ଗାଡ଼ି ଖରାପ ହେବା……
ବାଣୀବିହାର ଛକରେ ବସକୁ ଅପେକ୍ଷା….
ବୁଢ଼ାମଉସାଙ୍କ ଦୋକାନରୁ ଚା ପିଇବା…
ତୁମ ସହ ଦେଖା …
ବସର ହଠାତ୍ ଆଗମନ………
ଏ ସବୁଥିଲା ସଂଯୋଗ।
ସେଦିନ ଯାହା ମୋତେ
ବେଶୀ ଆନମନା କରିଥିଲା,
ତାଥିଲା ମୋ ମନକୁ ମୁଁ
ଭାରାକ୍ରାନ୍ତ କରିବା।
ଝିପିଝିପି ବର୍ଷାରେ ଶାଢୀଟା ଭିଜି ଗଲା।
ମନଟା କେମିତି ଭିଜିଗଲା
ମୁଁ ଜାଣିପାରିଲିନି ।
ଓଦା ଶାଢ଼ୀକୁ ବଦଳେଇ ଦେଲି,
କିନ୍ତୁ ଏ ଭିଜା ମନଟାକୁ କେମିତି ଶୁଖାଇବି ..????
ଅତୀତରେ ହଜିଗଲି…..
ଅତୀତଟା କାହିଁକି ଆସେ କେଜାଣି ?
ସେ ତ ସ୍ମୃତି ହୋଇଗଲାଣି।
ତଥାପି ସେ ଆସେ।
ସଙ୍ଗରେ ଆଣେ ଫୁଲର ଫଗୁଣ,ତ ବୈଶାଖୀର ଖରା ।
ସ୍ମୃତି ସବୁ ପାଉଁଶ ତଳର ନିଆଁ
କେମିତି ଜାଣିବି ତାର ଉଷ୍ମତା ?
କେମିତି ମାପିବି ତାକୁ ?
ତୁମେ ଗଲା ପରେପରେ ……
ମୋ ମନ ବଗିଚାରେ ନିଆଁ ଲାଗିଗଲା,
ଏ ମନ ଖୋଜେ ତୁମକୁ।
ମୋତେ ଲାଗେ ତୁମେ,
ଦୂର ଆକାଶର ଅସ୍ତଗାମୀ ସୂର୍ଯ୍ୟ।
ଦେଖି ହୁଏ ସିନା ଛୁଇଁ ହୁଏନା।
ସନ୍ଧ୍ୟା ନଇଁ ଆସେ,
ଦେଉଳେ ଆଳତି ଘଣ୍ଟ ବାଜେ।
ବ୍ୟର୍ଥପରାଣ ନେଇ
ଘରକୁ ଫେରି ଆସେ।
ଭାଵନାରେ ବୁଡ଼ି ଯାଏ।
ତୁମକୁ କାଣିଚାଏ ଭଲପାଇବା ମାଗି ଥିଲି ସତରେ କେତେ ଭାରି ପଡ଼ିଲା ମତେ।
ମୂଳ କେତେ ଶୁଝିଲିଣି
ସୁଧ ସରୁନି ଜମା ।
ବୁଝାଇ ପାରିବିନି ତୁମକୁ,
ଦିନ ରାତି କେମିତି କଟୁଚି ମୋର ?
ଯାହା ମୋର ନୁହଁ,
କି ମୋ ପାଇଁ ନୁହଁ,
ତା କାହିଁକି ଏତେ
ଆକର୍ଷଣ କରେ ମୋତେ ।
ମୁଁ ସୁଖରେ ଅଛି ବୋଲି
ତୁମ ଅଭିମାନ ଭରା ଆଖିରୁ ଜାଣିଲି
ସୁଖରେ ରହିବା,ଆନନ୍ଦରେ ରହିବା ଏକା କଥା ନୁହେଁ।
ସୁଖ ମୋ ପାଇଁ ଝଡଟିଏ।
ସୁଖର ଝଡ଼ରେ କେବେ କେବେ ଫିଟିପଡେ ମୋର କୋହର କବରୀ।
ଜନ୍ହର ଦର୍ପଣରେ ଆଖିର ଲୁହରେ କବରୀକୁ ବାନ୍ଧେ ମୁଁ ।
ତୁମ କଥା ମନେପଡେ ମୋର ।
ପୂର୍ଣ୍ଣମୀ ଜହ୍ନକୁ ତୁଛ କରି ତୁମେ ଧାଇଁ ଆସୁଥିଲ ମୋ ମୁହଁ ଦେଖିବାକୁ ।
କେମିତି ଭୁଲିବି ସେଦିନ।
ତୁମ ମୁହଁ ମୋ
ଆଖି ଆଗରେ ଭାସିଉଠେ ନିତି।
ଜନ୍ହରାତି ମନେ ହୁଏ ନିଆଁଲଗା
ଅତୀତ ପରି।
ଜ୍ୟୋସ୍ନାର ଲାଭାରେ ଜଳିଯାଏ
ମୋ ମନ ସାମ୍ରାଜ୍ୟର ସିଂହାସନ।
ଲାଗେ ମୋ ଅସ୍ଥିତ୍ଵ ବି
ଜଳି ପୋଡି ଯାଉଚି।
ଜାତି ପ୍ରଥାକୁ ଦ୍ୱାହି ଦେଇ
ତୁମର ମୋର ଦୂରତା ବଢ଼ି ଗଲା।
ମୁଁ ଏକଲବ୍ୟ ହୋଇ ପାରିଲିନି।
ମୁଁ ଅସହାୟ ହୋଇପଡିଲି।
ଆଜି ମୁଁ ଅଭିଶପ୍ତା ଅହଲ୍ୟା।
ଅପେକ୍ଷା ପରିରାଇଜର ରାଜକୁମାର ରାମଚନ୍ଦ୍ରଙ୍କ ପାଦ ସ୍ପର୍ଶ ପାଇଁ।
******
ମଲ୍ଲୀପୁର,ନିଆଳ
ଖୋର୍ଦ୍ଧା
9439011063
