ବିରଞ୍ଚି ମୋ ସାଙ୍ଗ, ସ୍କୁଲରେ ଆମେ ଏକା କ୍ଲାସରେ ପଢ଼ୁଥିଲୁ । ସେ ପ୍ରତିଦିନ ଡେରିରେ କ୍ଲାସକୁ ଆସୁଥିଲା, ପାଠ ହେଉ ନଥିଲା ତାର, ମାନସାଙ୍କ ପଚରା ହେଲେ ସେ ଏମିତି ହୋଇ ଝରକା ବାହାରକୁ ଚାହିଁ ରହୁଥିଲା ଯେ, ତାକୁ ଦେଖି ଆମକୁ ବହୁତ କଷ୍ଟ ହେଉଥିଲା । ଶିକ୍ଷକ ଆମକୁ ଜୀବନର ଲକ୍ଷ୍ୟ ପଚାରିଲେ, ଆମେ କେହି ଶିକ୍ଷକ ହେବାକୁ ଚାହୁଁଥିଲୁ । କେହି ଡାକ୍ତର, କେହି ଓକିଲ । କିନ୍ତୁ ବିରଞ୍ଚି ସେସବୁ କିଛି ହେବାକୁ ଚାହୁଁ ନଥିଲା । ସେ ଡ୍ରାଇଭର ହେବାକୁ ଚାହୁଁଥିଲା । ଆମେ ସବୁ ତା ଉତ୍ତରରେ ହସି ଦେଉଥିଲୁ ।
ଆମେ କେହି ମାଷ୍ଟର ହେଲୁ, କେହି ଡାକ୍ତର, କେହି ଓକିଲ ହେଲୁ । କିନ୍ତୁ ବିରଞ୍ଚି ଡ୍ରାଇଭର ହୋଇ ପାରିଲା ନାହିଁ । ସମସ୍ତଙ୍କର ଇଛା ପୂରଣ ହେଲା, କେବଳ ବିରଞ୍ଚି ବାଦ ରହିଗଲା । ବିରଞ୍ଚି ଡ୍ରାଇଭର ହୋଇ ପାରିଲା ନାହିଁ । ବିରଞ୍ଚି କଥା ଭାବୁ ଭାବୁ ହଠାତ ମୋ ଦୁଆର ଆଗରେ ନାଲି ଓମନି ମାରୁତି ଭ୍ୟାନଟିଏ ଅଟକି ଗଲା । ଗାଡିର କବାଟ ଖୋଲି ବିରଞ୍ଚି ବାହାରି ମୋ ଘରକୁ ଆସିଲା । ତାକୁ ଦେଖି ପିଲାଦିନ କଥା ମନେ ପଡିଗଲା। ତେବେ ବିରଞ୍ଚି ଡ୍ରାଇଭର ହୋଇ ଯାଇଛି ।
ମୋ ଘରେ ବସିଲା ଚା ପିଇଲା ୟାଡୁସ୍ୟାଡୁ ଗପ କଲା, ତାପରେ କହିଲା “ହଉ ଏବେ ଯାଉଛି” । ତାକୁ ବାଟୋଇ ଦେବାବେଳେ ପଚାରି ଦେଲି, ତୁ ଡ୍ରାଇଭର ହେଲୁ? ସେ ଟିକେ ହସିଦେଇ କହିଲା ମୁଁ କିଛି ହୋଇପାରିଲି ନାହିଁ । ଗାଡିଟିଏ କରି ଭଡା ଲଗେଇଛି,ଡ୍ରାଇଭର ରଖିଛି ସେ ଗାଡ଼ି ଚଲାଉଛି । ବୁଝିଲୁ ଯିଏ ଦିନେ ଡ୍ରାଇଭର ହେବାକୁ ଚାହିଁଥିଲା ସେ କିଛି ହୋଇପାରିଲା ନାହିଁ । ଏବେ ସେ କେବଳ ବିରଞ୍ଚି ହୋଇ ରହିଛି ।
