ବିରଞ୍ଚିନାରାୟଣ ମିଶ୍ର
- ମନେ ପଡ଼େ ସେଇ ଦିନ,
ଯେବେ ଆମେ ସାଗର କୂଳରେ
ଛୋଟ ବାଲିଘର ତୋଳୁଥିଲେ ବେପରୁଆ ହୋଇ ,
ମନରେ ଥିଲା ବାଲ୍ୟ ଚଞ୍ଚଳତା
ଆଖିରେ ଥିଲା ଅସରନ୍ତି ଆଶା।
ଶାମୁକା ଗୋଟାଇ ଗଢୁଥିଲେ ସ୍ୱପ୍ନର ବାଲିଘର।
ସାକ୍ଷୀ ଥିଲା ଆମ ପଦଚିହ୍ନ,
ମନ ଉଡୁଥିଲା ଅଜଣା କାହାଣୀର ପକ୍ଷୀରାଜ ଘୋଡା ପରି।
ପରେ —
ଯୁବକ ସୁଲଭତାର ବର୍ଣ୍ଣ ଆସିଗଲା ଜୀବନେ,
ପ୍ରେମିକ ପ୍ରେମିକା ସାଜି
ସମୁଦ୍ରକୁ ଛୁଇଁ ଚାଲୂଥିଲେ ହାତ ଧରାଧରି ହୋଇ,
କାନ୍ଧକୁ କାନ୍ଧ ମିଶାଇ
ସୂର୍ଯ୍ୟାସ୍ତକୁ ଦେଖିଥିଲେ ଗୋଧୂଳି ବେଳାରେ ।
ସଞ୍ଜ ଧୀରେ ନୀଳ ଶାନ୍ତିରେ
ଆମକୁ ଘେରି ନେଉଥିଲା।
ଆଜି —ସମୁଦ୍ର ସେମିତି ଅଛି , କିନ୍ତୁ
ଆମ ବୟସରେ ଅନାଡ଼ମ୍ବର,
ଆମ ଦେହରୁ ଖସିଯାଇଛି
ସେଇ ଉଦ୍ଦାମ ଚଞ୍ଚଳତା ଦିନ।
ତୁମ ହାତର ସ୍ପର୍ଶରେ ମିଳେ ଅଧିକ ଆଶ୍ରୟ,
ମୋ ମଥା—ତୁମ କାନ୍ଧରେ—
ଆଜି ଅଧିକ ଶାନ୍ତି ପାଏ।
ସମୁଦ୍ରର ତାରିଖ କେଉଁଠାରୁ ଗଣିବୁ?
ସେ ଯେ ଅପରିବର୍ତ୍ତନୀୟ,
ଆମ ଭଳି ସେ ହୁଏନା ବର୍ଷରେ କ୍ଲାନ୍ତ।
ତଥାପି ସେ ଜାଣେ—
ଆମ ସ୍ମୃତିର ଧାରାରେ
କେତେ ଲାଗିଛି ଜୀବନର ଲୁଣିଆ ବୟସ।
ସାଗର ସେମିତି ଅଛି,
ବଦଳିଛି କେବଳ ଆମ ମନର ସରସତା ,
କିନ୍ତୁ ସଙ୍ଗତ?
ତାହା ତ ସମୁଦ୍ରର ଅଶେଷ ତରଙ୍ଗ—ଯାହା ଆଜିବି ଆମ ପାଦକୁ ସେଇ ପୁରୁଣା ଭାବେ ଛୁଇଁଛୁଇଁ ଯାଏ।
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063
