ଧର୍ମଶାଳା

ଏଇ ସଂସାରଟା ଧର୍ମଶାଳା ପରି
ଆମେ ଜଣେ ଜଣେ ଅତିଥି,
ଆସିଅଛେ ଦିନେ ଯିବା ଚାଲି ଦିନେ
ଅଧେ ଦିନ ପାଇଁ ସାରଥୀ,
ଅଢେ଼ଇ ଦିନିଆ ଦୁନିଆଁ,
ଯେ ଯାହା କରୁଛି ସେ ତାହା ଭୂଞ୍ଜୁଛି
କାତର ହୋଇବା କିଆଁ ?

ଧର୍ମଶାଳା ସବୁ ତୀର୍ଥ ଧାମେ ଅଛି
ତୀର୍ଥ ଯାତ୍ରୀ ରହେ ତହିଁ,
ହୋଟେଲ ପରିକା ଖର୍ଚ୍ଚ ନାହିଁ ତହିଁ
ଅଳ୍ପକେ ଚାଲିଯାଇ,
ସାଙ୍ଗରେ ଧର୍ମ ଚଟେଇ,
ନେଇଥିବ ଯଦି ରହିଥିବା ଯାଏଁ
ତହିଁରେ ପାରିବ ଶୋଇ ll

ଆସିବ ଦିନଟେ ଅର୍ଜ୍ଜିତ ସଂପତ୍ତି
ଧନ ଜନ ସବୁ ଥିବ,
ଭୁଞ୍ଜିବାକୁ ନିଜେ ନ ଥିବ ସେ ଦିନ
ମିଛେ ସବୁ ପରାଭବ,
କେହି ନୁହନ୍ତି କାହାର,
ମଶାଣି ଭୂଇଁରେ ଜଳିଯିବା ପରେ
ପୋଡ଼ି ହୋଇବ ଅଙ୍ଗାର ll

ଦରକାର ବେଳେ ସଭିଏଁ ଖୋଜିବେ
କାମ ସରିଗଲେ ଗଲା,
ମୁହଁ ନ ଚାହିଁବେ ଦୂର କରିଦେବେ
କହୁଥିବେ ମଲା ଗଲା,
ମିଛରେ କାନ୍ଦି ଦି ଦିନେ,
ଯେଝା ସୁଖ ପାଇଁ ଯିଏ ଲାଗିଯିବେ
ନ ରହିବ କାର ମନେ ll

ପାଇଛ ଯାହାଠୁ ଯେଉଁ ଦୁଃଖ ସୁଖ
ତାକୁ ଯଦି ଭୁଲି ଯିବ,
କେଞ୍ଚ ପାଇ ପୁଣି ସେଇଠି ପହଞ୍ଚି
ସୁଖ କି କୁହ ପାଇବ,
ଥରେ ଯେ ଦେଇଚି ଯାହା,
ବାରମ୍ବାର ଦେବ ସେଇ ଦୁଃଖ ସୁଖ
ଦୁନିଆ ବେଭାର ଏହା ll

ସବୁ ଜାଣି ଶୁଣି ପ୍ରତାରକ ପାଶେ
ପଶିବାରେ ମନ ଧାଏଁ,
ମନ ଧନ କାଳ ଦେଇ ସେହିଠାରେ
ଜୀବ ଭାରି ସୁଖ ପାଏ,
ଦୁର୍ଦ୍ଦିନକୁ ଭୁଲି ଯାଇ,
ଦୁଃଖର ସାଥିକୁ ଅବହେଳା କରେ
କ୍ଷଣକେ ଦିଏ ଦୂରେଇ ll

ଦୁଃଖ ପାଇବାକୁ ଭାରି ଇଚ୍ଛା କରି
ମୂଢ଼ ଜୀବ ହୁଏ ବାଇ,
ଧକା ବେକା ଅଣଦେଖା ଖାଇ ମଧ୍ୟ
ପିଛା ତାର ଛାଡେ ନାହିଁ,
କୋଳେଇ କ୍ଷଣକେ ନିଏ,
ବାର ବରଷର ମଉଳା ପୋଷଣ
ଖୁଡୁତା ଦର୍ଶନେ ଯାଏ ll

ମଣିଷ ଚିହ୍ନିବା ସଂସାରେ ସବୁଠୁ
ଅତି ଦୁରୁହ ବେପାର,
ବାର ମାସେ ଥିଲେ ଜନନୀ ଜଠରେ
ଅବା ହେବ ପାରିବାର,
ଜୀବନଟା ଚାଲି ଯିବ,
ମଣିଷ ଚରିତ୍ର ବୁଝିବା ବିଚିତ୍ର
ମଲା ଯାଏ ନ ବୁଝିବ ll

ବିନୟ କୁମାର ମିଶ୍ର
ମଲ୍ଲିପୁର, ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply