ଏମିତି ଅନେକ
ଚଳଣି ଦରବ
ପରିବେଶ ହଜିଲାଣି,
ପରମ୍ପରା ଉତ୍ସ
ସଂସ୍କୃତିର କଥା
ଆଉ କେବେ ଫେରିବନି।
ଢ଼ିଙ୍କି ଢ଼ିଙ୍କିଶାଳ
ଗାଈଙ୍କ ଗୁହାଳ
ବଳଦଙ୍କ ପଟାଶାଳ,
ଅଗଣା ଚଉରା
ଘୋରଣା ପେଷଣା
ଚୌପିଢ଼ି କୋଡ଼ି ଲଙ୍ଗଳ।
ଶଗଡ଼ ଜୁଆଳି
ମଇ ହାତକୋଡ଼ି
କୋଦାଳ ଫାଉଡା ଜୋତ,
ଡାଲା ବାଉଁଶିଆ
କୁଲା ବୋଝ ବେତା
ଡୋଲୀ ରୋଦର ସହିତ।
ଗାଁ ଦାଣ୍ଡ ଧୂଳି
ଗହୀର ପୋଖରୀ
ଭାଗବତ ଟୁଙ୍ଗି ଘର,
ମାଟି ପିଣ୍ଡା ଚାଳ
ଖଳା ସାରୁ ବାଡ଼ି
କୁମ୍ଭାରର ଉଆ ଶାଳ।
କେଉଟ ଘରର
ସରୁ ନାଲି ଚୁଡା
ଗୁଡ଼ିଆ ଘରର ମୁଆଁ,
କମାରର ଦାଆ
କଟୁରୀ ଟାଙ୍ଗିଆ
ନାଲ ବସା ଘଷି ନିଆଁ।
ତନ୍ତୀ ଘର କଣ୍ଡା
ଶଟର ଶାଟର
ଅରଟ ଆଙ୍କୁଡ଼ା କୁନ୍ଦ,
ମାଳିଘର ଫୁଲ
ପାଦୁକ ପରବେ
ଛାଡ଼ି ଚାଲିଯାଏ ମନ୍ଦ।
ବାଡ଼ି ପାଳଗଦା
ଛତୁ ଲେଉଟିଆ
କାନ୍ଧିଆ ସଜନା ଛୁଇଁ,
ଗାଁ ଠାକୁରାଣୀ
ଭାଗବତ ଗାଦି
କୁଆଡେ ହଜିଗଲାଣି।
କାର୍ତ୍ତିକ ସକାଳ
ଦାଣ୍ଡ ସଂକୀର୍ତ୍ତନ
ଭୋଗଖିଆ ଝାମୁ ଦଣ୍ଡ,
ମେଳଣ ଯାତ୍ରା
ପୁନିଅ ପରଵ
ପିଠା ପଣା ସବୁ ଗୁଣ୍ଡ।
ଦ୍ରବ୍ୟ ଚବ୍ୟ ଚୋଷ୍ୟ
ଲେହ୍ୟ ପେୟ ଲେପ
ସବୁ ବଦଳି ଗଲାଣି,
ହଳଦୀ କାଠୁଆ
କଜଳପାତି ଯେ
ମାଣ ଅଣକ ତୋରାଣୀ।
ଲେଖୁଥିଲେ ବସି
ସରିବନି ଯେତେ
ପରିବର୍ତ୍ତନ ହେଲାଣି,
ଆଧୁନିକତାର
ଚାଦର ଘୋଡେଇ
ସ୍ମୃତି ସବୁ ଶୋଇଲେଣି।
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
