ବିଶେଷ ଦୂରନାହିଁ।ଏବେ ଆଞ୍ଜେଲ କ୍ରମଶଃ ମୋର ନିକଟତର ହେବାକୁ ଲାଗିଲାଣି।ଚାଲି ଚାଲି ଯିବାବେଳେ ଦେହକୁ ଦେହ ବାଜି ଯାଉଛି।ସଙ୍ଗୀତ ବ୍ୟତୀତ ବିଭିନ୍ନ ଅସଂଲଗ୍ନ ଆଳାପ ବି ହେଉଛି। ନଦୀକୂଳେ ବସି ଉଭୟେ ଅନ୍ତରଙ୍ଗ ଆଳାପ କଲୁ।ଗୋଡି ଗୋଟେଇ ପାଣିକୁ ଫୋପାଡ଼ିଲୁ। ସୂର୍ଯ୍ୟାସ୍ତ ହେବା ଉପରେ,ଚାଲି ଚାଲି ଘରକୁ ଫେରିଲୁ।
ଆଜି ରବିବାର ଆଞ୍ଜେଲର ଅନୁରୋଧରେ ସାରାଦିନ ତା ସହ ରହିବି.ବ୍ରେକଫାଷ୍ଟରୁ ଡିନର ପର୍ଯ୍ୟନ୍ତ।ଉପମା ଚଟଣି ଏବଂ ଚା ପିଇ ଚର୍ଚ୍ଚ ବାହାରିଲୁ।ଆଜି କାହିଁକି ଆଞ୍ଜେଲ ଟିକିଏ ଚିନ୍ତିତ ଜଣା ପଡୁଛି।ମୁହଁରେ ଅସ୍ୱାଭିବିକ ଗାମ୍ଭୀର୍ଯ୍ୟ ବେଶ ବାରି ହେଉଛି। ଖୁଵ କମ କଥା କହୁଛି।ମୋତେ ଟିକେ ଭୟ ଲାଗିଲା।ମୋର ଏ ଅବାଧ ମିଳାମିଶାକୁ କାଳେ ସେ ପସନ୍ଦ କରୁ ନଥିବ।କିନ୍ତୁ ସେତ ନିଜେ ପ୍ରଶୟ ମୋତେ ଦେଇଛି। ତା mummy ଙ୍କ ଅନୁମତି ନେଇ ଅନେକଥର ସିନେମା ଯିବାକୁ, ବୁଲି ଯିବାକୁ ନିଜ ଆଡୁ ପ୍ରସ୍ତାବ ଦେଇଛି. ତାଙ୍କ ଘରକୁ ଗଲେ ଆମେ ଦିଜଣ ଏକାନ୍ତରେ ରହିବା ପାଇଁ ସହମତି ଦେଇଛି।ମୋତେ ଆଜି ଲାଗିଲା ଆଞ୍ଜେଲ mummy ଆମର ଏଇ ଅବାଧ ମିଳାମିଶା ବିଷୟରେ ସବୁ ତ ଜାଣିଛନ୍ତି।ତାଙ୍କ ସହମତି ବିନା ଆଞ୍ଜେଲ ଏପରି ଦୁଃସାହସ କେବେବି କରିପାରିବ ନାହିଁ। ଭୟ ମୋର ଟିକେ କମ ହେଲାପରି ମୋତେ ଲାଗିଲା।
ଆଜି ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା।ସମୂହ ପ୍ରାର୍ଥନା ପରେ ଆମେ ଚର୍ଚ୍ଚରେ ଥିବା କିଛି ଧର୍ମପୁସ୍ତକ ପଢ଼ାରେ ମନନିବେଶ କଲୁ।ତାଙ୍କ ସଂପ୍ରଦାୟର ଏକ ବିଭାହ କାର୍ଯ୍ୟରେ ଯୋଗ ଦେଲୁ। ଆଞ୍ଜେଲ ବାରମ୍ବାର ମୋତେ କେମିତି ଲାଗୁଚି ପଚାରୁଛି।ମୁଁ ମୁଣ୍ଡହଲେଇ ଉତ୍ତର ଦେଲି ହଁ ଭଲ ଲାଗୁଚି।ମିଠା ପ୍ୟାକେଟ ସାଙ୍ଗରେ ଧରି ଘରକୁ ଫେରିଲୁ।
ଆଜିକାଲି ଆଞ୍ଜେଲ ଖୁଵ ସଜେଇ ହେଉଛି।ନୂଆ ନୂଆ ଡ୍ରେସ ପିନ୍ଧୁଚି।ଦାମୀ ପରର୍ପ୍ୟୁମ ବ୍ୟବହାର କରୁଛି।ପ୍ରତିଥର ପଚାରେ କେମିତି ଦେଖାଯାଉଛି ବୋଲି. ମୁଁ ମଧ୍ୟ ତାକୁ ପ୍ରଶଂସା କରେ. କେତେଥର ମୁଁ ପ୍ରଶଂସା କଲାବେଳେ ମୋତେ କୁଣ୍ଢେଇଧରି ତୁମେ ବି ଖୁଵ ହ୍ୟାଣ୍ଡସମ କହେ।ତାକୁ ପରୀକ୍ଷା ନିକଟ ହେଲାଣି କହି ଶିକ୍ଷକ ସୁଲଭ ତାଗିଦ କରି ପଢ଼ାରେ ମନନିବେଶ କରିବାକୁ ଉପଦେଶ ଦେଲି.
ଆସନ୍ତା କାଲି ତାର ପରୀକ୍ଷା ଆରମ୍ଭ ହେବ।ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ଠାକୁରଙ୍କ ପାଖେ ଆଞ୍ଜେଲର ପରୀକ୍ଷା ପାଇଁ ପ୍ରାର୍ଥନା କରି ଗୋଟେ ପୂର୍ଣ୍ଣ କଳସ ଠାକୁରଙ୍କ ଘରେ ରଖି ଆଞ୍ଜେଲ ଘରକୁ ଗଲି।ସମସ୍ତେ ପ୍ରସ୍ତୁତି ହୋଇଥାନ୍ତି।ଆମେ ମିଶି ଗାଡ଼ିରେ ଆଞ୍ଜେଲକୁ ପରୀକ୍ଷା ହଲରେ ଛାଡ଼ିଦେବାକୁ ବାହାରିଲୁ।ବାଟରେ ଚର୍ଚ୍ଚ ଗଲୁ। ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଁ ପ୍ରାର୍ଥନା କଲୁ।ପରୀକ୍ଷା ହଲରେ ତାକୁ ଛାଡି.ମାମଙ୍କ ସହ ପୁଣି ଚର୍ଚ୍ଚକୁ ଫେରି ଚୁପଚାପ ଯୀଶୁଙ୍କ ପାଦ ତଳେ ବସି ରହିଲୁ। ଆଞ୍ଜେଲର ପରୀକ୍ଷା ସରିଲା ତାସହ ଆମେ ଘରକୁ ଫେରିଲୁ। ଏମିତି ପରୀକ୍ଷା ଶେଷଦିନ ପର୍ଯ୍ୟନ୍ତ ଚାଲିଲା।ଆଜି ତାର ପରୀକ୍ଷା ସରିଲା।ମନ ବହୁତ ଖୁସି ତାର. Mummy ଙ୍କୁ କହିଲା ଆଜି ସିନେମା ଦେଖି ଯିବା First show ପାଇଁ ଟିକେଟbookକରିଦେଲା।
ସନ୍ଧ୍ୟା 5 ଟା ରେ ଆମେ ଗ୍ରାଣ୍ଡ ସିନେମା ହଲକୁ ବାହାରିଲୁ। ବହୁତ ପୁରୁଣା ହିନ୍ଦୀ ସିନେମା ସୁଜାତା ଦେଖିଲୁ। ଆଞ୍ଜେଲକୁ ଦିନେ ପୁରୀ ଯିବା ପାଇଁ କହିଲି. ସେ ବହୁତ ଖୁସି ହୋଇଗଲା।ସେଇଦିନ ରାତିରେ mummy କୁ ପଚାରି ପୁରୀ ଯିବା କଥା sureହୋଇଗଲା। ତା ପରଦିନ ପୁରୀ ଯିବା ପାଇଁ ମୋତେ କହିଲା।ମୁଁ ମାମଙ୍କୁ କହିଲି ଆଜି ଆମେ ପୁରୀ ଯିବା। ମାମ କହିଲେ ମୋ ଦେହ ଭଲ ଲାଗୁନି ତୁମେ ଦୁଇଜଣ ଡ୍ରାଇଭର ସହ ପୁରୀ ଯାଅ।ଆମେ ସେଇଦିନ ପୁରୀ ବାହାରିଗଲୁ। ଆଞ୍ଜେଲ ଜିଦି କଲା ପୁରୀ ମନ୍ଦିର ଭିତରକୁ ଯିବା ପାଇଁ।ତାକୁ ସାଙ୍ଗରେ ନେଇ ମୁଁ ମନ୍ଦିର ଭିତରକୁ ଗଲି।ଜଗନ୍ନାଥଙ୍କୁ ଦେଖି ସେ ପ୍ରଣାମ କଲା। ବେଢାଭିତର ସବୁ ଦେବାଦେବୀଙ୍କୁ ଦର୍ଶନ କରି ଆନନ୍ଦ ବଜ଼ାରରେ ଅନ୍ନ ମହାପ୍ରସାଦ ଖାଇଲା।ଭିର୍ଣ୍ଣ ସଂପ୍ରଦାୟ ପାଇଁ କିଛି ଆପତ୍ତି କଲାନାହିଁ,ତାପରେ ସମୁଦ୍ର କୂଳ ବୁଲିବାକୁ ଗଲୁ।ସମୁଦ୍ର ଦେଖି ଆନନ୍ଦରେ ବିଭୋର ହୋଇଗଲା। ଆମେ ଏକାନ୍ତରେ ସମୁଦ୍ର କୂଳରେ ବସିଥିବା ବେଳେ ମୋ ପାଖକୁ ଲାଗିଆସି ଚୂପ ହୋଇ କହିଲା ମୁଁ ଅନେକ ଦିନରୁ ଆପଣଙ୍କୁ ଗୋଟେ କଥା କହିବି କହିବି ଭାବି କହି ପାରୁନଥିଲି ଆଜି ଏବେ ମୋ ମନକଥା ଆପଣଙ୍କୁ କହିଦେବି।ମୁଁ କିଛି ଭୟ ଆଶଙ୍କା ମିଶ୍ରିତ ମାନସିକତା ଭିତରେ ତା କଥା ଶୁଣିବାକୁ ଅପେକ୍ଷା କାଲି।ସେ କହିଲା ମୁଁ ଆପଣ ଙ୍କୁ ଭଲ ପାଉଛି, like କରୁଛି।ଏଣୁ ମୁଁ ଭାବୁଛି ଆପଣ ସବୁଦିନ ମୋ ସାଥିରେ ରୁହନ୍ତୁ।
ମୋ ଭିତରଟା ଦୋହଲି ଗଲା। ପାଦ ତଳର ମାଟି ତଳକୁ ତଳକୁ ଯାଉଛି।ସର୍ବାଙ୍ଗରେ ଏକ ପ୍ରକାର କମ୍ପନ ଅନୁଭବ କଲି।ପାଟି ଅଠା ମାରି କଣ୍ଠ ଶୁଖିଯାଉଛି।କି ଉତ୍ତର ଦେଵି।ସେ କହିଲା ମୁଁ ବି ଜାଣେ ତୁମେ ମୋତେ ଭଲପାଅ।କିନ୍ତୁ ତୁମ ଧର୍ମ ଏ ଭିତରେ ଆନ୍ତରାୟ ସୃଷ୍ଟି କରିପାରେ।ଟିକିଏ ବ୍ରଡ଼ ମାଇଣ୍ଡେଡ ହୁଅ।ଆମେ ସମସ୍ତେ ମଣିଷ।ଏକଥା କହିବା ପାଇଁ କିଛି ଦିନ ହେଲା ସାହସ ସଞ୍ଚୟ କରୁଥିଲି।ମୋ ମନଟା ଏବେ ହାଲକା ଲାଗିବ।ସେ ଏବେ ସହଜ ହୋଇ ମୋ ମନଟାକୁ ଭାରାକ୍ରାନ୍ତ କରିଦେଲା।
ସେ ପୁଣି କହିଲା Take it easy dear,ନିଷ୍ପତ୍ତି ଆପଣଙ୍କ ଉପରେ ରହିଲା।ଭାବିବା ପାଇଁ ସମୟ ନିଅ।ତୁମ ପରିବାର କଥା ବି ଭାବିବ।ଆଞ୍ଜେଲ ଆଡେ ଚାହିଁ ପାରିଲିନି।ସେ ସଂପୂର୍ଣ୍ଣ ଭିନ୍ନ ଲାଗୁଥିଲା।ଦୁହେଁ ନୀରବରେ ବସି ରହିଲୁ।ଆଞ୍ଜେଲର ବି ଆଉ ପାଟିଖୋଲୁନି।ବିଭାହ ବୟସ ତାର ହୋଇନଥିଲେ ବି ଏ ବିଷୟରେ ଜାଣିବା ବୁଦ୍ଧି ତା ପାଖରେ ଅଛି।
ସେଦିନ ସନ୍ଧ୍ୟାରେ ଆମେ କଟକ ଫେରି ଆସିଲୁ। ତାପର ଦିନ ଅଫିସ ଗଲି।ଚିଠି ପାଇଲି ମୋର ଜୟପୁର ଟ୍ରାନ୍ସଫର ହୋଇଛି।5ଦିନ ଭିତରେ ସେଠି join କରିବାକୁ କୁହାଯାଇଛି।ମନଟା ମୋର ବହୁତ ଦୁଃଖ ହୋଇଗଲା। ଆଞ୍ଜେଲକୁ ଛାଡି ଚାଲିଯିବାର ଦୁଃଖ ମୋତେ ବେଶୀ ବ୍ୟସ୍ତବିବ୍ରତ କରିଦେଲା।ତଥାପି ମୋତେ ଜୟପୁର ଯିବାକୁ ପଡିବ। ସନ୍ଧ୍ୟାରେ ଘରେ ବାଜିଆ ଭାଇନା ଓ ନୃସିଂହ ଙ୍କୁ ଏକଥା କହିଲି।ସେମାନେ ମନଦୁଃଖ କଲେ।ଟିକେ ଫ୍ରେସ ହୋଇ ଆଞ୍ଜେଲ ଘରକୁ ଗଲି।ମାମ ଓ ଆଞ୍ଜେଲ ବସି କଥା ହେଉଥିଲେ। ମୋତେ ଦେଖି ଆଞ୍ଜେଲ ଖୁସି ହୋଇଗଲା।ମାମ ଚା କରିବା ପାଇଁ ରୋଷେଇ ଘରକୁ ଗଲେ।କିଛି ସମୟ ପରେ ଚା ନେଇ ଆସିଲେ।ଆମେ ସମସ୍ତେ ଚା ପିଇବା ସମୟରେ ମୋର ଜୟପୁର ଟ୍ରାନ୍ସଫର ହେବା କଥା କହିଲି।ସେମାନେ ସ୍ତବ୍ଧ ହୋଇଗଲେ।ପାଟିରୁ ତାଙ୍କର କଥା ବାହାରିଲାନି।ମୋର ଆସନ୍ନ ବିଚ୍ଛେଦରେ ଆଞ୍ଜେଲ ଭାବୁକ ହୋଇପଡୁଛି।ତାର ଆଖି ଛଳଛଳ ହେବା ମୁଁ ଲକ୍ଷ୍ୟ କରିଛି। ଆଞ୍ଜେଲ ତା ପଢାଘରକୁ ଡାକି ଥରେ ଦି ଥର ତା ପ୍ରସ୍ତାବରେ ମୋ ନିଷ୍ପତ୍ତି ଜଣାଇବାକୁ ଅନୁରୋଧ କରିଛି। କହିଲା ମୁଁ ଆଶାୟୀ ହୋଇ ରହିଛି।ମାମ ବି ବହୁତ ଦୁଃଖିତ ହୋଇ ପଡିଲେ।ଆଖି ତାଙ୍କର ବି ଲୁହରେ ଛଳଛଳ ହୋଇଗଲା।ଆଜି ସନ୍ଧ୍ୟାରେ ଟ୍ରେନରେ ଜୟପୁର ଯିବି. ଯଥେଷ୍ଟ ପୂର୍ବରୁ ମୁଁ ମୋର ଆଟାଚିରେ ସବୁ ସଜାଡି ସାରିଲିଣି।ମାମ ଓ ଆଞ୍ଜେଲ ମୋ ସହ ଷ୍ଟେସନ ଯିବେ।ଆଞ୍ଜେଲ ସହ ପଛ ସିଟରେ ବସିବାକୁ କହି ନିଜେ ଆଗରେ ବସିଲେ।
ଆଜି ଆଞ୍ଜେଲର ଅନ୍ତିମ ସାନିଧ୍ୟ। ତା ଦେହକୁ ଲାଗି ବସିଲି. ତାର ଉଷ୍ମତାକୁ ଅନୁଭବ କଲି।ସମସ୍ତେ ନୀରବ।ହୃଦୟ କଥା କହିଲେ ଓଠ ନୀରବି ଯାଏ।ଷ୍ଟେସନ ପାଖେଇ ଆସିଲା।ଆଞ୍ଜେଲ ମୋ ହାତ ପାପୁଲିରେ ହାତ ରଖି ମୁଠେଇ ଧରିଲା. ସତେ ଯେମିତି ସ୍ପର୍ଶ ମାଧ୍ୟମରେ ତା ମନକଥା କହି ଦେଉଛି।ଷ୍ଟେସନ ପାଖରେ ଗାଡି ଅଟକିଲା।Driver ମୋର ଦୁଇଟି ଆଟାଚି ଧରି ମୋ ସିଟ ତଳେ ରଖିଲା।ଆଞ୍ଜେଲ ମୋ ଖାଦ୍ୟ ଥିବା ବ୍ୟାଗ ନେଇ ସିଟ ଉପରେ ରଖିଲା।ଟ୍ରେନ ଛାଡ଼ିବା ସମୟ ନିକଟ ହେଲାଣି,ବିଦାୟ ନେଲାବେଳେ ମାମଙ୍କ ଚରଣ ସ୍ପର୍ଶ କରି ମୁଣ୍ଡରେ ଲଗେଇଲି। ତାଙ୍କ ଆଖିରେ ଲୁହ ଦେଖିଲି। ଆଞ୍ଜେଲ ସଂକୋଚକୁ ପଛରେ ପକାଇ ମୋତେ କୁଣ୍ଢେଇ ଧରି କାନ୍ଦିଲା।ମାମ ତାକୁ ମୁକୁଳେଇ ମୋ କପାଳରେ ଚୁମା ଦେଲେ. ହାତ ହଲେଇ ବିଦାୟ ନେଲେ। ଟ୍ରେନ ଛୁକ ଛୁକ ଶବ୍ଦ କରି ଆଗକୁ ଗଡ଼ିବା ଆରମ୍ଭ କଲା। ପଛରେ ରହିଗଲେ ହାଲୁକକେଇଙ୍କ ଘର, ବାଜିଆ ଭାଇନା, ନୃସିଂହ, ମାମ, ଆଞ୍ଜେଲ, ଡ୍ରାଇଭର ଓ ମୋ ପବିତ୍ର ମହାନଦୀ।ସମସ୍ତଙ୍କ ଛବି ମୋ ମାନସ ପଟରେ ଉଦଭାସିତ ହେଲା।ଇତିହାସ ହୋଇଗଲେ ମାମ ଆଉ ଆଞ୍ଜେଲ।
ଘରେ ବୋଉ ମୋର ବାହାଘର ପାଇଁ ବହୁତ ବ୍ୟସ୍ତ ହେଲାଣି।ଝିଅ ଖୋଜା ଚାଲିଛି।ଆଞ୍ଜେଲର ପ୍ରସ୍ତାବ ବିଷୟରେ ମୁଁ କିଛି କହିନାହିଁ. ମୁଁ ଜାଣେ ଏ ପ୍ରସ୍ତାବରେ କେହି ରାଜି ହେବେନାହିଁ।ଗାଁ ରେ ଅଛୁଆଁ ହୋଇଯିବୁ।ସମ୍ପର୍କୀୟମାନେ ଘୋର ଆପତ୍ତି କରିବେ।ମୁଁ ତ୍ୟଜ୍ୟ ହୋଇଯିବି।ବରଂ ନୀରବ ହୋଇଯିବା ଉଚିତ ହେବ। ଆଞ୍ଜେଲର ଟେଲିଗ୍ରାମ ଆସିଛି ଶତକଡା ତେୟାନବେ ନମ୍ବର ରଖି ପାସ କରିଛି।ତୁରନ୍ତ ଟେଲିଗ୍ରାମ ମାଧ୍ୟମରେ ମୁଁ ବଧେଇ ଜଣାଇଲି।ଆଞ୍ଜେଲର ସ୍ମୃତି ମୋତେ ବେଳେବେଳେ ବିବ୍ରତ କରୁଛି।
ଆଞ୍ଜେଲର ଆଜି ଚିଠି ଆସିଛି। ଚିଠିଟି ଛାତି ପକେଟରେ ରଖିଲି।ଏକାନ୍ତରେ ପଢ଼ିବି ବୋଲି. ମନରେ ବହୁତ ଭୟ. ଚିଠି ଖୋଲିଲି।
ପ୍ରିୟ ମିଶ୍ର Uncle
ପ୍ରଣାମ ଜଣାଉଛି. ତୁମଠାରୁ ଚିଠି ପାଇବି ଆଶା କରି ଅନେକ ଦିନ ଅପେକ୍ଷାରେ ଥିଲି।ତୁମର ଏ ଦୀର୍ଘ ନୀରବତା ମୋତେ କି ପ୍ରକାର ଯନ୍ତ୍ରଣା ଦେଉଛି, ତୁମେ ଭାବି ପାରିବ ନାହିଁ।କାରଣ ଏଠାରେ ଥିଲା ବେଳେ ମୋର ସାକ୍ଷାତ ପାଇଁ, ମୋର ସାନିଧ୍ୟ ପାଇଁ ତୁମର ଉତ୍କଣ୍ଠାକୁ ମୁଁ ଜାଣିପାରୁଥିଲି.।ସତରେ ତୁମେ ଜୟପୁର ଯିବା ପରେ ବଦଳି ଗଲଣି ଉଁସିଲେ।ମୋ ଠାରୁ ବିଦାୟ ନେବାର ଦେଢ଼ ମାସ ହେଲାଣି, ତୁମେ କେମିତି ଏତେ ନିର୍ଦ୍ଦୟ ହୋଇଗଲ।ଥରଟିଏ ବି ଦିପଦ ଲେଖି ଜଣାଇବାକୁ କାହିଁକି ଇଛା ହେଲାନି।
ଆମ ଘରେ ଏମିତି ଗୋଟିଏ ଦିନ ନାହିଁ, ଯେଉଁଦିନ ତୁମକଥା mummy ଏବଂ ମୁଁ ଆଲୋଚନା କରିନାହୁଁ। ହୋଇପାରେ, ତୁମ ପାଇଁ ଏତିକି ସମୟ ସଂକ୍ଷିପ୍ତ. ମୋତେ କିନ୍ତୁ ଏତିକି ସମୟ ଖୁଵ ଦୀର୍ଘ ଲାଗୁଚି।ପ୍ରଥମେ ପ୍ରଥମେ ଭାବିଥିଲି,ଆମ ଭଲ ପାଇବାରେ
mummy ସହଯୋଗ କରିବେ ନାହିଁ ଏବଂ ପ୍ରତିବାଦ କରିବେ। ପରେ ପରେ ଜାଣିପାରିଲି, ତାଙ୍କର ଏଥିରେ ଆପତ୍ତି କରିବାର କିଛି ନାହିଁ।ଏକାନ୍ତରେ ତୁମ ସହ କିଛି ସମୟ କଟାଇବା ପାଇଁ ମୋତେ ଛାଡି ଦିଅନ୍ତି. ବିଶ୍ୱାସ କର ମୋର ତୁମ ପାଖରେ ସଙ୍ଗୀତ ଶିଖିବା ଗୋଟିଏ ବାହାନା ମାତ୍ର ଥିଲା। ତୁମେ ଯେଉଁ ଶିକ୍ଷା ମୋତେ ଦେଉଥିଲ, ତୁମ ପାଖରେ କିଛି ଶିଖୁ ନଥିଲି ବରଂ ଅନ୍ୟବେଳେ ଘରେ ତାକୁ ଆୟତ୍ତ କରୁଥିଲି। ତୁମ ସାଥିରେ ଅନ୍ୟ ବିଷୟ ଆଲୋଚନା ନିହାତି ଗୌଣ ମନେ ହେଉଥିଲା. ଅବଶ୍ୟ ତୁମର ଶିକ୍ଷାଦାନ ଯୋଗୁ ସଂଗୀତରେ ମୁଁ ଜଣେ ଉତ୍ତମ ଛାତ୍ରୀ ବିବେଚିତ ହୋଇଛି। ଏହା ପଛରେ ତୁମ ଅବଦାନକୁ ନତମସ୍ତକରେ ସ୍ୱୀକାର କରୁଛି। ମୋର କୃତିତ୍ୱର ସମସ୍ତ ଶ୍ରେୟ ତୁମର. କେବଳ ସେତିକି ନୁହେଁ, ତୁମ ଯୋଗୁ ମୋ ଜୀବନର ଦର୍ଶନ ବଦଳି ଯାଇଛି।ତୁମେ ହିଁ ମୋ ଭବିଷ୍ୟତ ଜୀବନର ମାର୍ଗଦର୍ଶକ।ଅନେକ ମୋର ପିଲାଳିଆମୀ ଏବଂ ଦୁଷ୍ଟାମୀଙ୍କୁ ତୁମେ ସହ୍ୟ କରିଛ।ସେଥିପାଇଁ ବେଳେବେଳେ ମୋର ସୀମା ଅତିକ୍ରମ କରିବାକୁ ଇଛା ହୋଇଯାଏ, ମୋର ଚପଳ ମାନସିକତା ତଥା ବୟସର ଦୋଷ ହେତୁ ମୁଁ କେତେଥର ଅନାବଶ୍ୟକ ତଥା ନିଜେ ଅମୋଦିତ ହେଲା ଭଳି ପ୍ରସଙ୍ଗ ଉପରେ ଆଳାପ କରିଛି। ମହାନଦୀ କୂଳରେ ଅନେକଥର ଅନ୍ତରଙ୍ଗ ଭାବେ ବସିଥିଲା ବେଳେ ଆନମନା ହୋଇଯାଉଥିଲି।ପୁରୀ ଯିବା ପରେ ଆଉ ଏଇ ଦେଢ଼ ମାସ ଭିତରେ ମୋର ବୟସ ଖୁଵ ବଢିଯାଇଛି. ସତେ ଯେପରି ମୁଁ ଏକ ଅଭିଜ୍ଞ ମହିଳା ପାଲଟି ଯାଇଛି।ତୁମର ବିବେକ ଏବଂ ମୋର ମନ ବିପରୀତ ଥିଲା. ତୁମର ଓ ମୋର ନିଜର ମନ ଯେବେ ଏକ ହୋଇଗଲା ସେତେବେଳେ ଆମେ ଦୁହେଁ କିଛି ଅବାଟରେ ଯାଇଥିଲେ. ଏବେ ଭାବୁଛି ଈଶ୍ୱରଙ୍କ କୃପାରୁ ଆମେ ସେଥିରୁ ନିବୃତ ହୋଇପାରିଥିଲେ. ତୁମର ମହାନତା ମୋତେ ତୁମ ଆଡକୁ ଟାଣି ନେଉଛି. Mummy ସହ ତୁମ ବିଷୟରେ ଆଲୋଚନା କଲାବେଳେ ଧୀରେ ଧୀରେ ଉଭୟ ଅନୁମାନ କରୁଛୁ ତୁମେ ଦୂରେଇଯାଉଚ।ତୁମ ନୀରବତା ହିଁ ଏହାର ପ୍ରମାଣ.ଏ ଦୂରତାକୁ ଅତିକ୍ରମ କରିବା ଚେଷ୍ଟାରେ ମୁଁ କ୍ଲାନ୍ତ ହୋଇପଡୁଛି।
ଆମ ଦୁହିଁଙ୍କ ଭବିଷ୍ୟତ ସ୍ବପ୍ନ କଥା, ତୁମ ପାଖରେ ବଖାଣି ଦେଇ ମୁଁ ସିନା କିଛି ସମୟ ପାଇଁ ହାଲକା ହୋଇଯାଇଥିଲି, ଏବେ କିନ୍ତୁ ନିଜେ ଭୁଲ କରି ଦେଇଥିବା ଭଳି ଭାବି ଅନୁତପ୍ତ ହେଉଛି। ରାତିରେ ଶୋଇଲା ବେଳେ ଲୁହର ସ୍ପର୍ଶ ମୁଁ ପାଏ,Uncle ମୋର ଏ ପ୍ରକାର ଅଭିଳାଷ ତୁମ ପାଖରେ ପ୍ରକାଶ କରିବା ଆଦୌ ଆକସ୍ମିକ ଅଥବା ଅପ୍ରତ୍ୟାଶିତ ନଥିଲା।ବହୁ ସମୟ ପର୍ଯ୍ୟନ୍ତ ଆମର ମିଳାମିଶା ଏବଂ ବ୍ୟବହାରକୁ ଅନୁଧ୍ୟାନ କରି ଓ ମୋର ମନୋଭାବକୁ ବୁଝିପାରି ଅନେକ ଦିନ ଭାବିଲା ପରେ ଏହି ପ୍ରସ୍ତାବ ଦେଇଥିଲି।ସେ ମୁହୂର୍ତ୍ତଟି ଅବିସ୍ମରଣୀୟ।
ମୋ ମନ ପକ୍ଷୀ ଭବିଷ୍ୟତ ମାର୍ଗର ଅନେକ ବାଟ ଉଡିଯାଇଥିଲା।