ଛାତ ଉପରର ଲୁଗା ଶୁଖା ତାର
ଖୋଜେନା କାହାର ସାଥୀ,
ଜାଣିଚି ଏତିକି ଓଦା ଲୁଗାପଟା
କିଛି କ୍ଷଣର ସଙ୍ଗତି,
ବରଷା ଆସିଲେ ନାହିଁ,
ବରଷା ବିନ୍ଦୁରେ ନିଜେ ଭିଜେ ସିନା
ଲୁଗାପଟା କେହି ନାହିଁ।
ସେପରି ସଂସାରେ ଦୁଃଖ ସମୟରେ
ସାଙ୍ଗ ଖୋଜୁଥାନ୍ତି ସିନା,
ଦୁଃଖ ଚାଲିଗଲେ ଯେଝା ବାଟେ ଯିଏ
ସୁଖରେ ନାନା ବାହାନା,
ନିଜ ଦୁଃଖ ନିଜେ ଭୋଗ,
କେ ନୁହେଁ କାହାର ଛାତ ତାର ତୁମେ
କାହିଁକି କରିବ ରାଗ।
ଦୁଃଖର ବରଷା ବିନ୍ଦୁ ବିନ୍ଦୁ ହୋଇ
ଦେହେ ଯାଇଥିବ ଲାଗି,
ନିଃସଙ୍ଗ ଜୀବନେ ନ ଥିବେ କେ ପାଶେ
ହେବାକୁ ନିଜର ସାଥୀ,
ତାର ମନେ ଥିବ ଭାବି,
ନିଃସଙ୍ଗ ସେ ସଦା ନିଃସଙ୍ଗତା ଭାବ
ପାରିଅଛି ଅନୁଭବି।
କେ ନୁହେଁ କାହାର ଜଳ ବିନ୍ଦୁ ପରି
ସଭିଏଁ ହୁଅନ୍ତି ସାଥୀ,
ଭାରି ହୋଇଗଲେ ଯେଝା ବାଟେ ସବୁ
ତଳେ ଝରିପଡ଼ିଥାନ୍ତି,
ଆସକ୍ତି ଯାହାର ନାହିଁ,
ଅନ୍ୟ ପାଇଁ କରି ଜୀବନ ଜଳାଇ
ବଞ୍ଚିବାରେ ଦୁଃଖ କାହିଁ ?
ବିନୟ କୁମାର ମିଶ୍ର
ମଲ୍ଲିପୁର, ଗଡ଼ ନିଆଳ
ଖୋର୍ଦ୍ଧା
