ନିରକ୍ତିଆ ସବୁ
ବିରକ୍ତିଆ ଭାବେ
ଆସକ୍ତିଆ ଗଲେ ହୋଇ,
ରକତ ଭକତ
କଞ୍ଚା ଖାଇବାକୁ
ହେଉଛନ୍ତି ହାଇଁ ପାଇଁ।
ନିଜର ଖୋଜିଲେ
ଜଣେ କିଏ ନାହିଁ
ରକତେ ବାଡ ପଡ଼ିଛି,
ପରଲୋକ ହୋଇ
ଘରଲୋକଠାରୁ
ବେଶୀ କାମରେ ଆସୁଛି।
ସବୁଠୁ ନିଜର
ନିଜ ମୋବାଇଲ
ଡାଟା ପ୍ୟାକ ଯଦି ଅଛି,
ବଡ ଦୁଃଖ ଆଜି
ନେଟ ନ ଆସିଲେ
ଯଦି ମୁଣ୍ଡୁଳି ବୁଲୁଛି।
ଘରେ ନାହିଁ ତାଲା
ମୋବାଇଲରେ ଆଜି
ପାର୍ଟନ ଲକ୍ ହୁଏ,
ଗୋଟେ ଘରେ ପୁରା
ପରିବାର ଥିଲେ
କାହାକୁ ନ ଚାହେଁ କିଏ।
ନାହିଁ ଆଗଭଳି
ସମ୍ପର୍କ ବନ୍ଧୁତା
ଆନନ୍ଦ ବନ୍ଧନ ପ୍ରୀତି,
ଗାଆଁ ବାପା ବୋଉ
ଭାଇ ଭଉଣୀଙ୍କ
ସମ୍ପର୍କ ଯାଇଛି କଟି।
ବର୍ତ୍ତମାନ ଘେନି
ସର୍ବସ୍ବ ଭାବଇ
ନ କରି ଉତ୍ତମ କର୍ମ,
ଚତୁର୍ଥ ମାଙ୍କଡ
ମଣିଷ ହୋଇଛି
ଭୁଲିଛି ମଣିଷ ଧର୍ମ।
ପାଦଛୁଇଁ ଆଜି
ପ୍ରଣାମ ନ ହୁଏ
ଆଣ୍ଠୁରେ ଲଗାଇ ହାତ,
ଅଣ୍ଟା ଭାଙ୍ଗିବାର
ଆଳସ୍ୟ ଆସିଛି
ଲାଗିଛି ଅନଙ୍ଗ ଭୁତ।
ନାହିଁ ଜାତି ଗୋତ୍ର
ଧର୍ମୀୟ ଚେତନା
ସଂସ୍କାର ଯାଇଛି ବୁଡି,
ଯୁବକ ସହିତ
ପ୍ରୀତିରେ ମାତିଛି
ତିନିଛୁଆ ମାଆ ବୁଢୀ।
ବ୍ରାହ୍ମଣ ପୁଅକୁ
କନ୍ୟା ନ ମିଳଇ
ପଠାଣ ଘରେ ଗଲେଣି,
କର୍ମକାଣ୍ଡି ବିପ୍ର
ଠେଙ୍ଗୁଆ ରହୁଛି
ଏହି ସଂସାର ଚଳଣି।
ଶିକ୍ଷାରେ ଅଭାବ
ନୈତିକ ପ୍ରଭାବ
ପରିବାରର ସଂସ୍କାର,
ରହୁନାହିଁ ଯେଣୁ
ବ୍ୟଭିଚାର ଚାଲେ
ଏ ତ ଆଜିର ସଂସାର।
ବିନୟ କୁମାର ମିଶ୍ର,
ମଲ୍ଲିପୁର, ଗଡ଼ ନିଆଳ,
ଖୋର୍ଦ୍ଧା