ଗୋଟିଏ ମୁହୂର୍ତ୍ତରେ ଗୋଟିଏ ଯୁଗର କଳ୍ପନା କରି ଦେଇଥିଲି. ଏବେ ଲାଗୁଚି, ସେ ପକ୍ଷୀ ଯୋଜନ ଯୋଜନ ଦୁରକୁ ଚାଲିଯାଇ କ୍ଲାନ୍ତ ହୋଇ ଆଉ ଫେରି ପାରୁନାହିଁ। Uncle ପ୍ଲିଜ ତୁମର ମତାମତ ଜଣେଇ ମୋତେ ଚିନ୍ତାମୁକ୍ତ କର। ଆଦୌ ଭାବିବ ନାହିଁ ଯେ, ତୁମଠୁ ନାସ୍ତିବାଣୀ ଶୁଣି ମୁଁ ଦୁଃଖିତ ହେବି. ଆଶା କରି ଦେଇଥିଲି ତେଣୁ ତୁମ ନକାରାତ୍ମକ ନିଷ୍ପତ୍ତି କିଛିଦିନ ପାଇଁ ମୋଠାରେ ଭାବାନ୍ତର ସୃଷ୍ଟି କରିପାରେ। ପରେ ପରେ ସ୍ୱାଭାବିକ ହେବାକୁ ଚେଷ୍ଟା କରିବି। ତୁମ ସ୍ୱାସ୍ଥ୍ୟର ଯତ୍ନ ନେଉଥିବ. ତୁମେ ବିବେକବାନ. ନିଜେ ନିଜର ଦାୟୀତ୍ୱ ନେବ।ପ୍ରଭୁ ଯୀଶୁ ତୁମର ମଙ୍ଗଳ କରନ୍ତୁ। ଉଚିତ ମନେକଲେ, ନୀରବତା ଭାଙ୍ଗି ଦିପଦ ଲେଖି ଜଣେଇବ। ବିଗତ ଡିନର ମୋ ଆଚରଣ ଓ ଉଚ୍ଚାରଣ ତୁମ ମନରେ କଷ୍ଟ ଦେଇଥିଲେ, ନିଜ ଗୁଣରେ ମୋତେ କ୍ଷମା କରି ଦିଅ ସଦା ସୁଖି ରୁହ.
ଇତି
ତୁମରଆଞ୍ଜେଲ
ଚିଠି ପଢିବା ପରେ ଭାଵପ୍ରବଣ ହୋଇପଡ଼ିଲି. ଚିଠିରୁ ଆଞ୍ଜେଲର ମାନସିକ ଅବସ୍ଥାକୁ ବୁଝିପାରୁଥିଲି. ତାର ପ୍ରତ୍ୟେକ ବାକ୍ୟ ଶକ୍ତ ପ୍ରହାର ଭଳି ଲାଗିଲା।ପ୍ରକୃତରେ ଏଥିପାଇଁ ମୁଁ ଯୋଗ୍ୟ।ମୋର ବିଶ୍ୱାସ, ଯିଏ ଆଞ୍ଜେଲର ହାତ ଧରିବ ସିଏ ଭାଗ୍ୟବାନ।ଚିଠିର ଉତ୍ତର ଦେବି କି ନାହିଁ, ଏକ ପ୍ରକାର ଦ୍ଵନ୍ଦ୍ବ ଭିତରେ ବେଶ କିଛି ଦିନ ବିତିଗଲା।ଆଜି ତାର ଆଉ ଏକ ଚିଠି ଆସିଛି,ଚିଠି ଖୋଲି ପଢ଼ିଲି.
ପ୍ରିୟ ଅଙ୍କଲ
ମୁଁ ଜାଣେ ମୋ ଚିଠି ତୁମକୁ ବିରକ୍ତ କରୁଥିବ।ବିଶ୍ୱାସ କର, ତୁମକୁ ବିରକ୍ତ କରିବାକୁ ଚାହୁଁନି. ତୁମ ଠାରୁ ଉତ୍ତର ପାଇବା ପାଇଁ ଅପେକ୍ଷା କରି ନିରାଶ ହେବା ପରେ ପୁଣି ଲେଖୁଛି। ହୋଇପାରେ ଏହା ତୁମ ପାଇଁ ମୋର ଶେଷ ଚିଠି. ମୁଁ ଚାହିଁଥିଲେ, mummy ଙ୍କ ସହ ତୁମ ପାଖରେ ପହଞ୍ଚି ତୁମ ସହ ସାକ୍ଷାତ କରିପାରିଥାନ୍ତି. ଇଛା ବି ହେଉଥିଲା ତୁମକୁ ଦେଖିବା ପାଇଁ, କିନ୍ତୁ ଆମ ଧର୍ମର ମଣିଷଙ୍କୁ ତୁମ ସମାଜ ସାହଜରେ ଗ୍ରହଣ ନକରି ପାରନ୍ତି।ପୁଣି ଆମେଗଲେ ତୁମ ସାମାଜିକ ପ୍ରତିଷ୍ଠାରେ ମଧ୍ୟ ଆଞ୍ଚ ଆସିପାରେ।ଏସବୁ ଦୃଷ୍ଟିକୁ ଆଖି ଆଗରେ ରଖି ନିଜକୁ ସମ୍ବରଣ କଲି।ଯଦି ଏକ ସପ୍ତାବ ମଧ୍ୟରେ ତୁମର ଉତ୍ତର ନପାଏ, ଧରି ନେବି ତୁମେ ମୋ ପ୍ରସ୍ତବରେ ରାଜି ନୁହଁ। ଅବଶ୍ୟ ମୁଁ ଅନୁମାନ କରି ପାରୁଛି, ତୁମେ ଏଥରକ ବି ନୀରବ ରହିବ।ତଥାପି ଶେଷଥର ପାଇଁ ମୋର ଏହି ଅନୁରୋଧ ଚିଠିକୁ ପଢି ଚିରି ଫୋପାଡ଼ି ଦେବ।ତୁମେ ଭଲରେ ଥାଅ। ଯୀଶୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ବିଦାୟ,
ପ୍ରିୟମିଶ୍ରଅଙ୍କଲ,
ତୁମର କେହି ଜଣେ ଆଞ୍ଜେଲ,
ଚିଠିଟି ସଂକ୍ଷିପ୍ତ ତଥାପି ମର୍ମସ୍ପର୍ଶୀ. ମୋର ନୀରବତା ମୋ ନିଷ୍ପତ୍ତି ତା ପାଖେ ପହଞ୍ଚି ଯିବ. ଚିଠିଟିକୁ ଚିରି ପବନରେ ଉଡାଇ ଦେଲି,
ବିସ୍ମୃତ ନହେଲେ ବି ଆଞ୍ଜେଲ ରହିଗଲା ଇତିହାସ ପୃଷ୍ଠାରେ
ହଠାତ ବାଜିଆ ଭାଇନାଙ୍କ ଠାରୁ ଚିଠି ପାଇଲି,ଚିଠି ପଢିଲା ପରେ ସତେ ଯେମିତି ମୋ ପାଦତଳର ମାଟି ରସାତଳକୁ ଚାଲିଯାଉଛି. ହେ ଭଗବାନ! ଏକି ଦାରୁଣ ଦୁଃସମ୍ବାଦ ! ଆଞ୍ଜେଲର ବ୍ରେନ ଷ୍ଟ୍ରୋକ! ଦୁଇଦିନ ICU ରେ ରହି ଶେଷ ନିଶ୍ୱାସ ତ୍ୟାଗ କରିଚି. ମୋର ସର୍ବାଙ୍ଗ ଥରିବାକୁ ଲାଗିଲା. ମୁର୍ଚ୍ଛାଗଲା ଭଳି ଅନୁଭବ କଲି. ଲୁହଧାର ଶୁଖୁ ନାହିଁ. ପ୍ରଭୁ ଯୀଶୁ ! ଏ କଣ କଲ ! କି ଅପରାଧ ସେ କରିଥିଲା ! ଅକାଳରେ ସୃଷ୍ଟିର ଏକ ସୁନ୍ଦର ମଣିଷକୁ ଦଳି ଚକଟି ନିଶ୍ଚିହ୍ନ କରିଦେଲ. ଚିଠିଟିକୁ ମକଚି ଈଶ୍ୱରଙ୍କ ଉପରେ ପ୍ରତିଶୋଧ ନେଲି. ପ୍ରତିଦିନର ସବୁକଥା ଭୁଲି ଯିବାକୁ ମୁଁ ଚେଷ୍ଟା କରୁଛି. ଯାହା କଥା ଭାବୁଥିଲି ସେ ତ ଆଉ ନାହିଁ. କାହାକଥା ଆଉ ଭାବିବି?ବେଳେବେଳେ ଭାବନା ଆସିଯାଏ. ମୋ ଅନୁପସ୍ଥିତିରେ ଅତ୍ୟଧିକ ଚିନ୍ତାକରି ତାର ଏ ଅବସ୍ଥା ହେଲାକି?ଯଦି ହୋଇଥାଏ, ତା ହେଲେ ମୁଁ ତାର ହତ୍ୟାକାରୀ. ପାଗଳ ପ୍ରାୟ ଲାଗୁଚି.
ଆଜି ପୁଣି ବାଜିଆ ଭାଇନାଙ୍କର ଚିଠି ଆସିଛି. ଖୋଲିବାକୁ ଇଛା ହେଲାନାହିଁ. ତଥାପି ପଢ଼ିଲି. ଆଞ୍ଜେଲକୁ ହରାଇଲା ପରେ ଚିତ୍ରଲେଖା ମାମ କଟକରେ ରହିବାକୁ ଇଛା କଲେନି. ସମସ୍ତ ସମ୍ପତ୍ତି ବିକ୍ରି କରି କେରଳ ଫେରିଗଲେ. ମୋତେ ଏ ସମ୍ବାଦ ଜଣାଇ ଦେବାକୁ କହିଛନ୍ତି.
ଭାବିଥିଲି ମୋ ଆତ୍ମଲିପି ଏଠାରେ ସଂପୂର୍ଣ୍ଣ କରିବି. ଆଉ ଲେଖିବି ନାହିଁ. ପରୋକ୍ଷ ଭାବେ ମୋ ଆତ୍ମକାହାଣୀ ମାଧ୍ୟମରେ ଯାହାର ସାନିଧ୍ୟର କଳ୍ପନା କରି ଲେଖୁଥିଲି ସେ ଆଜି ନାହିଁ. ମରିଯାଇ ସତେ ଯେମିତି ମୋର ସମସ୍ୟାର ସମାଧାନ କରିଦେଲା. ତାର ମୃତ୍ୟୁରେ ମୁଁ ଅନୁଭବ କଲି, ତାର ନୁହେଁ ମୋର ମୃତ୍ୟୁ ହୋଇଛି. ଠିକk ଅଛି, ପ୍ରତି ମୁହୂର୍ତ୍ତରେ ଜଳିବା ଅପେକ୍ଷା ଗୋଟିଏ ଥରରେ ସବୁ ଜଳିଗଲା.
