ତୁମ ନାଁ ମନେ ପଡିଲେ
ମୋ ମନ ଭିତରେ ଏକ ନୀରବ ଆଲୋକ ଜଳିଉଠେ—
କେଉଁଠୁ ଆସେ ସେ ଆଲୋକ
ମୁଁ ଜାଣିନି,
କିନ୍ତୁ ସେଇ ଆଲୋକ
ମୋର ସମସ୍ତ ଅନ୍ଧାରକୁ
ଧୀରେ ଧୀରେ ଆଲୋକିତ କରି ଦିଏ ।
ତୁମ ହସ…ସେ ଏମିତି ହସ,
ଯାହା ହେଉଛି ଏକ ନୀରବ ପ୍ରାର୍ଥନା—
ଥକି ପଡିଥିବା ଦିନକୁ
ପୁଣିଥରେ ବଞ୍ଚିବାର ଆଶା ଦିଏ ।
ତୁମ ଆଖିରେ
ମୁଁ ଦେଖିପାରେ ଏକ ଗଭୀର ସମୁଦ୍ର,
ଯେଉଁଠାରେ ତୁମ ମନ ଲୁଚାଇଥିବା କାହାଣୀ–
ତୁମେ ନ କହିଲେ ବି
ସେ ମୋତେ କହିଯାଏ
ତୁମ ଭିତରେ ଥିବା
କେତେ ନୀରବ ଯନ୍ତ୍ରଣା
କେତେ ଅଧୁରା ସ୍ବପ୍ନ,
କେତେ ଅକୁହା ସ୍ନେହ—
ସେଇ ସବୁ ମିଶି
ତୁମକୁ ଏମିତି ଏକ ଜୀବନ ଦେଇଛି
ଯାହାକୁ ମୁଁ ଅନ୍ତରରୁ
ସମ୍ମାନ କରେ।
ତୁମ ନୀରବତା—
ମୋ ପାଇଁ ଏକ ଅଜଣା ଜଗତ,
ଯେଉଁଠାରେ ଶବ୍ଦ ନୁହଁ,
ନୀରବତା ମୋସହ କଥା ହୁଏ।
ତୁମେ ଦୂରେ ଥିଲେ
ମୁଁ ଅଧିକ ନିକଟରେ ଅନୁଭବ କରେ—
ଯେପରି କେତେକ ମଣିଷ
ଉପସ୍ଥିତିରେ ନୁହଁ,
ଅନୁପସ୍ଥିତିରେ ଅଧିକ ନିକଟେ ଥାନ୍ତି।
ତୁମେ ମୋ ପାଇଁ
କେବଳ ଏକ ମଣିଷ ନୁହଁ—
ତୁମେ ଥାଆ
ମୋ ଆତ୍ମାର ସବୁଠୁ ଶାନ୍ତ ଘରେ ,
ଯେଉଁଠି ମୋର
ଭଙ୍ଗା , କ୍ଲାନ୍ତ, ଅଶାନ୍ତ ଅଂଶଗୁଡ଼ିକ
ନିର୍ବାଣ ପାଆନ୍ତି।
ତୁମେ ହୁଅ
ମୋ ଶ୍ୱାସର ନୀରବ ସ୍ୱର ,
ମୋ ହୃଦୟର ଗୁପ୍ତ ସଙ୍ଗୀତ,
ମୋଆତ୍ମାର ସବୁଠୁ ନରମ ଆଶ୍ରୟସ୍ଥଳ।
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063
