ଦିନ ପରେ ରାତି
ପ୍ରାତଃ ଥିଲେ ସନ୍ଧ୍ୟା
ଦୁଃଖ ପରେ ସୁଖ ଆସେ,
ଭଲ ପଛେ ପଛେ
ମନ୍ଦ ଧାଉଁଥାଏ ସଦା
ଜନ୍ମ ମୃତ୍ୟୁ ପାଶେ।
ଆଗ ଯିଏ ଆଜି
କାଲି ହୁଏ ପଛ
ତଳ ବରଡ଼ାଟି ଖସେ,
ମଝି ବରଡାର
ରଙ୍ଗ ବଦଳଇ
ଉପର ବରଡ଼ା ହସେ।
ପରିବରତନ-
ଶୀଳ ଏ ଦୁନିଆଁ
ଆଜି କଥା କାଲି ନାହିଁ,
ଆପଣାଇ ଯିଏ
ଆଗକୁ ଚାଲୁଛି
ପ୍ରକୃତ ମଣିଷ ସେହି।
ମାଗି ଆଣିଥିବା
ତୁଉଣ ଶୋଡକେ
ନିଜ ଆଳୁ ପୋଡ଼ା ଧରି,
ସନ୍ତୋଷ ହୁଅଇ
ଆନମନା ନୁହେଁ
ଶାନ୍ତି ତା ଜୀବନେ ଭରି।
ଶରୀରର ଅଙ୍ଗ
ପ୍ରତ୍ୟଙ୍ଗ ମୁଦ୍ରାରୁ
ଅନେକ ବିଷୟ ଦିଶେ,
ନାକ ଲୁଚାଇବା
ମିଥ୍ୟାବାଚକ ଯେ
ଲୁଚେଇ ମୁରୁକି ହସେ।
ହୃଦୟ ନିକଟେ
ହାତ ଛନ୍ଦୁ ଥିଲେ
ଗର୍ବ ଅଭିମାନ ଥାଏ,
ମସ୍ତକ ଉପରେ
ହାତ ବାନ୍ଧିଥିଲେ
ଉନ୍ନତି ତାର ନ ହୁଏ।
ପଛ ପଟେ ହାତ
ରଖିଥାଏ ଯିଏ
ଦୀର୍ଘସୁତ୍ରୀଟିଏ ସିଏ,
ହାତ ମୁଠା କରି
ଅଣ୍ଟାରେ ରଖିଲେ
ଅହଙ୍କାରୀ ହୋଇଥାଏ।
ଦୁଇହାତ ମୁଠା
କରି ଯେ ଅଣ୍ଟାରେ
ରଖେ ଦର୍ପି ଅଭିମାନୀ,
ହାତ ମଳୁଥିଲେ
ପ୍ରତିହିଂସା ଗୁଣେ
ସହଜରେ ହୁଏ ଚିହ୍ନି।
ମରିବା ମଣିଷ
କୋକେଇରେ ଶୋଇ
ଶ୍ମଶାନ ଘାଟ ଗମଇ,
ମୁଣ୍ଡ ହଲୁଥାଏ
ଲୋକଙ୍କୁ ଅବା ସେ
ସନ୍ଦେଶ କିଛି ଦିଅଇ।
ସବୁ ଏ ସଂସାରେ
ମିଛ ମିଛ ବୋଲି
ମୁଣ୍ଡ ହଲାଇ ସେ କହେ,
ରାମ ନାମ ବିନା
କିଛି ନାହିଁ ନାହିଁ
ବୋଲି ସତେ ଅବା କହୁଥାଏ।
ଜନ୍ମ ମୃତ୍ୟୁର ଏ
ଜୀବନ ଯାତ୍ରାକୁ
ସବୁଦିନ ଦେଖୁଥାଏ,
ତଥାପି ମଣିଷ
ନିଜ କର୍ମଫଳ
ମୁଣ୍ଡକୁ କେବେ ନ ନିଏ।
ଏହିତ ଆଶ୍ଚର୍ଯ୍ୟ
ଧର୍ମବକ ଦିନେ
ଧର୍ମରାଜେ ପୁଛି ଥିଲା,
ସବୁ ଜାଣି ଶୁଣି
ପଢ଼ି ଦେଖି ମଧ୍ୟ
କେହି କେବେ ନ ବୁଝିଲା।
ନାହିଁ ଅଛି ହେବ
ଆଶା ନେଇ ମନେ
ଅର୍ଥ ସ୍ବାର୍ଥ ପାଇଁ ଧାଇଁ,
ବଞ୍ଚନ୍ତି ବଢନ୍ତି
ମଣିଷ ସମାଜେ
ଜାଣିବା ଆଗୁ ମରଇ।
ନିଜେ ବଞ୍ଚି ଅନ୍ୟେ
ବଞ୍ଚାଇବା ଜନ
ମଣିଷରେ ଗଣା ହୁଏ,
ପରଦୁଃଖେ ଦୁଃଖୀ
ସୁଖୀ ଯିଏ ହୁଏ
ଅଟଇଟି ସାଧୁ ସିଏ।
ବିନୟ କୁମାର ମିଶ୍ର,
ମଲ୍ଲିପୁର, ଗଡ଼ ନିଆଳ,
ଖୋର୍ଦ୍ଧା
