ଲାଜଲାଗେ

ଯୋଉ କଥା ମୋର ମନକୁ ଦହୁଚି
ନିଜର ଭାବି କହିଲି,
ଆନମନା ଥିଲ ଶୁଣିଲ କି ନାହିଁ
ମୁଁ କିବା ଜାଣି ପାରିଲି,
କହିଦେଲି ସlହାସରେ,
ଭାରି ଲାଜ ଲାଗେ ତୁମ ଅନୁରୋଧେ
ଆଉ ଥରେ କହିବାରେ ll

ସେ ଦିନ ସଂଜରେ ଏକାନ୍ତ ବେଳାରେ
ଦେହ ଛୁଇଁ କହିଥିଲି,
ତୁମ ବିନା ଆଉ କାହାର ହେବିନି
କଥା ରଖି ନ ପାରିଲି,
ତୁମର ସରଳ ଆଖି,
ପ୍ରୀତିର ଆଶାରେ ମୋ ଆଖି ଭିତରେ ଯେମିତି ରହିଲା ଲାଖି ll

ଅନୁଭବୀ ଥିଲି ତୁମ ନିଷ୍କପଟ
ପ୍ରେମର ଅମୃତ କେତେ,
ଦେହାତୀତ ଥିଲା ହୃଦୟ ବନ୍ଧନ
ଆଚରଣ ତୁମ ଯେତେ,
ସମୟ ବିଚ୍ଛେଦ କଲା,
ଆଉ କାର ହୋଇ ଭୁଲି ପାରୁନାହିଁ
ତୁମ ଡାକ ମଧୁ ବୋଳା ll

କେତେ ଦିନ ପରେ ଏକାକୀ ଉଦାସ
ମୁହଁକୁ ଦେଖି ଭାବିଲି,
ନିରୁତା ତୁମର ପ୍ରେମକୁ କାହିଁକି
ହାତ ଛଡା କରିଦେଲି,
କହିଦେବି ମନ କଥା,
ତୁମ ଛଡା ଆଉ କିଏ ବା ବୁଝିବ
ମୋ ଅନ୍ତର ତଳ ବ୍ୟଥା ll

ଭୁଲିନି ତୁମକୁ ମଲା ଯାଏ କେବେ
ଭୁଲି ପାରିବିନି ଜମା,
ଏ ମାଟି ଦେହଟା ଆଉ କାର ସିନା
ମୁଁ ତୁମ ସପନ ଜେମା,
ଏଇ କଥା କହିଥିଲି,
ବୁଝିବ କେମିତି ମୁହିଁ ଧୋକାବାଜି
ତୁମ ସଂଗେ କରିଦେଲି ll

ସେହି ଲାଜ ମୁଁହ କେମିତି କହ ମୁଁ
ଆଉ ଦେଖାଇ କହିବି,
ଏ ଜନମରେ ତୁମ ପରି ଆଉ କହ
କାହାକୁ ଅବା ପାଇବି,
ସେହିପରି ତୁମେ ଅଛ,
ପ୍ରତି ମୁହୂର୍ତ୍ତରେ ମୋ ମନ ହୃଦୟେ
ସେଇ ଆଖିରେ ଚାହିଁଛ ll

ବିନୟ କୁମାର ମିଶ୍ର
ମଲ୍ଲିପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply