କେବେ ଏ ଜୀବନେ କାରେ ଦୋଷ ଦେଇ ନିଜକୁ ବଡ଼ କରିଲେ,
ନିଜେ ଦୋଷୀ ହୋଇ ଯନ୍ତ୍ରଣା ଭୋଗିବ
ହେଳା ନୋହି କେବେ ହେଲେ ।
ଆସିବା ଯିବାର ନିୟମ ସଂସାରେ ଚିରନ୍ତନ ଚାଲୁଥିବ,
ଗୁରୁତ୍ୱ ଲଘୁତ୍ୱ ବିଚାର ବିବେକ ଚରିତ୍ର ହିଁ କଳୁଥିବ ।
“ସମସ୍ୟା” ନ ଥିଲେ ଜୀବନ ବି ନାହିଁ ସମାଧାନ ଅଛି ତାର,
କର୍ମ କଲେ ଫଳ ଅକର୍ମେ ନିଷ୍ଫଳ ପ୍ରଶ୍ନ ପାଇଁକି ଉତ୍ତର ।
ବାଟ ବସାଘର ରୁଅ ବାଉଁଶର ଚାଳ ଛପର ଏ ଦେହ,
କାଳର ନିଆଁରେ ମୁଠାଏ ପାଉଁଶ ହୋଇବ ଏ ନିଃସନ୍ଦେହ ।
ପ୍ରସାଧନ ଦେଇ ସଜାଇ ରଖିଲେ କିବା ଅଛି ମୂଲ୍ୟ ତାର,
ଆଜି ମଲେ କାଲି ଦୁଇଦିନ ପରା ଦୁଆରେ ଦେବେ ଗୋବର ।
ଭେକ ସିନା ଲୋଡ଼ା ଭିକାରୀ ପାଇଁକି ଅନ୍ୟ ପାଇଁ ହେବ କିସ,
ସ୍ନେହ ପ୍ରେମ ପ୍ରୀତି ତ୍ୟାଗ ନିଷ୍ଠା ଭାବ ଜୀବନେ ଗୁଣ ବିଶେଷ ।
ଏହି ଗୁଣ ଯାର ଭେକ ହୋଇଥିବ ଜୀବନେ ସବୁ ପାଇବ,
ଭେକ ଧରି କିଆଁ ଭିକ ମାଗିବାକୁ ବାର ଦ୍ୱାର ବୁଲୁଥିବ ?
#ବିନୟ_କୁମାର_ମିଶ୍ର_ମଲ୍ଲୀପୁର_ନିଆଳ_ଖୋର୍ଦ୍ଧା
