ରାତିର ସ୍ନେହର ପରଷ

ବିରଞ୍ଚିନାରାୟଣ ମିଶ୍ର

ଆଜି ରାତିର ଶାନ୍ତ ପବନ
କାହିଁକି ତୁମ ନାମକୁ ଧରି
ମୋତେ ଏତେ ବ୍ୟସ୍ତ କରୁଛି ?
ଆଖିମୋ ସେ ପବନ ଛୁଆଁରେ
ବୁଜି ହୋଇ ଯାଉଛି
ଏ ମନ ତୁମକୁ ଭାବିଭାବି
ସାରାରାତି ଚାହିଁ ରହୁଛି।
ଆସହେ ପ୍ରିୟା ମୋର,
ମୋ ପାଖକୁ ଥରେ ଆସ,
ଏଇ ନୀରବ ରାତି
ତୁମର ପାଦର ପାଉଁଜି ଶବ୍ଦରେ
ହୃଦୟ ମୋ କମ୍ପି ଯାଉଛି।
ତୁମ ମୁହଁଟିକୁ ଦେଖିଦେଲେ
ମୋ ଭିତରେ ଶାନ୍ତି
ନିର୍ବାଣ ପାଇ ଯାଉଛି,
ସେଇ ଶାନ୍ତିର ଆସ୍ୱାଦ ମୁଁ
ଅନ୍ୟ କେଉଁଠି ପାଇପାରୁନି।
ରଜନୀଗନ୍ଧାର ସୁଗନ୍ଧ
ଏମିତି ମହକୁଛି ତୁମ କବରୀରେ
ଯେ ସେଇ ବାସ୍ନା
ପବନରେ ଖେଳିଯାଉଛି
ପ୍ରୀତିର ରାଗିଣୀ ଗାଇ।
ଏଇ ଜୋଛନା ରାତି
ତୁମେ ନଥିଲେ ମନେ ହୁଏ
ଶ୍ୱାସକୁ ମୋ ରୁଦ୍ଧି ଦେଉଛି ,
ଯେପରି ମୋ ହୃଦୟର
ଧଡ଼କନ କୁଆଡେ ହଜି ଯାଇଛି।
ତୁମେ ଯେବେ ମୋତେ ଛୁଅଁ,
ସେ ଛୁଆଁରେ ମନେ ହୁଏ
ପୂର୍ବର ସବୁ ଦୁଃଖ
ଏକ କ୍ଷଣରେ ଲିଭିଯାଉଛି ।
ତୁମ ଆଖିରେ ଯୋଉ
ନୀରବ ସ୍ନେହ ଲୁଚିଛି,
ସେହି ସ୍ନେହର ଉଷ୍ମତା
ମୋର ହୃଦୟକୁ
ଅଳ୍ପ ଅଳ୍ପ କରି
ନୂଆ ଜୀବନ ଦେଉଛି।
ତୁମେ ଥିଲେ ପାଖେ ମୋର
ସବୁରାତି ମୋର କବିତା ହୁଏ,
ତୁମ ବିନା ସବୁ ରାତି
ନିଝୁମ ବର୍ଷା ରାତି ହୁଏ ।
ସେଇ ବର୍ଷା ରାତିରେ ମୁଁ
ଖୋଜୁଥାଏ ଭିଜିଭିଜି ତୁମକୁ ।
ଆଜି ମୁଁ କେବଳ ଏତିକି ଚାହେଁ—
ତୁମ ହାତ ଧରି
ରାତିର ନୀରବତାକୁ
ଆମେ ଦୁହେଁ ଶୁଣୁଥାନ୍ତେ
ମନ ଭରି ପୁର୍ଣିମା ରାତିରେ
ସାଗର ବିଜନ ବେଳାରେ।
******
ମଲ୍ଲୀପୁର, ନିଆକ
ଖୋର୍ଦ୍ଧା
9439011063

Leave a Reply