ଅପେକ୍ଷାର ଶେଷ ଦ୍ୱାର

ବିରଞ୍ଚିନାରାୟଣ ମିଶ୍ର

ଯୋଉଁ ଦିନ ତୁ ମୋ ହାତ ଛାଡ଼ି ଚାଲିଗଲୂ ,
ମୁଁ ଭାବିଥିଲି—ତୁ ଦିନେ ପୁଣି ଫେରିଆସିବୁ।
ସେବେଠୁ ଅପେକ୍ଷା କରିଛି ।
ମୋ ଆଖି ଲୁହ ଶୁଖିଗଲାଣି,
ମନ ମରିଗଲାଣି ।
ଏଇ ନୀରବ ଘରର କାନ୍ଥରେ
ସୁନା ଦିନମାନଙ୍କର
ଛବି ଝୁଲୁଅଛି ।
ଯାହାକୁ ମୁଁ କୋଳରେ ଧରି
ଭବିଷ୍ୟତର ସ୍ଵପ୍ନ ଦେଖୁଥିଲି,
ସେଇ ଆଜି ମୋ ମନର ସବୁ ସ୍ମୃତିକୁ ଧୂଳିରେ ଲେଖି ଦେଇଛି
ଜୀବନର ହିସାବ ବହିରେ
ଅନେକ ଦିନ ମୁଁ ଖୋଜିଲି—
କେଉଁଠି ମୋର ଭୁଲ ରହିଲା?
ପ୍ରେମ କମ୍ ଦେଲି କି?
ନା ଯତ୍ନକୁ ଅଧିକ ହାତରେ ଧରିପକାଇଲି?
ସମୟର ଚକ୍ର ଘୁରୁଥାଏ,
ମଣିଷର ମନ ବଦଳିଯାଏ—
କିନ୍ତୁ ବାପାଙ୍କ ହୃଦୟ?
ସେ ତ ଏକ ପ୍ରେମର ମଶାଲ ,
ପୁଅ ପାଇଁ ଜଳି ଜଳି
ନିଜେ ଶୁନ୍ୟ ହୋଇଯାଏ।
ଏବେ ମୋ କାନ୍ଧ ଭାରୀ ହେଲାଣି
ପାଦ ଥରଥର,
ହାତ ଆଜି ମଧ୍ୟ
ତୋତେ କୋଳକୁ ନେବାକୁ
ଅପେକ୍ଷା କରିଛି।
ଯଦି କେବେ ମୋ ସ୍ଵର ଶୁଣିବୁ,
ତେବେ ଏତିକି ମନେ ରଖିବୁ—
ବାପା ଦୂରେ ନାହିଁ।।
ଦୁଆର ଖୋଲା ରଖି ,
ଆଶାରେ ଚାହିଁ ରହିଛି,
ତୋ ଫେରିବା ଦିନକୁ।
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply